ଭୁବନେଶ୍ୱର : ଭାରତ-ପାକିସ୍ତାନ ବିବାଦ ସମୟରେ ଜଳପଥ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବାବେଳେ ଓଡିଶାର ଉପକୂଳ ଥାନାଗୁଡିକରେ କିନ୍ତୁ କର୍ମଚାରୀ ମରୁଡି । ୧୮ଟି ସାମୁଦ୍ରିକ ଥାନା ପାଇଁ ୧୦୦୮ ଟି ବିଭିନ୍ନ ବର୍ଗର ମଞ୍ଜୁରୀପ୍ରାପ୍ତ ପୁଲିସ୍ କର୍ମଚାରୀ ଥିବାବେଳେ ଏହିସବୁ ପଦବୀରେ ଅଛନ୍ତି ମାତ୍ର ୩୧୨ ଜଣ ।
ରାଜ୍ୟର ୪୮୦ କିଲୋମିଟର ସମୁଦ୍ର ଉପକୂଳକୁ ଜଗିବାପାଇଁ ସରକାର ୧୮ଟି ସାମୁଦ୍ରିକ ଥାନା ପ୍ରତିଷ୍ଠା କରିଛନ୍ତି । ଏଗୁଡିକ ମଧ୍ୟର ବାଲେଶ୍ୱରରେ ୩ଟି ଥାନା ଥିବାବେଳେ ଭଦ୍ରକରେ ୪ଟି, କେନ୍ଦ୍ରାପଡାରେ ୩ଟି, ଜଗତ୍ସିଂହପୁରରେ ୩ଟି, ପୁରୀରେ ୪ଟି, ଗଞ୍ଜାମ ଓ ବ୍ରହ୍ମପୁରରେ ଗୋଟିଏ କରି ରହିଛି ।
ଏହିସବୁ ଥାନା ପାଇଁ ଥିବା ମୋଟ୍ ୧୦୦୮ ଟି ପଦବୀ ମଧ୍ୟରୁ ୧୮ଟି ଇନ୍ସପେକ୍ଟର ପାହ୍ୟାର ପଦବୀ ଥିବାବେଳେ ଏଥିରେ ୧୫ଜଣ ଇନ୍ସପେକ୍ଟର କାର୍ଯ୍ୟରତ ଅଛନ୍ତି । ବାଲେଶ୍ୱରର କଷାଫଳ,ଭଦ୍ରକର ଧାମରା ଓବ୍ରହ୍ମପୁରର ସୋନାପୁର ସାମୁଦ୍ରିକ ଥାନାରେ ଇନ୍ସପେକ୍ଟର ନାହାନ୍ତି । ସେହିଭଳି ୫୪ଟି ଏସଆଇ ପଦବୀରେ ୯ଜଣ ଥିବାବେଳେ ୫୪ଟି ଏଏସଆଇ ପଦବୀରେ ୨୬ଜଣ ଅଛନ୍ତି । ୧୪୪ଟି ହାବିଲଦାର ପଦବୀରେ ମାତ୍ର ୧୬ଜଣ କାର୍ଯ୍ୟ କରୁଥିବାବେଳେ ୪୩୨ କନେଷ୍ଟବଳ ପଦବୀରେ ୧୧୩ଜଣ ରହିଛନ୍ତି । ଏହିସବୁ ଥାନା ପାଇଁ ୩୬ଟି ଡ୍ରାଇଭର ପଦବୀ ଥିବାବେଳେ ସେଥିରେ ମାତ୍ର ୫ଜଣ କାର୍ଯ୍ୟରତ ଅଛନ୍ତି ।
ସେହିଭଳି ଥାନାଗୁଡିକ ପାଇଁ ୨୭୦ଟି ଗୃହରକ୍ଷୀ ପଦବୀ ଥିବାବେଳେ ଏଥିରେ ୧୨୮ଜଣ କାର୍ଯ୍ୟ କରୁଛନ୍ତି । ସାମୁଦ୍ରିକଥାନାରେ ଏଠାରେ ୨୮୦ଟି ବୈଷୟିକ ପଦ ପଦବୀ ରହିଛି । ହେଲେ ଏହିସବୁ ପଦବୀରେ କାର୍ଯ୍ୟରତ ଅଛନ୍ତି ମାତ୍ର ୯୦ ଜଣ ।
ସମୁଦ୍ରତଟର ସୁରକ୍ଷା ପାଇଁ ସରକାର ଏହିସବୁ ସାମୁଦ୍ରିକ ଥାନାକୁ ୧୮ଟି ଚାରିଚକିଆ, ୩୬ଟି ଦୁଇଚକିଆ ଯାନ ସମେତ ୧୨ଟନ୍ କ୍ଷମତା ବିଶିଷ୍ଟ ୧୦ଟି ବୋଟ୍ ଓ ୫ଟନ୍ କ୍ଷମତା ବିଶିଷ୍ଟ ୫ଟି ବୋଟ୍ ଯୋଗାଇଛନ୍ତି । ଏଥି ସହିତ ସାମୁଦ୍ରିକ ଥାନାଗୁଡିକୁ ନାଇଟ୍ ଭିଜନ ଡିଭାଇସ୍, ଡିଜିଟାଲ କ୍ୟାମେରା, ଏଲଇଡି ସର୍ଚ୍ଚ ଲାଇଟ୍, ଡିଜିଟାଲ ଫଟୋ କପିୟର, କମ୍ପାସ, ଭଏସ ରେକର୍ଡର, ଏଲଇଡି ଟର୍ଚ୍ଚ ଲାଇଟ୍, ବୋଟ୍ ପାଇଁ ଏଚଏମଏମ୍ ସହିତ ଦୂରବୀକ୍ଷଣ ଯନ୍ତ୍ର ଆଦି ଯୋଗାଇ ଦିଆଯାଇଛି ।
ତେବେ କର୍ମଚାରୀ ସଙ୍କଟ ଯୋଗୁଁ ତଟ ସୁରକ୍ଷା ପାଇଁ ଯେଭଳି ପଇଁତରା ମାରିବା ସହିତ ଅନ୍ୟାନ୍ୟ ପଦକ୍ଷେପ ନିଆଯିବା କଥା ତାହା ହୋଇପାରୁ ନାହିଁ । ଗାଡି ଓ ବୋଟ୍ ଚଳାଇବାକୁ ଚାଳକ ନଥିବାବେଳେ ଅନ୍ୟାନ୍ୟ ସାମଜ ସରଞ୍ଜାମ ବ୍ୟବହାର ବି ହୋଇପାରୁ ନାହିଁ । ତେଣୁ ଯେଉଁ ଉଦ୍ଦେଶ୍ୟ ନେଇ ଉପକୂଳଥାନା ଗଠନ ହୋଇଥିଲା ତାହା ଏବେ ଧିରେ ଧିରେ ଦୂରେଇ ଯାଉଛି ।
ବର୍ତ୍ତମାନ ଭାରତ-ପାକିସ୍ତାନ ବିବାଦ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତଟସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ହେଲେ ତଟ ସୁରକ୍ଷା ପାଇଁ ଥିବା ଥାନାରେ ପଦ ପଦବୀ ପୂରଣ ହେଉନଥିବାରୁ ଓଡିଶାର ଉପକୂଳ ଏକ ପ୍ରକାର ମୁକୁଳା ପଡିଛି । (ତଥ୍ୟ)