Home Administration ୧୨ରୁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

୧୨ରୁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର : ଓଡିଶା ଭିତରକୁ ଜଳ, ସ୍ଥଳ ଓ ଆକାଶ ପଥରେ କୌଣସି ବ୍ୟକ୍ତି ଆସିଲେ ସେମାନଙ୍କ ପାଇଁ ୭୨ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆରଟି-ପିସିଆର ନେଟେଟିଭ ରିପୋର୍ଟ କିମ୍ବା କୋଭିଡ ଟିକାର ଦୁଇଟିଯାକ ଡୋଜ ନେଇଥିବା ରିପୋର୍ଟ ଦେଖାଇବାକୁ ପଡିବ । ଯେଉଁମାନେ ଏହି ରିପୋର୍ଟ ଆଣିନଥିବେ ସେମାନେ ୭ଦିନ ପାଇଁ ସଙ୍ଗରୋଧରେ ରହିବେ । ଆସନ୍ତା ୧୨ ତାରିଖରୁ ଏହି କଟକଣା ଲାଗୁ ହେବ ।

ଓଡିଶା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି ନୂତନ କଟକଣା ଜାରି ହୋଇଛି । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନରମାନଙ୍କୁ ଅବଗତ କରାଯାଇଛି । ଏହାଛଡା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନରବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡା, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱର ଭଳି ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକରେ ଅସ୍ଥାୟୀ ମେଡିକାଲ ସେଣ୍ଟର ଖୋଲିବାକୁ କୁହାଯାଇଛି । ଅନ୍ୟ ରାଜ୍ୟରୁ ଆସୁଥିବା ଲୋକେ ଏଠାରେ ସଙ୍ଗରୋଧରେ ରହିବେ । ଏ ବାବଦୀୟ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ।

ସେହିଭଳି ଆସନ୍ତା ୧୦ ତାରିଖ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ଛତିଶଗଡକୁ ସମସ୍ତ ଯାନବାହାନ ଚଳାଚଳ ନିଷେଧ କରାଯାଇଛି । ପରିବହନ କର୍ତ୍ତୃପକ୍ଷ, ପୁଲିସ୍‍ ଓ ଜିଲ୍ଲାପାଳମାନେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖିବା ସହିତ ସେଠାରୁ ଯେଭଳି ଗାଡିଗୁଡିକ ଓଡିଶା ଭିତରକୁ ପ୍ରବେଶ ନକରନ୍ତି ସେଥିପାଇଁ ତନଖି ଫାଟକ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ଯେଉଁ ବ୍ୟକ୍ତିମାନେ ସୀମାନ୍ତ ତନଖି ଫାଟକ ଦେଇ ଓଡିଶାକୁ ପ୍ରବେଶ କରିବାକୁ ଚାହିଁବେ ସେମାନଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ । ଯେଉଁମାନେ ରିପୋର୍ଟ ନଦେଖାଇବେ ସେମାନଙ୍କୁ ଫେରାଇ ଦିଆଯିବ ନଚେତ ୭ଦିନ ପାଇଁ କ୍ୱାରେଣ୍ଟାଇନ୍‍ରେ ରଖାଯିବ ।
ସମସ୍ତ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକ କୋଭିଡ ମାର୍ଗଦର୍ଶିକା ପାଳନ ସହିତ ନିଜସ୍ୱ ସଂଗରୋଧ ସୁବିଧା ନେଇ ନିଶ୍ଚିତ କରିବେ । ଏହାର ସମସ୍ତ ଖର୍ଚ୍ଚ ସମ୍ପୃକ୍ତ ଅନୁଷ୍ଠାନଗୁଡିକ ବହନ କରିବେ ।

ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନେ ନିୟମିତ ଭାବେ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକ ସହିତ ବୈଠକ କରିବା ସହିତ ସେମାନଙ୍କ ପରିସରରେ କୋଭିଡ ମାର୍ଗଦର୍ଶିକା ପାଳନ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାରକ୍ଷା, ହାତ ଧୁଆ ସୁବିଧା, ସାନିଟାଇଜର ଏବଂ ଥର୍ମାଲ ସ୍କ୍ରିନିଂ ଯେଭଳି ହେବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।