ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଧାମ ପୁରୀରେ ଥିବା ଶ୍ରୀମନ୍ଦିର ପ୍ରସଂଗରେ ବାରମ୍ବାର କମିଟି ଓ କମିଶନମାନ ବସାଯିବା ସହିତ ବିଭିନ୍ନ ଅଭିଯୋଗ ଓ ବିଭ୍ରାଟ ପ୍ରଶ୍ନର ତଦନ୍ତ ଲାଗି ଅନେକ ଆଦେଶନାମା ଗତ ୫୦ବର୍ଷ ମଧ୍ୟରେ ଜାରି ହେଲାଣି । ତେବେ ଏ ସମସ୍ତ ତଦନ୍ତର ରିପୋର୍ଟ ଏବଂ ଫଳାଫଳ କ’ଣ ହେଉଛି ସେ ସଂକ୍ରାନ୍ତରେ କିନ୍ତୁ ଶ୍ରୀଜଗନ୍ନାଥ ପ୍ରେମୀମାନେ ଜାଣିବାର ଅବକାଶ ନାହିଁ ।
ସରକାରୀ ତଥ୍ୟ ମୁତାବକ ଭଗବତ ଦୟାଲ ଶର୍ମା ଓଡ଼ିଶାର ରାଜ୍ୟପାଳ ଥିବାବେଳେ ଶ୍ରୀମନ୍ଦିରରେ ସଂସ୍କାର ଲାଗି ୭୦ ଦଶକରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଏକ କମିଟି ଗଢ଼ାଯାଇଥିଲା । ଏହି କମିଟିରେ ଗଜପତି ମହାରାଜା, ଡ. ହରେକୃଷ୍ଣ ମହତାବ, ଡ. ରାଧାନାଥ ରଥ, ଜଷ୍ଟିସ୍ ହରିହର ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସଦସ୍ୟ ଥିଲେ । ଏହି କମିଟି ରାଜ୍ୟ ସରକାରଙ୍କୁ ଦେଇଥିବା ତଥ୍ୟ ସମ୍ବଳିତ ରିପୋର୍ଟ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେ ସଂକ୍ରାନ୍ତରେ କାହା ପାଖରେ କିଛି ତଥ୍ୟ ନାହିଁ । ସେହିପରି ୧୯୭୮ର ନବକଳେବର ବିଭ୍ରାଟର ତଦନ୍ତ ପାଇଁ ବସାଯାଇଥିବା ଜଷ୍ଟିସ ବି.କେ. ପାତ୍ର କମିଶନଙ୍କ ରିପୋର୍ଟର ଅବସ୍ଥା ।
ନାଗାର୍ଜୁନ ବେଶ ଅବସରରେ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିବା ଦଳାଚକଟା ଜନିତ ଦୁର୍ଘଟଣାର ତଦନ୍ତ ଓ ତାହାର ପ୍ରତିକାର ନିମନ୍ତେ ସୁପାରିସ ପାଇଁ ୧୯୯୩ ମସିହାରେ ଜଷ୍ଟିସ୍ ଜୀବନ ମୋହନ ମହାପାତ୍ର କମିଶନ ବସାଯାଇଥିଲା । ଏହି କମିଶନ ୧୯୯୫ ମସିହାରେ ତାଙ୍କ ରିପୋର୍ଟ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଘେନି ଗଣମାଧ୍ୟମରେ ସଚ୍ଚିତ୍ର ବିବରଣୀ ପ୍ରକାଶ ପାଇଥିଲା । କିନ୍ତୁ ଜଷ୍ଟିସ ମହାପାତ୍ର କମିଶନଙ୍କ ସୁପାରିସ ଉପରେ କାର୍ଯ୍ୟାନୁଷ୍ଠାନ ହେବା ତ ଦୂରର କଥା, ଏହି ରିପୋର୍ଟ ସରକାରଙ୍କ ପାଖରେ କୁଆଡ଼େ ହଜିଗଲା ।
୨୦୦୬ ନଭେମ୍ବର ୪ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିରରେ ଅନ୍ୟ ଏକ ଦଳାଚକଟା ଦୁର୍ଘଟଣା ଘଟିବାରୁ ଜଷ୍ଟିସ୍ ପିକେ ମହାନ୍ତି କମିଶନ ବସାଯାଇଥିଲା । ଜଷ୍ଟିସ ମହାପାତ୍ର କମିଶନ ରିପୋର୍ଟ କିଭଳି ହଜିଲା ସେ ସଂକ୍ରାନ୍ତରେ ବି ତଦନ୍ତ କରିବାକୁ ଜଷ୍ଟିସ ମହାନ୍ତି କମିଶନଙ୍କୁ ଦାୟିତ୍ୱ ଦିଆଯାଇଥିଲା ।
