Home General ବଜ୍ରପାତ ନେଲା ୧୨ ଜୀବନ

ବଜ୍ରପାତ ନେଲା ୧୨ ଜୀବନ

ଭୁବନେଶ୍ବର : କାଳବୈଶାଖୀ ବର୍ଷାରେ ବଜ୍ରପାତ ଯୋଗୁଁ ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଓଡ଼ିଆ ପେଣ୍ଠ ପଞ୍ଚାୟତର ପରଡିଗୁଡା ଗ୍ରାମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଦ୍ବିପ୍ରହର ବେଳେ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ସମୟରେ ବିଲ ନିକଟରେ ଥିବା ଏକ କୁଡ଼ିଆରେ ଆଶ୍ରୟ ନେଇଥିଲା ପୁରା ପରିବାର । ବଜ୍ରାଘାତରେ ଆଈ, ନାତୁଣୀଙ୍କ ସହ ଯୁବକ ମୃତ୍ୟୁ ହୋଇଛି । ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି ।

ବଜ୍ରପାତରେ ଜଣେ ଯବାନଙ୍କର ମଧ୍ୟ ମୃତ୍ୟୁ ହୋଇଛି। ରାଉରକେଲା ସୀମାନ୍ତ ସରଣ୍ଡା ଜଙ୍ଗଲରେ ବଜ୍ରପାତର ଶିକାର ହୋଇଥିଲେ ୪ ଜଣ ସିଆରପିଏଫ ଯବାନ । ସେମାନଙ୍କ ମଧ୍ୟରୁ ଆଜି ଚିକିତ୍ସା ବେଳେ ଜଣେ ଯବାନଙ୍କର ମୃତ୍ୟୁ ଘଟିଛି । ମୃତ ଯବାନ ହେଲେ ଏମ.ପି. ସିଂହ । ସେ ସିଆରପିଏଫ ୨୬ ବାଟାଲିୟନରେ ଦ୍ୱିତୀୟ କମାଣ୍ଡ ଅଧିକାରୀ ଭାବରେ ନିଯୁକ୍ତ ଥିଲେ । ମଣିପୁର ପରେଲର ମୂଳ ବାସିନ୍ଦା ଏମପି ସିଂହ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେମିଳିଗୁଡା ବ୍ଲକ୍ ଖାଲପାଡିରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ନଦୀରେ ମାଛ ଧରୁଥିବା ବେଳେ ବଜ୍ରପାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ସେପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କେବିରୀ ବରପୁରରେ ବଜ୍ରପାତରେ ଅନ୍ୟ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଆମ୍ବତୋଟାରେ ଆମ୍ବ ଗୋଟାଉ ଥିବାବେଳେ ବଜ୍ରପାତ ହୋଇଥିଲା । କବିସୂର୍ଯ୍ୟନଗର ଏ ବରିଡା ଗାଁରେ ବଜ୍ରପାତରେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ଓମ୍ ପ୍ରକାଶ ପ୍ରଧାନ ।

ସେହିଭଳି ଗଜପତି ଜିଲ୍ଲା ମୋହନ କାନକଟା ଗାଁରେ ବିଜୁଳି ଘଡଘଡି ହେବା ଯୋଗୁଁ ଜଣେ ଯୁବତୀ ପ୍ରାଣ ହରାଇଛନ୍ତି । ନିଜ ଦୋକାନ ସମ୍ମୁଖରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବୁରୁସାହିରେ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବଳିମୁଣ୍ଡୁଳି ଗାଁ ମାଝୀସାହିରେ ବଜ୍ରାଘାତ ହେବାରୁ ଜଣେ ଯୁବକ ପ୍ରାଣ ହରାଇଛନ୍ତି l ସେହିଭଳି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେନୋରା ଗାଁରେ ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗଂଜାମ ଓ ଗଜପତିରେ ବଜ୍ରାଘାତରେ ୨ ଯୁବତୀଙ୍କ ପ୍ରାଣ ଯାଇଛି। ଗଞ୍ଜାମ କବିସୂର୍ଯ୍ୟନଗର ଏ.ବରିଡା ଗାଁରେ ଜଣେ ଛାତ୍ରଙ୍କ ପାଇଁ କାଳ ହୋଇଛି ବଜ୍ରପାତ। ବଜ୍ରାଘାତରେ ସପ୍ତମ ଶ୍ରେଣୀ ଛାତ୍ର ଓମ୍ ପ୍ରକାଶ ପ୍ରଧାନଙ୍କ ପ୍ରାଣ ଯାଇଛି। ଢେଙ୍କାନାଳ କାମାକ୍ଷାନଗର କୁସୁମୁଣ୍ଡିଆ ଗାଁରେ ମଧ୍ୟ ବଜ୍ରପାତ ଯୋଗୁଁ ଜଣେ ମହିଳା ମୃତ ହୋଇଥିବା ଜଣାପଡିଛି।