Home General ଦାରା ମାମଲାରେ ସମୟ ନେଲେ ସରକାର

ଦାରା ମାମଲାରେ ସମୟ ନେଲେ ସରକାର

ଭୁବନେଶ୍ୱର : ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ ଷ୍ଟେନ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ଜୀଅନ୍ତା ପୋଡି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗରେ ପ୍ରାୟ ୨୫ବର୍ଷ ଧରି କାରାରୁଦ୍ଧ ଥିବା ଅପରାଧି ରବୀନ୍ଦ୍ର ପାଲ୍‍ ଓରଫ ଦାରା ସିଂ ମୁକ୍ତ ହେବାପାଇଁ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିବାପରେ ଏବେ ସୁପ୍ରିମ୍‍କୋର୍ଟର ଆଶ୍ରୟ ନେଇଛି । ତେବେ ପ୍ରାୟ ୧୦ମାସ ଧରି ଏହି ମାମଲା ଚାଲିଥିଲେ ମଧ୍ୟ ଦାରା ସିଂର ମୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ସମୟ ଗଡାଇ ଚାଲୁଥିବାରୁ କିଛି ନିଷ୍କର୍ସ ବାହାରି ପାରୁନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ୧୯୯୯ ଜାନୁଆରୀ ୨୧ତାରିଖ ରାତିରେ ଦାରା ଓ ତାହାର ସହଯୋଗୀମାନେ ଗ୍ରାହାମ ଷ୍ଟେନ ଓ ତାଙ୍କ ୧୦ବର୍ଷର ପୁଅ ଫିଲିପ୍‍ ସହିତ ଛଅ ବର୍ଷର ପୁଅ ତିମୋଥିଙ୍କୁ ଗାଡି ଭିତରେ ଜୀଅନ୍ତା ପୋଡି କେନ୍ଦୁଝର ଜିଲ୍ଲାର ମନୋହରପୁରରେ ହତ୍ୟା କରିଥିଲା । ଦାରା ଫେରାର ହୋଇଯାଇଥିବାବେଳେ ୨୦୦୦ ଜାନୁଆରୀରେ ଧରାପଡିଥିଲା । ତାହାର ଅନ୍ୟତମ ସହଯୋଗୀ ମନୋହରପୁରର ମହେନ୍ଦ୍ର ହେମ୍ବ୍ରମ ଓ ଆଉ ୧୩ଜଣ ପୂର୍ବରୁ ଗିରଫ ହୋଇଥିଲେ ।

ଏହି ମାମଲାରେ ଦାରାକୁ ଫାଶୀ ଦଣ୍ଡାଦେଶ ହୋଇଥିବାବେଳେ ଆଉ ୧୨ଜଣଙ୍କୁ ଭୁବନେଶ୍ୱରର ସିବିଆଇ କୋର୍ଟ ୨୦୦୩ ମସିହାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ତେବେ ହାଇକୋର୍ଟରୁ ୧୧ଜଣ ଅଭିଯୁକ୍ତ ଆଶ୍ୱସ୍ତି ପାଇଥିବାବେଳେ ମହେନ୍ଦ୍ର ହେମ୍ବ୍ରମଙ୍କ ଆଜୀବନ କାରାଦଣ୍ଡାଦେଶ ବଳବତ୍ତର ରହିଥିଲା ଏବଂ ୨୦୦୫ ମସିହାରେ ହାଇକୋର୍ଟ ଦାରା ସିଂଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡକୁ ବଦଳାଇଥିଲେ ।

ଇତି ମଧ୍ୟରେ କାରାଗାରରେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିଥିବା ଯୋଗୁଁ ଜେଲ୍‍ କର୍ତ୍ତୃପକ୍ଷଙ୍କ ସୁପାରିଶ୍‍ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟି ଶ୍ରୀ ହେମ୍ବ୍ରମଙ୍କୁ କାରାମୁକ୍ତ କରିବାପାଇଁ ଯେଉଁ ସୁପାରିଶ୍‍ କରିଥିଲେ ତାହା ଗତ ଏପ୍ରିଲ୍‍ ମାସରେ କାର୍ଯ୍ୟକାରୀ ହୋଇଛି । ତେବେ ଅନୁରୂପ ଭାବେ ତାକୁ ମୁକ୍ତି ଦେବାପାଇଁ ଦାରା ସିଂ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଏଯାବତ୍‍ କାରାମୁକ୍ତ ହୋଇନାହିଁ ।

