ଭୁବନେଶ୍ୱର : ଓଡିଶାରୁ ଏବେ ବିଭିନ୍ନ ଜିଲ୍ଲାରେ ବହୁ ସଂଖ୍ୟକ ବିଦେଶୀ ନାଗରିକ ଭୋଟର କାର୍ଡ ହାତେଇବା ସହ ଆଧାରକାର୍ଡ ଓ ରାସନକାର୍ଡର ସୁବିଧା ବି ପାଉଛନ୍ତି । କେବଳ ସେତିକି ନୁହେଁ, କେତେକ ବିଦେଶୀ ନାଗରିକ ମଧ୍ୟ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ସହିତ ଆବାସ ଯୋଜନାରେ ଘର ମଧ୍ୟ ପାଇଛନ୍ତି ।
ବିଭିନ୍ନ ଅଞ୍ଚଳରୁ ଏଭଳି ଅଭିଯୋଗମାନ ଆସିବାପରେ କ୍ଷେତ୍ର ସ୍ତରରେ ସ୍ଥିତି ଅନୁଧ୍ୟାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ ନାଗରିକମାନେ ଭାରତ ଛାଡି ଚାଲିଯିବାପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶାରେ ୧୨ଜଣ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବିତାଡନ ପ୍ରକ୍ରିୟା ଚାଲିଛି । ରାଜଧାନୀ ଭୁବନେଶ୍ୱର ଠାରୁ ବଲାଙ୍ଗିର, ବାଲେଶ୍ୱର, କେନ୍ଦ୍ରାପଡା ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଅନେକ ବିଦେଶୀ ନାଗରିକ ବେଆଇନ୍ ଭାବେ ଭାରତରେ ରହିଥିବା ଜଣାପଡିଛି ।
ଇତି ମଧ୍ୟରେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ଯେଉଁଠି ବିଦେଶୀମାନେ ରାସନକାର୍ଡ ହାତେଇଛନ୍ତି ତୁରନ୍ତ ସେହି ରାସନକାର୍ଡଗୁଡିକୁ ବାତିଲ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବହୁ ସ୍ଥାନରେ ଅବୈଧ ଭାବେ ରହିଥିବା ଅନେକ ବିଦେଶୀ ନାଗରିକ କୌଣସି ପ୍ରକାରେ ଭୋଟର ତାଲିକାରେ ସେମାନଙ୍କର ନାମ ଦରଜ କରାଇ ଭୋଟର ପରିଚୟପତ୍ର ଓ ଆଧାରକାର୍ଡ ହାତେଇବା ସହ ପଞ୍ଚାୟତ, ପୌର, ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟ ଦେଇ ଆସୁଥିବା ଘେନି ଅଭିଯୋଗମାନ ହେଉଛି । ଏ ପରିପ୍ରେକ୍ଷୀରେ ବୁଥ୍ ସ୍ତରରେ ତଦନ୍ତ କରାଯାଇ ବିଦେଶୀ ନାଗରିକମାନଙ୍କର ନାମ ଭୋଟର ତାଲିକାରୁ ହଟାଇବା ଏବଂ ସେମାନଙ୍କ ଭୋଟର ପରିଚୟପତ୍ର ଆଧାର, କାର୍ଡ ଆଦିକୁ ବାତିଲ କରିବା ସଂଗେ ସଂଗେ କେଉଁମାନେ କେତେ ପରିମାଣର ଫାଇଦା ସରକାରଙ୍କ ଖାଦ୍ୟ ନିରାପତ୍ତା, ସାମାଜିକ ନିରାପତ୍ତା ଓ ଅନ୍ୟ ଯୋଜନାରୁ ହାତେଇଛନ୍ତି ତାହାର ବି ତଦନ୍ତ କରାଯିବ ବୋଲି ଶୁଣାଯାଉଛି ।
ଏ ପରିପ୍ରେକ୍ଷୀରେ ଶାସକ ଓ ବିରୋଧିଦଳର କେତେକ ନେତା ଗଣମାଧ୍ୟମରେ ଏହି ଘଟଣା ଘେନି ପରସ୍ପର ପ୍ରତି କାଦୁଅଫିଙ୍ଗା ରାଜନୀତି ଆରମ୍ଭ କରିଛନ୍ତି । ଅଭିଯୋଗ ହେଉଛି ଯେ ରାଜନୈତକ ପୃଷ୍ଠପୋଷକତାରେ ବିଦେଶୀ ନାଗରିକମାନଙ୍କୁ ଆମ ରାଜ୍ୟର କେତେକ ଅଞ୍ଚଳରେ ବେଆଇନ୍ ଭାବେ ରଖାଯିବା ସହିତ ସେମାନଙ୍କ ନାମ ବି ଭୋଟର ତାଲିକାରେ ଯୋଡିବା ସଂଗେ ସଂଗେ ଅନ୍ୟାନ୍ୟ ସରକାରୀ ସୁବିଧା ବାବଦରେ ବିପୁଳ ଅର୍ଥ ରାଜକୋଷରୁ ବରବାଦ କରାଯାଇଛି ।
କେବଳ ପାକିସ୍ତାନୀ ନୁହନ୍ତି ଓଡିଶାରେ ବେଆଇନ୍ ଭାବେ ବହୁ ବଙ୍ଗଳାଦେଶୀ ନାଗରିକ ଓ ରୋହିଙ୍ଗ୍ୟା ଶରଣାର୍ଥୀ ମଧ୍ୟ ରହିଥିବା ଜଣାପଡିଛି । ବିଶେଷକରି ଜଳପଥରେ ବେଆଇନ୍ ଭାବେ ବଙ୍ଗଳାଦେଶରୁ ଅନୁପ୍ରବେଶକାରୀମାନେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍ସିଂହପୁର, ପୁରୀ, ଗଞ୍ଜାମ ଆଦି ଜିଲ୍ଲାକୁ ଆସିଥିବା ଘେନି ବର୍ଷ ବର୍ଷ ଧରି ଚର୍ଚ୍ଚା ହେଉଛି । ଏମିତିକି ଅତୀତରେ ସେମାନେ ଏଠାରେ ସ୍ଥାପନ କରିଥିବା ବେଆଇନ୍ ରେଡିଓକେନ୍ଦ୍ର ମଧ୍ୟ ଧରାପଡିଥିଲା । ଏହାଛଡା ଏମାନଙ୍କ ମାଧ୍ୟମରେ ଚୋରା ନିଶା କାରବାର ଚାଲିଥିବା ଘେନି ବାରମ୍ବାର ଅଭିଯୋଗ ହୋଇଆସୁଛି । କୌଣସି ପ୍ରକାରେ ବଙ୍ଗଳାଦେଶ ସୀମା ପାରହୋଇ ପଶ୍ଚିମବଙ୍ଗ ବାଟରେ ବହୁ ବିଦେଶୀ ନାଗରିକ ଓଡିଶାରେ ଅନୁପ୍ରବେଶ କରିଥିବା ଘେନି ଯେଉଁ ଅଭିଯୋଗମାନ ଆସୁଥିଲା ଏବେ ତାହାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଲାଗି ତତ୍ପରତା ପ୍ରକାଶ ପାଇଛି । (ତଥ୍ୟ)