୨୦୧୫ର ନବକଳେବର ସମୟରେ ଘଟିଥିବା ବିଭିନ୍ନ ବିଭ୍ରାଟ ପ୍ରସଂଗରେ ତଦନ୍ତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସରକାର ଦାୟିତ୍ୱ ଦେଇଥିଲେ । ସେ ବି ତଦନ୍ତ କରି ୨୦୧୮ ମସିହାରେ ତାଙ୍କ ରିପୋର୍ଟ ଦେଇଥିଲେ । କିନ୍ତୁ ଏହି ରିପୋର୍ଟ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ଏବେ ବି ଅନ୍ଧାର ଘେରରେ ଅଛି ।
୨୦୧୬ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ସଂସ୍କାର ଗଢ଼ିଲେ ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ । ଏହି କମିଶନ ଦୁଇଟି ମଧ୍ୟବର୍ତ୍ତୀକାଳନୀ ରିପୋର୍ଟ ଦେଇଥିବାବେଳେ ଚୂଡ଼ାନ୍ତ ରିପୋର୍ଟ ଦେବା ପୂର୍ବରୁ କମିଶନକୁ ଅଚଳ କରିଦିଆଗଲା । ସେହିଭଳି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ୧୭ଜଣିଆ ପ୍ରତିନିଧି ଦଳ ଯାଇଥିବା ବେଳେ ଚାବି ନମିଳିବାରୁ ଭଣ୍ଡାର ଘର ଯାଞ୍ଚ ହୋଇପାରିନଥିଲା । ରତ୍ନ ଭଣ୍ଡାରର ଚାବି କେମିତି ହଜିଲା ଓ ତାହାକୁ ଖୋଜି କାଢ଼ିବା ପାଇଁ ରାଜ୍ୟ ସରକାର ୨୦୧୮ରେ ଜଷ୍ଟିସ୍ ରଘୁବୀର ଦାସ କମିଶନ ବସାଇଥିଲେ । ଏହି କମିଶନ ତାଙ୍କ ରିପୋର୍ଟ ଦେଇସାରିଥିଲେ ମଧ୍ୟ ତାହାକୁ ସାର୍ବଜନୀନ କରାଯାଉ ନାହିଁ କିମ୍ବା ବିଧାନସଭାରେ ବି ଉପସ୍ଥାପିତ ହେଉନାହିଁ । ଏହି ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ହାଇକୋର୍ଟରେ ମାମଲା ଚାଲିଥିବା ବେଳେ ସରକାର ସମୟ ଗଡ଼ାଇ ଚାଲିଛନ୍ତି ।
ଏବେ ପଶ୍ଚିମବଙ୍ଗ ସରକାର ଦିଘାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ବିଭିନ୍ନ ପ୍ରସଂଗରେ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିରର ୬୦ ହଜାର ଏକରରୁ ଅଧିକ ଭୂସଂପତ୍ତି ଥିବାବେଳେ ସେଥିରୁ ଅଧିକାଂଶ ଜବରଦଖଲକାରୀଙ୍କ କବ୍ଜାରେ । ଏହାର ଉଦ୍ଧାର ପାଇଁ କିନ୍ତୁ କମିଶନ କି କମିଟି ବସୁନାହିଁ ।
ଶ୍ରୀଜଗନ୍ନାଥଙ୍କ ସହିତ ଓଡ଼ିଆ ଜାତିର ଭାବାବେଗ ଜଡ଼ିତ ଥିବାରୁ ବିଭିନ୍ନ ବିଭ୍ରାଟ ପ୍ରସଂଗରେ କମିଶନ ଓ କମିଟି ବସାଇ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ ହେଉଛି । ଅଥଚ ବିଭ୍ରାଟର ନିରାକରଣ ସହିତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ କମିଶନ ଓ କମିଟି ସବୁ ଯେତେ ରିପୋର୍ଟ ଦେଉଛନ୍ତି ତାହା ଉପରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଏହାର ବିଷୟବସ୍ତୁକୁ ମଧ୍ୟ ସାର୍ବଜନୀନ କରାଯାଉ ନାହିଁ । (ତଥ୍ୟ)