Home News in Odia ରାଜ୍ୟରେ କଡା ସୁରକ୍ଷା ପ୍ରସ୍ତୁତି

ରାଜ୍ୟରେ କଡା ସୁରକ୍ଷା ପ୍ରସ୍ତୁତି

ଭୁବନେଶ୍ୱର : ଆତଙ୍କବାଦୀଙ୍କ ଏନ୍ତୁଡ଼ିଶାଳ ପାଲଟିଥିବା ପାକିସ୍ତାନ ଭାରତ ବିପକ୍ଷରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିଥିôବା ବେଳେ ଏହାର ମୁକାବିଲା ପାଇଁ ଓଡ଼ିଶାରେ ବି ବିଭିନ୍ନ ସ୍ତରରେ ବ୍ୟାପକ ପ୍ରସ୍ତୁତି ହେଉଛି । ଏଥିଲାଗି ସାମରିକ, ଅର୍ଦ୍ଧସାମରିକ, ପୋଲିସ ଓ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାରର ସମ୍ଭାବ୍ୟ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡିଛି ।

ଓଡ଼ିଶାରେ ଥିବା ବିଭିନ୍ନ ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକର ନିରାପତ୍ତା ଲାଗି ବ୍ୟାପକ ବନ୍ଦୋବସ୍ତ ହୋଇଛି । ଏଥିରେ ଯେଭଳି ସାମାନ୍ୟତମ ନିରାପତ୍ତା ତ୍ରୁଟି ନରୁହେ ତାହାକୁ ଆଖି ଆଗରେ ରଖି ବଲାଙ୍ଗୀର ଠାରୁ ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଖୋର୍ଦ୍ଧା ଆଦି ଜିଲ୍ଲାରେ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅବଶ୍ୟ ସେନା ବାହିନୀର ଏହା ନିୟମିତ ପଦକ୍ଷେପ ବୋଲି କୁହାଯାଉଛି ।

ଓଡ଼ିଶାର ୪୮୦ କିମି ଦୈର୍ଘ୍ୟର ସାମୁଦ୍ରିକ ବେଳାଭୂମି ଥିବାରୁ ସାମୁଦ୍ରିକ ତଟର ସୁରକ୍ଷା ଲାଗି ସମୁଦ୍ର ଭିତରେ ଓ ଉପକୂଳର ସ୍ଥଳ ଭାଗରେ ପାଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । କେବଳ ସେତିକି ନୁହେଁ, ଅଣ ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକ ସମେତ ଜନବସତି ଅଞ୍ଚଳ ଯେଭଳି ନିରାପଦରେ ରହିପାରିବ ତାହା ଉପରେ ପ୍ରଶାସନ ଓ ପୋଲିସ ବିଶେଷ ଗୁରୁତ୍ୱାରୋପ କରୁଛନ୍ତି । ଇତିମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ମକ୍‍ଡ୍ରିଲ୍‍ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି ।

ରାଜ୍ୟରେ ଥିବା ବନ୍ଦର, ବିମାନ ବନ୍ଦର, ଜଳ ଭଣ୍ଡାର, କଳକାରଖାନା ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକର ନିରାପତ୍ତା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରାଯାଉଛି । ଏହାଛଡ଼ା ଧର୍ମାନୁଷ୍ଠାନ ଓ କୀର୍ତ୍ତିରାଜି ଥିବା ସ୍ଥାନଗୁଡ଼ିକରେ ଜନସମାଗମ ହେଉଥିବାରୁ ସେସବୁ ସ୍ଥାନରେ ବି ନିରାପତ୍ତା ବ୍ୟବସ୍ଥା ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି ହେଉଛି । ଜନସାଧାରଣ ଆତଙ୍କିତ ନହୋଇ ଦେଶ ମାତୃକାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଶୃଙ୍ଖଳା ଓ ସଂଯମ ରକ୍ଷା କରି ପୋଲିସ ଓ ପ୍ରଶାସନ କଳକୁ ସହଯୋଗ କରିବା ପାଇଁ ବି ବିଭିନ୍ନ ବୈଠକରେ ପରାମର୍ଶ ଦିଆଯାଉଛି ।

ସରକାରୀ ସଂସ୍ଥାର କ୍ଷେତ୍ର ଅଧିକାରୀମାନେ ଏ ଦିଗରେ ସଜାଗ ଦୃଷ୍ଟି ରଖୁଥିବାବେଳେ ପୋଲିସ ଓ ନିରାପତ୍ତା ରକ୍ଷୀମାନଙ୍କ ଦାୟିତ୍ୱ ବେଶ୍‍ ବଢ଼ିଯାଇଥିବା ଲକ୍ଷ୍ୟ କରାଯାଉଛି । ଏ ପରିପ୍ରେକ୍ଷୀରେ ପାଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ ବ୍ୟାପକ କରାଯାଉଛି । ଅନେକ ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ୱତନ୍ତ୍ର ବୈଠକ ଆୟୋଜନ କରି ପ୍ରଶାସନିକ ଅଧିକାରୀ ଓ ଅନ୍ୟମାନଙ୍କ ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରୁଛନ୍ତି ।

ରେଞ୍ଜ ଡିଆଇଜିମାନଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ଏସ୍‍ପିଙ୍କ ସ୍ତରରେ ବିଭିନ୍ନ ଅଞ୍ଚଳରେ ଘନଘନ ବୈଠକମାନ ବସୁଛି । ରାଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ସମେତ ଅନ୍ୟ ବିଭାଗଗୁଡ଼ିକ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି । ବିଶେଷକରି ଖାଦ୍ୟ ଶସ୍ୟ ପରିବହନ ସମେତ ଗମନାଗମନରେ ଯେଭଳି ସମସ୍ୟା ନଉପୁଜେ ଏବଂ ବେଆଇନ୍‍ ମହଜୁଦକାରୀ ଓ ଅପମିଶ୍ରଣକାରୀମାନଙ୍କୁ ଦମନ କରାଯାଏ ସେ ଦିଗରେ ବି ଉଚ୍ଚ ପ୍ରଶାସନିକ ସ୍ତରରେ ଆଲୋଚନା ହେଉଛି ।

ଉପୁଜିଥିବା ପରିସ୍ଥିତିକୁ ସହଜରେ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଯେଉଁ ମାର୍ଗ ନିର୍ଦ୍ଦେଶିକା ଦେଉଛନ୍ତି ସେ ସବୁକୁ ଉଭୟ ସହର ଓ ଗ୍ରାମାଞ୍ଚଳରେ ଠିକଣା ଭାବେ ପ୍ରତିପାଳନ ଲାଗି ଦଳମତ ନିର୍ବିଶେଷରେ ଲୋକ ପ୍ରତିନିଧିଙ୍କ ସମେତ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ମଧ୍ୟ ଏ ପରିପ୍ରେକ୍ଷୀରେ ଦାୟିତ୍ୱ ବଢ଼ିଯାଇଥିବା କୁହାଯାଉଛି । ସୀମାନ୍ତରେ ଉତ୍ତେଜନାମୂଳକ ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ଭିତରେ ଯେଭଳି ଆଇନ୍‍ଶୃଙ୍ଖଳା ପରିସ୍ଥିତି ନଉପୁଜେ ସେ ଦିଗରେ ବି ଦୃଷ୍ଟି ରଖାଯାଇଛି । (ତଥ୍ୟ)