ଭୁବନେଶ୍ୱର : ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ରାଜ୍ୟସ୍ତରୀୟ ସାଂଗଠନିକ କର୍ମକର୍ତ୍ତାମାନଙ୍କ ପୂର୍ଣ୍ଣାଙ୍ଗ ତାଲିକା ଘୋଷଣା କରିପାରୁ ନାହାନ୍ତି । ଏଥିଯୋଗୁ ଆଶାୟୀମାନଙ୍କ ଧୈର୍ଯ୍ୟବନ୍ଧ ଭାଙ୍ଗୁଥିବାବେଳେ କ୍ଷେତ୍ରସ୍ଥଳରେ ରାଜନୈତିକ ସଂଗଠନମାନ ନିଷ୍କ୍ରିୟ ହୋଇ ପଡୁଛନ୍ତି ।
ବହୁ ବିଚାର ବିମର୍ଷ ପରେ ପୁଣିଥରେ ନବୀନ ପଟ୍ଟନାୟକ ଗତ ଏପ୍ରିଲ ୧୯ ତାରିଖରୁ ଦଳର ସଭାପତି ଭାବେ ପୁନଃ ଅବସ୍ଥାପିତ ହୋଇଛନ୍ତି । ୧୯୯୭ ମସିହାରେ ବିଜେଡି ଗଢ଼ାଯିବା ବେଳ ଠାରୁ ଏଯାବତ ନବୀନ ଦଳର ସଭାପତି ରହିଆସିଛନ୍ତି । ଇତିମଧ୍ୟରେ ଦଳର କେତେକ ଛାମୁଆ ସଂଗଠନ ଓ ରାଜ୍ୟ ଶାଖା କର୍ମକର୍ତ୍ତାଙ୍କ ନାମ ବିଜେଡି ଘୋଷଣା କରିଛି । ତେବେ କେତେକ ଜିଲ୍ଳରେ ମଧ୍ୟ ଏଯାବତ୍ ବିଜେଡି ଜିଲ୍ଳା ସଭାପତି ନିଯୁକ୍ତ କରିପାରିନାହିଁ । ଏହାଛଡ଼ା ଜିଲ୍ଲା ଓ ବ୍ଲକ ସ୍ତରର ଦଳୀୟ କର୍ମକର୍ତ୍ତା ମଧ୍ୟ ନିଯୁକ୍ତି ପାଇପାରୁ ନାହାନ୍ତି । ଏ ପରିପ୍ରେକ୍ଷୀରେ ବିରୋଧୀ ଦଳ ହିସାବରେ ବିଜେଡି ତୃଣମୂଳ ସ୍ତରରେ ଯେଭଳି ଭୂମିକା ନିଭାଇବା କଥା ତାହା କରିପାରୁ ନାହିଁ ।
ସାଧାରଣ ନିର୍ବାଚନ ସରିବାର ୬ମାସ ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସର କେହି ସଭାପତି ନଥିଲେ । କେବଳ ସେତିକି ନୁହେଁ, ପ୍ରଦେଶ, ଜିଲ୍ଲା ଓ ବ୍ଲକ ସ୍ତରରେ ବି ସାଂଗଠନିକ ଦାୟିତ୍ୱ ସମ୍ଭାଳିବା ପାଇଁ ସେବେଠାରୁ କାର୍ଯ୍ୟକର୍ତ୍ତା ନିଯୁକ୍ତି ହୋଇନାହାନ୍ତି । ବହୁ ବିଳମ୍ବରେ ନିଖିଳ ଭାରତ କଂଗ୍ରେସ କମିଟି ଭକ୍ତଚରଣ ଦାସଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ଭାବେ ମନୋନୀତ କରିଛି । ତେବେ ପ୍ରଦେଶ କଂଗ୍ରେସର ଅନ୍ୟ କାର୍ଯ୍ୟକର୍ତ୍ତା ଏବଂ ଛାମୁଆ ସଂଗଠନଗୁଡ଼ିକର ମୁଖିଆମାନଙ୍କୁ କିନ୍ତୁ ନିଯୁକ୍ତି ଦିଆଯାଇପାରୁ ନାହିଁ । ଏ ପରିପ୍ରେକ୍ଷୀରେ କଂଗ୍ରେସର ଜିଲ୍ଲା ଓ ବ୍ଲକ ସ୍ତରରେ ମଧ୍ୟ କେହି କର୍ମକର୍ତ୍ତା ନାହାନ୍ତି । କେବେ ସୁଦ୍ଧା କର୍ମକର୍ତ୍ତା ନିଯୁକ୍ତି କରି ସଂଗଠନକୁ ସକ୍ରିୟ କରାଯିବ, ସେ ସଂକ୍ରାନ୍ତରେ କେହି କିଛି କହିପାରୁ ନାହାନ୍ତି । ସବୁ ଦିଲ୍ଲୀ ଉପରେ ନିର୍ଭର କରୁଛି ।