ଦାରା ପକ୍ଷରୁ ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଯାଇଛି ଯେ ସେ ଯୁବକ ଥିବାବେଳେ ଏଭଳି ଅପରାଧରେ ସମ୍ପୃକ୍ତ ଥିଲା । ଇତି ମଧ୍ୟରେ ପ୍ରାୟ ୨୫ବର୍ଷ ଧରି କାରାକକ୍ଷରେ ସଢି ସଢି ସେ ବାର୍ଦ୍ଧକ୍ୟରେ ପହଞ୍ଚିଛି । କୃତ କର୍ମ ପାଇଁ ସେ ମଧ୍ୟ ଅନୁତପ୍ତ । ତାହାର ଉତ୍ତମ ବ୍ୟବହାର ପ୍ରଦର୍ଶନ ଓ ଜୀବନଶୈଳୀ ଆଧାରରେ ରାଜ୍ୟ ସରକାରଙ୍କ କମିଟି ଜେଲ୍‍ କର୍ତ୍ତୃପକ୍ଷଙ୍କ ଠାରୁ ରିପୋର୍ଟ ଆଣି ତାକୁ ମୁକ୍ତି ଦେବା ଆବଶ୍ୟକ । ଏହି ମାମଲାରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ବାରମ୍ବାର ସମୟ ନେଉଛନ୍ତି । ଏ ସଂକ୍ରାନ୍ତୀୟ କମିଟି ଓ ବୋର୍ଡ ମଧ୍ୟ ଏଯାବତ୍‍ ଚୂଡାନ୍ତ ନିଷ୍ପତ୍ତି ନେଇନାହିଁ ।

ସୁପ୍ରିମକୋର୍ଟ ଏହି ମାମଲାରେ ଉୟଭ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ବିଶେଷକରି ସିବିଆଇକୁ ଉତ୍ତର ରଖିବାପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦାରାର ଆବେଦନ ଉପରେ କମିଟି ଚୂଡାନ୍ତ ନିଷ୍ପତ୍ତି ନେବାଲାଗି ଅଧିକ ସମୟ ଆବଶ୍ୟକ ହେଉଥିବାରୁ ଓଡିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ବାରମ୍ବାର ଅଧିକ ସମୟ ନିଆଯାଉଛି । ଯେଉଁ ଆଧାରରେ ମହେନ୍ଦ୍ର ହେମ୍ବ୍ରମକୁ ମୁକ୍ତି ମିଳିଲା ସେହି ଆଧାରରେ ଦାରାକୁ ମୁକ୍ତି ମିଳିବ ବୋଲି ତାହାର ସମର୍ଥକମାନେ ଆଶା ରଖିଥିବାବେଳେ ରାଜ୍ୟସରକାରଙକକ୍ଷରୁ କିନ୍ତୁ ସ୍ରୁପିମ୍‍କୋର୍ଟରେ ସମୟ ଗଡା ଯାଉଛି । ତେବେ ଜଣେ ବିଦେଶୀ ନାଗରିକ ଓ ତାଙ୍କର ଦୁଇ ନିରୀହ ଶିଶୁପୁତ୍ରଙ୍କୁ ଜୀଅନ୍ତା ପୋଡି ମାରିଥିବା ହତ୍ୟାକାରୀକୁ ମୁକ୍ତିଦିଆଗଲେ ତାହାର କ’ଣ ପ୍ରତିକ୍ରିୟା ସୃଷ୍ଟିହେବ ସେ ପ୍ରସଙ୍ଗରେ ବିଭିନ୍ନ ମହଲ ଦୃଷ୍ଟି ରଖିଛନ୍ତି । (ତଥ୍ୟ)