ଭୁବନେଶ୍ୱର : ରାଜ୍ୟର ଖଣିଜ ସମୃଦ୍ଧ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ ସତ୍ତ୍ୱେ, ଜିଲ୍ଲା ଖଣିଜ ଫାଉଣ୍ଡେସନ (ଡିଏମ୍ଏଫ୍.) ପାଣ୍ଠିର ପ୍ରାୟ ୫୯ ପ୍ରତିଶତ ରାଜ୍ୟରେ ବ୍ୟବହାର ହୋଇନାହିଁ । ଜାତୀୟ ଡିଏମ୍ଏଫ୍ ପୋର୍ଟାଲରେ ଉପଲବ୍ଧ ସୂଚନା ଅନୁଯାୟୀ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ରାଜ୍ୟ ମୋଟ ୩୦,୦୫୦.୦୧ କୋଟି ଟଙ୍କାର ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ ହୋଇଛି ।
ଖଣିଜ ସମୃଦ୍ଧ ଅଞ୍ଚଳର ନିରନ୍ତର ସାମାଜିକ ଏବଂ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟରେ ଡିଏମ୍ଏଫ୍ ପାଣ୍ଠିରୁ ୧୨,୪୦୨.୮୯ କୋଟି ଟଙ୍କା ବ୍ୟୟ କରାଯାଇଛି, ଯାହାର ଅର୍ଥ ହେଉଛି ଜିଲ୍ଲାଗୁଡ଼ିକରେ ୧୭,୬୪୭.୬୨ କୋଟି ଟଙ୍କା ଖର୍ଚ୍ଚ ହୋଇପାରିନାହିଁ । ତଥ୍ୟ ଦର୍ଶାଉଛି ଯେ ଏପର୍ଯ୍ୟନ୍ତ ୨୫,୯୪୨.୭୧ କୋଟି ଟଙ୍କା ମୂଲ୍ୟର ମୋଟ ୩୦,୯୪୭ଟି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି, ଯେଉଁଥିରୁ ୬୦୩୨.୪୧ କୋଟି ଟଙ୍କା ମୂଲ୍ୟର ୧୭,୮୮୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ୧୭,୪୯୧.୯୩ କୋଟି ଟଙ୍କା ମୂଲ୍ୟର ୮୭୯୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ବିଭିନ୍ନ ପର୍ଯ୍ୟାୟରେ ରହିଛି । ୨୧୯୨.୧୯ କୋଟି ଟଙ୍କା ମୂଲ୍ୟର ଆଉ ୩୨୬୭ଟି ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ।
ଯୋଜନା ଏବଂ କାର୍ଯ୍ୟକାରିତା ସମୟରେ, ୧୩୮.୪୩ କୋଟି ଟଙ୍କାର ୬୯୭ଟି ବିକାଶମୂଳକ ପ୍ରକଳ୍ପ ବିଭିନ୍ନ କାରଣରୁ ବାତିଲ କରାଯାଇଛି । ୩୦ଟି ଜିଲ୍ଲା ମଧ୍ୟରୁ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୨,୪୦୧.୭୧ କୋଟି ଟଙ୍କା ସଂଗ୍ରହ କରାଯାଇଛି, ଏହା ପଛକୁ ରହିଛି ସୁନ୍ଦରଗଡ଼ ଜିଲ୍ଲା, ଯେଉଁଠାରେ ୮୨୫୭.୧୭ କୋଟି ଟଙ୍କାର ଡିଏମଏଫ ପାଣ୍ଠି ସଂଗ୍ରହ କରାଯାଇଛି ।
ଡିଏମ୍ଏଫ୍ ପାଣ୍ଠିରୁ ଅନୁଗୁଳ ଜିଲ୍ଲାରେ ୩୮୫୭.୧୮ କୋଟି ଟଙ୍କା, ଯାଜପୁର ଜିଲ୍ଲାରେ ୨୪୩୪.୫୫ କୋଟି ଟଙ୍କା ଏବଂ ଝାରସୁଗୁଡ଼ା ଜିଲ୍ଲାରେ ୧୫୪୯.୩୨ କୋଟି ଟଙ୍କା ସଂଗ୍ରହ କରାଯାଇଛି । ଅବଶିଷ୍ଟ ଜିଲ୍ଲାଗୁଡ଼ିକ ଏ ପର୍ଯ୍ୟନ୍ତ ୧୦୦ କୋଟି ଟଙ୍କାରୁ କମ୍ ଡିଏମଏଫ ସଂଗ୍ରହ କରିଛନ୍ତି ।
ସେହିଭଳି, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଯାଜପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଡିଏମ୍ଏଫ୍ ପାଣ୍ଠିରୁ ଯଥାକ୍ରମେ ୯୫୦୯.୯୬ କୋଟି ଟଙ୍କା, ୮୧୮୧.୦୫ କୋଟି ଟଙ୍କା ଏବଂ ୨୯୧୬.୮୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଜାତୀୟ ପୋର୍ଟାଲ ଅନୁଯାୟୀ, ଡିଏମ୍ଏଫ୍ ପାଣ୍ଠିର ଉପଯୋଗ କ୍ଷେତ୍ରରେ ଏହି ତିନୋଟି ଜିଲ୍ଲା ଶୀର୍ଷ ତିନୋଟି ସ୍ଥାନରେ ରହିଛନ୍ତି ।
ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେୱାଇ) ଡିଏମଏଫଗୁଡ଼ିକୁ ପାନୀୟ ଜଳ, ପରିବେଶ ସଂରକ୍ଷଣ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ, ସ୍ୱାସ୍ଥ୍ୟସେବା, ଶିକ୍ଷା, ମହିଳା ଏବଂ ଶିଶୁ କଲ୍ୟାଣ, ବୟସ୍କ ଏବଂ ଭିନ୍ନକ୍ଷମଙ୍କ କଲ୍ୟାଣ, ଦକ୍ଷତା ବିକାଶ ଏବଂ ଜୀବିକା ସୃଷ୍ଟି, ପରିମଳ, ଆବାସ, କୃଷି ଏବଂ ପଶୁପାଳନ ଏବଂ ଅନ୍ୟାନ୍ୟ ପ୍ରାଥମିକତା କ୍ଷେତ୍ରରେ ପାଣ୍ଠି ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି ଯାହା ଖଣି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।
ପିଏମକେକେକେୱାଇ ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଜାନୁଆରୀ, ୨୦୨୪ରେ ସଂଶୋଧିତ ପିଏମକେକେୱାଇ ମାର୍ଗଦର୍ଶିକା ଜାରି କରିଛନ୍ତି ।
ଏହି ନିର୍ଦ୍ଦେଶାବଳୀର କେତେକ ପ୍ରମୁଖ ବୈଶିଷ୍ଟ୍ୟ ମଧ୍ୟରେ ସିଧାସଳଖ ପ୍ରଭାବିତ କ୍ଷେତ୍ର ଏବଂ ଉଚ୍ଚ ପ୍ରାଥମିକତା କ୍ଷେତ୍ରରେ ଅତି କମରେ ୭୦ ପ୍ରତିଶତ ଡିଏମଏଫ ପାଣ୍ଠିର ଉପଯୋଗ, ସିଆଣ୍ଡଏଜି ଦ୍ୱାରା ଡିଏମଏଫ ଆକାଉଣ୍ଟଣ୍ଟଗୁଡିକର ବାଧ୍ୟତାମୂଳକ ଅଡିଟ୍, ର୍ନିବାଚିତ ପ୍ରତିନିଧି ଯଥା ସାଂସଦ, ବିଧାୟକ ଏବଂ ଏମଏଲସିକୁ ପରିଚାଳନା ପରିଷଦରେ ଅନ୍ତର୍ଭୁକ୍ତ କରିବା, ଅଭିଯୋଗ ସମାଧାନ, ଅନୁପାଳନ ବ୍ୟବସ୍ଥା ଏବଂ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ମନିଟରିଂ କମିଟି ପ୍ରତିଷ୍ଠା ଅନ୍ତର୍ଭୁକ୍ତ ।
ପିଏମ୍କେକେକେୱାଇ ନିର୍ଦ୍ଦେଶାବଳୀ ୨୦୨୪ ପ୍ରଦାନ କରେ ଯେ ଗ୍ରାମ ସଭା/ସ୍ଥାନୀୟ ସଂସ୍ଥା ଏକ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିପାରିବେ । ଆହୁରି, ଏହି ମାର୍ଗଦର୍ଶିକାରେ ଏହା ମଧ୍ୟ କୁହାଯାଇଛି ଯେ ଅନୁସୂଚିତ ଅଞ୍ଚଳରେ ଡିଏମ୍ଏଫ୍ ପାଣ୍ଠିର ଉପଯୋଗ ଅନୁସୂଚୀତ ଅଞ୍ଚଳ ଏବଂ ଆଦିବାସୀ ଅଞ୍ଚଳର ପ୍ରଶାସନ ସମ୍ବନ୍ଧୀୟ ସମ୍ବିଧାନର ଅନୁସୂଚୀ ୫ ଏବଂ ଅନୁସୂଚୀ ୬ ସହିତ ପଠାଯାଇଥିବା ଧାରା ୨୪୪ରେ ଥିବା ବ୍ୟବସ୍ଥା ଏବଂ ପଞ୍ଚାୟତ (ଅନୁସୂଚୀତ ଅଞ୍ଚଳର ସମ୍ପ୍ରସାରଣ) ଅଧିନିୟମ, ୧୯୯୬ ଏବଂ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପାରିକ ଜଙ୍ଗଲ ଅଧିବାସୀ (ଜଙ୍ଗଲ ଅଧିକାରର ସ୍ୱୀକୃତି) ଅଧିନିୟମ, ୨୦୦୬ର ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେବ । (ତଥ୍ୟ)