ଭୁବନେଶ୍ୱର : ଦୀର୍ଘବର୍ଷର ଦାବି ପରେ ୨୦୧୧ ମସିହାରେ ‘ଓରିଶା’ର ନାମ ‘ଓଡ଼ିଶା’କୁ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପରିବର୍ତ୍ତିତ ହୋଇଥିଲେ ମଧ୍ୟ ଏଯାବତ୍ କଟକରେ ଥିବା ଓଡ଼ିଶା ହାଇକୋର୍ଟର ନାମ କିନ୍ତୁ ପୂର୍ବଭଳି ଓରିଶା ରହିଛି । ହାଇକୋର୍ଟଙ୍କ ସହ ଆଲୋଚନା କରି ରାଜ୍ୟ ସରକାର ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସହ ଯୋଗଯୋଗ କରିବାକୁ ମତ ପ୍ରକାଶ ପାଉଛି ।
୧୯୩୬ ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ବ୍ରିଟିଶ ସରକାର ଆମ ରାଜ୍ୟକୁ ବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ମାଡ୍ରାସ ପ୍ରେସିଡେନ୍ସିରେ ବାଣ୍ଟି ରଖିଥିଲେ । ସେତେବେଳେ ବି ବିହାର-ଓରିଶା ବୋଲି କୁହାଯାଉଥିଲା । ସ୍ୱତନ୍ତ୍ର ପ୍ରଦେଶ ଗଠନ ବେଳେ ଆମ ରାଜ୍ୟରେ ନାମ ଇଂରାଜୀରେ ଓରିଶା ଓ ଓଡ଼ିଆ ଭାଷାକୁ ଓରିଆ ବୋଲି ସରକାରୀ ଦସ୍ତାବିଜରେ ଦର୍ଶାଯାଇଥିଲା । ପରବର୍ତ୍ତୀ ସମୟରେ ଓଡ଼ିଶାରେ ହାଇକୋର୍ଟ ସ୍ଥାପନ ହେବା ପରେ ଏହାର ନାମ ବି ଇଂରାଜୀରେ ହାଇକୋର୍ଟ ଅଫ୍ ଓରିଶା ବୋଲି ଉଲ୍ଲେଖ କରାଯାଇଥିଲା ।
ଦୀର୍ଘବର୍ଷର ଲଗାତାର ଦାବି ପରେ ୨୦୦୮ର ଓଡ଼ିଶା ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରାଯାଇ ଆମ ରାଜ୍ୟର ନାମ ଇଂରାଜୀରେ ଓରିଶା ପରିବର୍ତ୍ତେ ଓଡ଼ିଶା ଓ ଭାଷାର ନାମ ଓରିଆ ପରିବର୍ତ୍ତେ ଓଡ଼ିଆ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଏ ସଂକ୍ରାନ୍ତରେ ରାଜ୍ୟ ସରକାର କେନ୍ଦ୍ରକୁ ଅବହିତ କରାଇଥିଲେ । ୨୦୧୦ ମସିହାରେ ବିଧିବଦ୍ଧ ଭାବେ ସଂସଦରେ ଏହି ପ୍ରସ୍ତାବ ଆସିଥିଲା । ୨୦୧୧ ମାର୍ଚ୍ଚ ମାସରେ ରାଜ୍ୟସଭା ଲୋକସଭାରେ ପାରିତ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେବା ପରେ ରାଷ୍ଟ୍ରପତି ଏହି ସଂଶୋଧନ ବିଲ୍କୁ ସ୍ୱୀକୃତି ଦେଇଥିଲେ । ଫଳରେ ୨୦୧୧ ନଭେମ୍ବର ପହିଲାରୁ ସାମ୍ବିଧାନିକ ବିଧିବ୍ୟବସ୍ଥା ମୁତାବକ ଓରିଶା ନାମ ବଦଳି ଓଡ଼ିଶା ଏବଂ ଓରିଆ ନାମ ବଦଳି ଓଡ଼ିଆ ହୋଇଥିଲା । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ବିଧିବଦ୍ଧ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିବା ପରେ ଓଡ଼ିଶା ସରକାର ମଧ୍ୟ ବିଜ୍ଞପ୍ତି ଜାରି କରିଥିଲେ । ସେବେଠାରୁ ରାଜ୍ୟ ସରକାରଙ୍କ ସମସ୍ତ ଦପ୍ତର ଓରିଶା ପରିବର୍ତ୍ତେ ଓଡ଼ିଶା ବ୍ୟବହାର କରିଆସୁଛନ୍ତି । ଏମିତିକି ମୋଟରଗାଡ଼ି ରେଜିଷ୍ଟ୍ରେସନ୍ ପାଇଁ ଥିବା ଓଆର ପରିବର୍ତ୍ତେ ଓଡି ବ୍ୟବହୃତ ହେଉଛି ।
ତେବେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ଆଧାରରେ ହାଇକୋର୍ଟ ଅଫ୍ ଓରିଶାର ନାମ କିନ୍ତୁ ଓଡ଼ିଶାକୁ ବଦଳି ପାରିବ ନାହିଁ । ଏଥିପାଇଁ ଥିବା ସାମ୍ବିଧାନିକ ବ୍ୟବସ୍ଥା ମୁତାବକ ହାଇକୋର୍ଟଙ୍କ ସହ ଆଲୋଚନା କରି ରାଜ୍ୟ ସରକାର କେନ୍ଦ୍ରକୁ ବିଧିବଦ୍ଧ ପ୍ରସ୍ତାବ ପଠାଇବା କଥା ଏବଂ ତାହା ଉପରେ ସୁପ୍ରିମକୋର୍ଟଙ୍କ ଅନୁମୋଦନ ମିଳିବା ପରେ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କଲେ ଯାଇ ଆମ ହାଇକୋର୍ଟର ନାମରୁ ଓରିଶା ସଂଶୋଧିତ ହୋଇ ଓଡ଼ିଶା ହୋଇପାରିବ ବୋଲି ଆଇନ୍ଜୀବୀମାନେ କହୁଛନ୍ତି ।
୨୦୧୧ରୁ ଏଯାବତ୍ କିନ୍ତୁ ହାଇକୋର୍ଟଙ୍କ ନାମ ପରିବର୍ତ୍ତନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇପାରି ନାହିଁ । ତେଣୁ ଆମ ରାଜ୍ୟ ହାଇକୋର୍ଟଙ୍କ ନାମ ଫଳକ ଠାରୁ ଆରମ୍ଭ କରି ବିଚାରପତିମାନଙ୍କ ରାୟ ଓ ନିର୍ଦ୍ଦେଶ ଆଦିରେ ହାଇକୋର୍ଟ ଅଫ୍ ଓରିଶା ବୋଲି ଉଲ୍ଲେଖ ରହୁଛି । ହାଇକୋର୍ଟରେ ଯେତେ ମାମଲା ରୁଜୁ ହେଉଛି ସେଥିରେ ବି ସରକାରୀ ଓ ବେସରକାରୀ ପକ୍ଷ ଓରିଶା ଲେଖିବାକୁ ବାଧ୍ୟ ହେଉଛନ୍ତି । ଏମିତିକି ଆମ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତିମାନଙ୍କ ନିଯୁକ୍ତି ପତ୍ରରେ ବି ଓରିଶା ଶବ୍ଦ ବ୍ୟବହୃତ ହେଉଛି । କେବଳ ସେତିକି ନୁହେଁ, ଆମ ହାଇକୋର୍ଟର ଯେଉଁ ରାୟ ସବୁ ବିଭିନ୍ନ ଆଇନ୍ ପତ୍ରିକାରେ ପ୍ରକାଶ ପାଉଛି ସେଥିରେ ବି ହାଇକୋର୍ଟ ଅଫ୍ ଓରିଶା ଲେଖାଯାଉଛି । ହାଇକୋର୍ଟରୁ ବିଭିନ୍ନ ଜିଲ୍ଲା ଓ ନିମ୍ନ ଅଦାଲତଗୁଡ଼ିକୁ ଯେଉଁସବୁ ପତ୍ରାଳାପ ହେଉଛି ସେଥିରେ ବି ଓରିଶା ଲେଖା ହେଉଛି । ଏ ପରିପ୍ରେକ୍ଷୀରେ ନ୍ୟାୟପାଳିକା ସହ କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକା ଆଲୋଚନା କରି ସହମତି ଭିତ୍ତିରେ ତୁରନ୍ତ ହାଇକୋର୍ଟଙ୍କ ନାମ ଓରିଶାରୁ ଓଡ଼ିଶାକୁ ବଦଳାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)