ସେହିଭଳି ଗତ ସାଧାରଣ ନିର୍ବାଚନ ପୂର୍ବରୁ ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନ ସାମଲଙ୍କୁ ବିଜେପି ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲା । ଇତିମଧ୍ୟରେ ଦଳର ସଦସ୍ୟ ସଂଗ୍ରହ ଅଭିଯାନ ସହିତ କେତେକ ଜିଲ୍ଲା ସଂଗଠନର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ତେବେ ମନମୋହନ ପୁଣି ବିଜେପିର ରାଜ୍ୟଶାଖା ସଭାପତି ରହିବେ କିମ୍ବା ତାଙ୍କ ସ୍ଥାନରେ ଆଉ କାହାକୁ ରଖାଯିବ ସେ ସଂକ୍ରାନ୍ତରେ ପଦ୍ମ ଘୁଞ୍ôଚ ଘୁଞ୍ôଚ ଚାଲିଛି । କାର୍ଯ୍ୟକର୍ତ୍ତା ଚୟନର ଚୂଡ଼ାନ୍ତ ନିଷ୍ପତ୍ତି ଦିଲ୍ଲୀ ଉପରେ ନିର୍ଭର କରେ ବୋଲି କୁହାଯାଉଛି ।
ରାଜ୍ୟରେ ବିଜେପି ସରକାର ଗଠିତ ହେବା ପରେ ଦଳର ବହୁ ନେତା ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରର ପଦପଦବୀରେ ରହିବାକୁ ଆଶାୟୀ । ଏହାଛଡ଼ା ଖାଲି ପଡିଥିବା ନିଗମ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥା ଏବଂ ୬ଟି ଯାକ ମନ୍ତ୍ରୀ ପଦବୀରେ ଆସୀନ ହେବା ପାଇଁ ବିଜେପିର ବହୁ ନେତା ପ୍ରାୟ ୧୧ମାସ ଧରି ଅପେକ୍ଷା କରି ରହିଲେଣି । ବିଶେଷକରି ଅନ୍ୟ ଦଳରୁ ଆସି ବିଜେପି ଟିକେଟ୍ରେ ବିଧାୟକ ହୋଇଥିବା ଜଣେ ହେଲେ କୌଣସି ନେତାଙ୍କୁ ମନ୍ତ୍ରିମଣ୍ଡଳରେ ରଖାଯାଇନଥିବା ଏବଂ ରାଜ୍ୟ ସରକାରରେ ଜଣେ ମାତ୍ର ମହିଳା ଉପ ମୁଖ୍ୟମନ୍ତ୍ରୀ ଥିବା ଦୃଷ୍ଟିରୁ ଆଗାମୀ ମନ୍ତ୍ରିମଣ୍ଡଳ ସଂପ୍ରାସାରଣ ମଧ୍ୟ ବିଶେଷ ଗୁରୁତ୍ୱ ରଖୁଛି । ବିଜୁ ଜନତା ଦଳ ତାହାର କାର୍ଯ୍ୟକର୍ତ୍ତାମାନଙ୍କ ନାମ ଘୋଷଣା କରିସାରିଥିବା ପରିପ୍ରେକ୍ଷୀରେ ବିଜେପି ଓ କଂଗ୍ରେସ ଏହା କେବେ ଘୋଷଣା କରିବେ ଓ କିଏ କେଉଁ ପଦବୀ ହାତେଇବେ ସେଥିଘେନି ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି । (ତଥ୍ୟ)