Home Health ପାଚିଲା ଫଳରେ ରସାୟନିକ ବ୍ୟବହାର

ପାଚିଲା ଫଳରେ ରସାୟନିକ ବ୍ୟବହାର

ଭୁବନେଶ୍ୱର : ରାଜ୍ୟରେ ଏବେ ଫଳ ବ୍ୟବସାୟ ଜୋରସୋରରେ ଚାଲିଛି । ଫଳର ରାଜା ଆମ୍ବ ସହିତ ଲିଚୁ, ଅମୃତଭଣ୍ଡା, ସପୁରୀ, କଦଳୀ ଆଦି ଅଧିକ ସଂଖ୍ୟାରେ ବିକ୍ରି ହେଉଛି । ତେବେ ଅଧିକାଂଶ ଫଳକୁ ଶୀଘ୍ର ପଚାଇବାପାଇଁ ବ୍ୟବସାୟୀମାନେ ଏଥିରେ ନିଷିଦ୍ଧ ରସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି ।

ରାଜ୍ୟରେ ବିକ୍ରି ହେଉଥିବା ଫଳ ମଧ୍ୟରୁ ଆମ୍ବ ଓ କଦଳୀ ସାଧାରଣତଃ ରାଜ୍ୟ ବାହାରୁ ଆସୁଛି । ଏଥି ସହିତ ଲିଚୁ ବି ବିହାର ଭଳି ରାଜ୍ୟରୁ ଆସିବାରେ ଲାଗିଛି । ତେବେ ଓଡିଶାକୁ ଆସୁଥିବା ଆମ୍ବ ଓ କଦଳୀ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରୁ ଆସୁଥିବାବେଳେ ବ୍ୟବସାୟୀମାନେ କଞ୍ଚା ଆମ୍ବ ଓ କଦଳୀ ଆମଦାନୀ କରିଥାନ୍ତି । କାରଣ ଏତେ ଦୂରରୁ ପାଚିଲା ଫଳ ଆଣିଲେ ସେଗୁଡିକ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି ।

କଞ୍ଚା ଆମ୍ବ ଓ କଦଳୀକୁ ଆଣି ଏଠାରେ ପଚାଇବାପାଇଁ ବ୍ୟବସାୟୀମାନେ କାର୍ବାଇଟ୍‍ ସମେତ ରସାୟନିକ ସିଞ୍ଚନ ବ୍ୟବହାର କରୁଛନ୍ତି । କାର୍ବାଇଟ୍‍ ବ୍ୟବହାର ପାଇଁ ଆମ୍ବଗୁଡିକୁ ଗୋଟିଏ ସ୍ଥାନରେ ଗଦାକରିବା ସହିତ ଘୋଡାଇ ରଖାଯାଉଥିବାବେଳେ ରସୟାନିକ ସିଞ୍ଚନକୁ ସିଧାସଳ ଭାବେ କଦଳୀ ଓ ଆମ୍ବ ଉପରେ ସିଞ୍ଚନ କରାଯାଉଛି । ସଞ୍ଜରେ ରସାୟନିକ ସିଞ୍ଚନ ହେଉଥିବା ଏହି ଫଳ ସକାଳୁ ହଳଦୀ ଗୁରୁ ଗୁରୁ ଦିଶିବା ସହିତ ଗ୍ରାହକଙ୍କୁ ଆକର୍ଷିତ କରୁଛି ।

ଫଳ ପଚାଇବାପାଇଁ କାର୍ବାଇଟ୍‍ ସମେତ ରସାୟନିକ ସିଞ୍ଚନ ଅତ୍ୟନ୍ତ କ୍ଷତିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର ଚେତାଇ ଦେଉଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ବ୍ୟବସାୟୀମାନେ ଫଳ ପାଚିବା ପର୍ଯ୍ୟନ୍ତ ଅପେକ୍ଷା ନକରି ରସାୟନିକ ପଦାର୍ଥ ବ୍ୟବହାର କରୁଥିବାବେଳେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ବି ଏଥି ପ୍ରତି ଆଦୌ ନଜର ଦେଉନାହାନ୍ତି । ସେହିଭଳି ବଜାରକୁ ଆସୁଥିବା ଲିଚୁ ଅଧିକ ଲାଲ୍‍ ଦେଖାଯିବାପାଇଁ ସେଥିରେ ମଧ୍ୟ ରସାୟନିକ ପଦାର୍ଥ ବ୍ୟବହାର ହେଉଥିବା କୁହାଯାଉଛି ।

ଆଗକୁ ସାବିତ୍ରୀ ଓ ପରେ ପରେ ରଜ ପର୍ବ ଆସୁଥିବାରୁ ରାଜ୍ୟର ବ୍ୟବସାୟୀମାନେ ଅଧିକ ପରିମାଣରେ ଫଳ ରାଜ୍ୟ ବାହାରୁ ଆମଦାନୀ କରୁଛନ୍ତି । ସେହି ଅନୁଯାୟୀ ଏଥିରେ ଅଧିକ ପରିମାଣରେ ରସାୟନିକ ପଦାର୍ଥ ବ୍ୟବହାର ପାଇଁ ମଧ୍ୟ ଖରିଦ କରୁଛନ୍ତି । ଅନ୍ୟ ଫଳ ତୁଳନାରେ ଆମ୍ବ ଓ କଦଳୀରେ ବ୍ୟବହାର ହେଉଥିବା ରସାୟନିକ ପଦାର୍ଥ ସିଧାସଳଖ ଲୋକଙ୍କ ପେଟକୁ ଯାଉଛି । ଏହା କର୍କଟ ରୋଗର କାରଣ ହୋଇପାରେ ବୋଲି ଚିକିତ୍ସକମାନେ ମତ ଦେଉଥିବାବେଳେ ସ୍ୱାସ୍ଥ୍ୟସୁରକ୍ଷା ଅଧିକାରୀମାନେ କିନ୍ତୁ ଏଥିପ୍ରତି ଯେଭଳି ଗୁରୁତ୍ୱ ଦେବାକଥା ତାହା କରୁନାହାନ୍ତି ।

କେବଳ ଆମ୍ବ, କଦଳୀ କିମ୍ବା ଲିଚୁ ଭଳି ଫଳ ନୁହେଁ, ବର୍ତ୍ତମାନ ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପନି ପରିବାକୁ ତାଜା ରଖିବା ସହିତ ଆକର୍ଷଣୀୟ ଦିଶିବାପାଇଁ ରସାୟନିକ ପଦାର୍ଥ ଓ ରଙ୍ଗ ବ୍ୟବହାର କରୁଛନ୍ତି । ହାଟ ବଜାରରେ ସର୍ବ ସମ୍ମୁଖରେ ପୋଟଳ, କାଙ୍କଣ ଭଳି ପରିବାରେ ଏହା ବ୍ୟବହାର ହେଉଥିଲେ ମଧ୍ୟ କୌଣସି ଠାରେ ଏହାର ଧରପଗଡ ହେଉଥିବା ନଜରକୁ ଆସୁନାହିଁ । ତେଣୁ ବର୍ତ୍ତମାନ ରାଜ୍ୟରେ ଫଳ ବ୍ୟବସାୟ ଋତୁରେ ରସାୟନିକ ବୋଳା ଫଳ ଉପରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ତୀକ୍ଷ୍ଣ ନଜର ରଖିବାକୁ ମତପ୍ରକାଶ ପାଉଛି । (ତଥ୍ୟ)