Home General କାମରେ ଆସୁନି ପାଣି ମିଟର

କାମରେ ଆସୁନି ପାଣି ମିଟର

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ପାନୀୟଜଳ ଯୋଗାଣ ବ୍ୟବସ୍ଥାକୁ ସ୍ମାର୍ଟ କରିବାପାଇଁ ଲଗାଯାଇଥିବା ସ୍ମାର୍ଟ ପାଣିମିଟର କାମରେ ଆସୁନି । ପାଣି ମିଟରର ରିଡିଂ ନେବାକୁ କେହି ଆସୁନଥିବାବେଳେ କେତେକ ସ୍ଥାନରେ ଏହା ଚୋରିହୋଇ ଗଲାଣି ।

ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ପ୍ରାୟ ୭୦ଲକ୍ଷ ଲୋକଙ୍କୁ ସ୍ୱଚ୍ଛ ପାନୀୟଜଳ ଯୋଗାଣ ପାଇଁ ରାଜ୍ୟ ସରକାର ବସୁଧା, ଅମୃତ ୨.୦ ଏବଂ ୨୪ଘଣ୍ଟିଆ ଜଳଯୋଗାଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ୧୧୫ଟି ପୌରସଂସ୍ଥା ମଧ୍ୟରୁ ୧୧ଟି ପୌରାଞ୍ଚଳରେ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ୍‍ ଯୋଜନା କାର୍ଯ୍ୟକାରୀ ହେଉଛି । ଅର୍ଥାତ୍‍ ଲୋକେ ସିଧାସଳଖ ଟ୍ୟାପରୁ ପାଣି ନେଇ ପିଇପାରିବେ । ଏହି ଜଳ ଆକ୍ୱାଗାର୍ଡ ମାନର ବୋଲି କୁହାଯାଉଛି । ତେବେ ୧୧୪ଟି ପୌରସଂସ୍ଥାରେ ଶତ ପ୍ରତିଶତ ଲୋକଙ୍କୁ ପାନୀୟଜଳ ଯୋଗାଇ ଦିଆଯାଉଛି ।

ତେବେ ରାଜଧାନୀରେ ପାନୀୟଜଳ ଯୋଗାଣ ଉପରେ ନଜର ରଖିବାପାଇଁ ହିତାଧିକାରୀଙ୍କ ଘରେ କର୍ତ୍ତୃପକ୍ଷ ପାଣି ମିଟର ଲଗାଇଥିଲେ । ପ୍ରତିମାସରେ ଏହାର ଜଳ ବ୍ୟବହାରର ହିସାବ କରାଯିବା ସହିତ ସେହି ଅନୁଯାୟୀ ଅର୍ଥ ଆଦାୟର ବ୍ୟବସ୍ଥା ହୋଇଥିଲା । ଏଥି ସହିତ ଲୋକେ କେଉଁ ମାନର ଜଳ ପାଉଛନ୍ତି ତାହାର ମାନ ପରୀକ୍ଷାପାଇଁ ମଧ୍ୟ ତାଲିମ ଦିଆଯାଇଥିଲା । ଏହିସବୁ କାର୍ଯ୍ୟପାଇଁ ଜଳ ସାଥୀମାନେ ନିଯୁକ୍ତ ହୋଇଥିଲେ । ସହରାଞ୍ଚଳର ସ୍ୱୟଂ ସହାୟିକା ଗୋଷ୍ଠି ଓ କିନ୍ନରମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା ।

ତେବେ ଇତି ମଧ୍ୟରେ ଜଳସାଥୀମାନେ କାମରୁ ଅନ୍ତର ହୋଇଛନ୍ତି । ଫଳରେ ପାଣି ମିଟରର ହିସାବ ନେବାକୁ କେହି ଆସୁନାହାନ୍ତି କି ପାଣି ପରୀକ୍ଷା ବି ହେଉନାହିଁ । ଜଳକର ଆଦାୟ ପାଇଁ ବିଭିନ୍ନ ବ୍ୟାଙ୍କ୍‍ ସହିତ ରାଜିନାମା କରି ଯେଉଁ ପୋସ୍‍ ମେସିନ୍‍ଗୁଡିକ ଆଣି ଯୋଗାଇଥିଲେ ତାହାର ସ୍ଥିତି ଏବେ କ’ଣ ତାହାର ସଠିକ୍‍ ସୂଚନା ମିଳୁନାହିଁ ।

ତେବେ ବହୁ ସ୍ଥାନରେ ପାଣି ମିଟରକୁ ଚୋର ଓ ନିଶାଡିମାନେ ନେଇ ଯାଉଛନ୍ତି । ଯେହେତୁ ଏହା କୌଣସି କାମରେ ଆସୁନାହିଁ, ତେଣୁ ନୂଆ ମିଟର ଲଗାଇବା ଉପରେ ଆଉ ସେଭଳି କେହି ଗୁରୁତ୍ୱ ଦେଉନାହାନ୍ତି ।

ଅନ୍ୟ ପକ୍ଷରେ ସରକାର ଯୋଗାଉଥିବା ଆକ୍ୱାଗାର୍ଡ ମାନର ଜଳ ଯେତିକି ବ୍ୟବହାର ହେଉଛି ତାହାର ବହୁଗୁଣା ଅପଚୟ ହେବାରେ ଲାଗିଛି । ଆକ୍ୱାଗାର୍ଡ ମାନର ଜଳ ପ୍ରସ୍ତୁତ ପାଇଁ ଲିଟର ପିଛା ୧୦ ରୁ ୨୦ ପଇସା ଖର୍ଚ୍ଚ ହେଉଥିବାବେଳେ ଏହି ଜଳର ସିଂହଭାଗ ଲୁଗାସଫା, ଶୌଚାଳୟ, ଗାଡିଧୁଆ, ବଗିଚାରେ ଅପଚୟ ହେଉଛି । ଅନ୍ୟ ବଡ ବଡ ସହର ଭଳି ଏହିସବୁ କାର୍ଯ୍ୟ ପାଇଁ ପୃଥକ ଜଳ ଯୋଗାଣ ବ୍ୟବସ୍ଥା ନଥିବାରୁ ଗୁଣାତ୍ମକ ଜଳ ପାଇଁ ସରକାର ଖର୍ଚ୍ଚ କରୁଥିବା କୋଟି କୋଟି ଟଙ୍କା ପାଣିରେ ପଡିବାରେ ଲାଗିଛି । (ତଥ୍ୟ)