Home General ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ତୀକ୍ଷ୍ଣ ନଜର

ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ତୀକ୍ଷ୍ଣ ନଜର

ଭୁବନେଶ୍ୱର : ଭାରତ ଓ ପାକିସ୍ତାନ ଉଭୟ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ ମଧ୍ୟ ଓଡ଼ିଶାରେ ଥିବା ପ୍ରତିରକ୍ଷା ବିଭାଗର ବିଭିନ୍ନ ଅନୁଷ୍ଠାନ ଉପରେ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିରାପତ୍ତା ଦୃଷ୍ଟିରୁ ତୀକ୍ଷ୍ଣ ନଜର ରଖିଛନ୍ତି । କେବଳ ସେତିକି ନୁହେଁ, ସଂପୃକ୍ତ ଅଞ୍ଚଳର ସାଧାରଣ ଲୋକେ ବି ପ୍ରତିରକ୍ଷା ବାହିନୀର ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଯେଭଳି ନିରାପଦ ରହିପାରିବ ସେଥିଘେନି ମଧ୍ୟ ଚର୍ଚ୍ଚା କରୁଛନ୍ତି । ଏଥିରୁ ସାଧାରଣ ଲୋକଙ୍କର ଦେଶ ପ୍ରେମ ମନୋଭାବ ସ୍ପଷ୍ଟ ବାରି ହୋଇଯାଉଛି ।

ବଲାଙ୍ଗୀର ଜିଲ୍ଲାର ସଇଁତଳାରେ ରହିଛି ପ୍ରତିରକ୍ଷା ବିଭାଗର ଗୋଳାବାରୁଦ କାରଖାନା । ପ୍ରାୟ ୪୦ବର୍ଷ ଧରି ଏହି କାରଖାନା ଆମ ପ୍ରତିରକ୍ଷା ବାହିନୀକୁ ଭରପୁର ସହାୟତା ଯୋଗାଇ ଆସୁଛି । କଡ଼ା ନିରାପତ୍ତା ବଳୟ ମଧ୍ୟରେ ଥିବା ଏହି ପ୍ରତିଷ୍ଠାନର ସୁରକ୍ଷା ବ୍ୟବସ୍ଥାକୁ ଏବେ ଢେର ବଢ଼ାଇ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବ୍ୟତୀତ ରାଜ୍ୟ ପୋଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟ ଏହା ଉପରେ ସତର୍କ ନଜର ରଖିଛି ।

ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଠାରେ ରହିଛି ବହୁଚର୍ଚ୍ଚିତ କ୍ଷେପଣାସ୍ତ୍ର ପରୀକ୍ଷାଗାର । ଆମ ପ୍ରତିରକ୍ଷା ବ୍ୟବସ୍ଥାକୁ ସମୃଦ୍ଧ କରିବା କ୍ଷେତ୍ରରେ ପ୍ରାୟ ୭ ଦଶନ୍ଧି ଧରି ଏହି ସଂସ୍ଥାନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ତାହା ପାଖରେ ଥିବା ହ୍ୱିଲର ଦ୍ୱୀପ ବି ପ୍ରତିରକ୍ଷା ବ୍ୟବସ୍ଥାର ଏକ ଅଙ୍ଗ ଭାବେ କାମ କରିଆସୁଛି । ଚାନ୍ଦିପୁରରେ ଚାଲିଥିବା ବିଭିନ୍ନ ପରୀକ୍ଷା ନିରୀକ୍ଷା ଓ ଗବେଷଣା ଅନନ୍ୟ ବୋଲି କୁହାଯାଇଥାଏ ।

ସେହିଭଳି କଟକ ଜିଲ୍ଲାର ଚାରିବାଟିଆଠାରେ ବାୟୁ ସେନାର ଏକ ଘାଟି ମଧ୍ୟ ରହିଛି । ବ୍ରିଟିଶ ଶାସନ ସମୟରୁ ଚାରିବାଟିଆ ବିମାନ ବନ୍ଦର ବେଶ୍‍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇ ଆସୁଛି । ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ମୃତି ସହିତ ଚାରିବାଟିଆ ଜଡ଼ିତ ।

ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଳା ସୀମାନ୍ତରେ ଚିଲିକା ଉପକୂଳରେ ରହିଛି ନୌସେନାର ଏକ ତାଲିମ ପ୍ରତିଷ୍ଠାନ । ଏହା ମଧ୍ୟ ପ୍ରାୟ ୪୦ବର୍ଷ ଧରି ନୌସେନା ପାଇଁ ଅନେକ ଯୋଦ୍ଧା ସୃଷ୍ଟି କରିଛି । କେବଳ ସେତିକି ନୁହେଁ, ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ତାଲିମ ପ୍ରତିଷ୍ଠାନର ଯବାନମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବା ସହିତ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାର ଗୋପାଳପୁର ସମୁଦ୍ର ବେଳାଭୂମି ନିକଟରେ ଥିବା ଗୋଳାବନ୍ଧ ଠାରେ ପଦାତିକ ସେନାର ଏକ ସଶକ୍ତ ଘାଟି ରହିଛି । ଏଠାରେ ତାଲିମପ୍ରାପ୍ତ ଯବାନମାନେ ପ୍ରାୟ ୫୦ବର୍ଷ ଧରି ବିଭିନ୍ନ ଯୁଦ୍ଧରେ ସୁନାମ ଅର୍ଜନ କରିଛନ୍ତି । ଗୋଳାବନ୍ଧର ଏହି ଘାଟି ଭିତରେ ସାମାରିକ ବାହିନୀର ଏ.ଡି. କଲେଜ୍‍ ରହିଛି । ଶତ୍ରୁର ପ୍ରତିରୋଧ କରିବା ପାଇଁ ଏଠାରେ ସ୍ୱତନ୍ତ୍ର ତାଲିମ ଦିଆଯାଇଥାଏ ।

ଏହାଛଡ଼ା ରାଜ୍ୟର ଆଉ କେତେକ ସ୍ଥାନରେ ମଧ୍ୟ ପ୍ରତିରକ୍ଷା ବାହିନୀର ଛୋଟବଡ଼ ପ୍ରତିଷ୍ଠାନମାନ ରହିଛି । ଅତୀତରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ପ୍ରସଂଗରେ ଗୁଇନ୍ଦାଗିରି କରିଥିବା ଅଭିଯୋଗରେ କିଛି ବ୍ୟକ୍ତି ଧରାପଡିଥିଲେ । ତାହା ପରଠାରୁ ରାଜ୍ୟରେ ଥିବା ସମସ୍ତ ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ଦୃଷ୍ଟି ରଖିଛନ୍ତି । ସଂପ୍ରତି ପହେଲଗାମ୍‍ ଆତଙ୍କୀ ନରସଂହାର ପରେ ଭାରତ-ପାକ୍‍ ସୀମାରେ ଉତ୍ତେଜନା ପ୍ରକାଶ ପାଇବା ପରିପ୍ରେକ୍ଷୀରେ ଭାରତୀୟ ଯବାନମାନେ ଅଧିକ ସକ୍ରିୟ ହୋଇପଡିଛନ୍ତି । ଏ ପରିପ୍ରେକ୍ଷୀରେ ଓଡ଼ିଶାରେ ଥିବା କେନ୍ଦ୍ରୀୟ ତଟରକ୍ଷୀ ବାହିନୀର ଦାୟିତ୍ୱ ବଢ଼ିଯାଇଛି । ରାଜ୍ୟ ପୋଲିସ ମଧ୍ୟ ସମୁଦ୍ର ପଥର ଅନୁପ୍ରବେଶକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଛି । (ତଥ୍ୟ)