ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗି ଆଜି ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗର (ଏସଇବିସି) ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ୧୧.୨୫% ଆସନ ସଂରକ୍ଷଣ ଲାଗୁ କରାଯିବ। ଏହି ନୀତି ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ରୁ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳନ କରାଯିବ।
ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ-ଶିକ୍ଷା ଓ ଆଇନ ପାଠ୍ୟକ୍ରମ ଅନୁଷ୍ଠାନ ଗୁଡିକରେ ଲାଗୁହେବ। ଏହା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚମାଧ୍ୟମିକ (+୨), ଶିକ୍ଷକ-ଶିକ୍ଷା ଓ ବୃତ୍ତିମୂଳକ ପାଠ୍ୟକ୍ରମ ଥିବା ଅନୁଷ୍ଠାନ ଗୁଡିକରେ ମଧ୍ୟ ଲାଗୁହେବ।
ଏହା ବ୍ୟତୀତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡା ଓ ଯୁବସେବା ବିଭାଗର ବ୍ୟାଚେଲର୍ ଅଫ୍ ଫିଜିକାଲଏଜୁକେସନ୍ ଓ ମାଷ୍ଟର ଅଫ ଫିଜିକାଲଏଜୁକେସନ ପାଠ୍ୟକ୍ରମରେ ମଧ୍ୟ ଲାଗୁ କରାଯିବ।
ଏହା ସହିତ ଏହି ଅନୁଷ୍ଠାନ ମାନଙ୍କରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି ୨୨.୫ ପ୍ରତିଶତ, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି ୧୬.୨୫ ପ୍ରତିଶତ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଲାଗି ୫ ପ୍ରତିଶତ ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧ ପ୍ରତିଶତ ଆସନ ସଂରକ୍ଷଣ ସମାନ ରୂପେ ପ୍ରଚଳନ କରାଯିବ।
ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗର (ଏସଇବିସି) ଛାତ୍ରଛାତ୍ରୀମାନଙ୍କର ଶିକ୍ଷା କ୍ଷେତ୍ରରେ ସାମାଜିକ ନ୍ୟାୟ ପାଇଁ ଯେଉଁ ଦୀର୍ଘଦିନର ଅପେକ୍ଷା ଥିଲା ତାହାର ଅନ୍ତ ହୋଇଛି।
ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ର ଦୃଷ୍ଟିକୋଣ ସହ ସମନ୍ବୟ ରକ୍ଷାକରି ଏହି ପଦକ୍ଷେପ ଅବହେଳିତ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାର ଉପଲବ୍ଧତା ବଢ଼ାଇବା, ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ସମନ୍ବିତ କରିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି । ଏହା ମାଧ୍ୟମରେ ମୋଟ ନାମଲେଖା ଅନୁପାତ ବୃଦ୍ଧି ପାଇବ ଓ ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଅଂଶଗ୍ରହଣକୁ ଅଧିକ ସୁଦୃଢ଼ କରାଯାଇ ପାରିବ।