ଭୁବନେଶ୍ୱର : ରାଜ୍ୟରେ ଆଉ ନୂଆ ୨୦ଟି ଏନଏସି ଗଠନ ନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେବାପରେ ଏହାକୁ ନେଇ ଦ୍ୱନ୍ଦ ଉପୁଜିଛି । କାରଣ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ୨୦୨୪ ଫେବୃୟାରୀ ମାସରେ ରାଜ୍ୟ ସରକାର ୩୪ଟି ନୂଆ ଏନ୍ଏସି ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ । ବର୍ତ୍ତମାନ ୨୦ଟି ନୂଆ ଏନଏସି ତାଲିକାରେ ସେଥିରୁ କେତୋଟି ରହିଛି ଏବଂ କେତୋଟି କଟିଛି ତାହାକୁ ନେଇ ଦ୍ୱନ୍ଦ ଉପୁଜିଛି ।
ବହୁ ଦିନର ଦାବି ପରେ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ୩୪ଟି ନୂଆ ଏନଏସି ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ । ଏଥି ସହିତ ୫ଟି ଏନଏମସିକୁ ମ୍ୟୁନିସିପାଲଟିକୁ ପରିବର୍ତ୍ତିତ କରିଥିଲେ । ଏହି ପାଞ୍ଚଟି ମଧ୍ୟରେ ବୌଦ ଜିଲ୍ଲାର ବୌଦଗଡ, ମୟୁରଭଞ୍ଜର କରଞ୍ଜିଆ, ବଲାଙ୍ଗିରର କଣ୍ଟାବାଞ୍ଝି ଏବଂ ଗଞ୍ଜାମର ଛତ୍ରପୁର ଓ ଆସ୍କା ରହିଥିଲା ।
ତେବେ ରାଜ୍ୟ ସରକାର ଯେଉଁ ୩୪ଟି ନୂତନ ମ୍ୟୁନିସିପାଲଟି ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ ମଧ୍ୟ ମଧ୍ୟରେ ଅନୁଗୁଳ, ବାଲେଶ୍ୱର, ବରଗଡ, ବଲାଙ୍ଗିର, ଗଞ୍ଜାମ ଓ ଖୋରଧାର ଦୁଇଟି କରି ଏନଏସି ଥିବାବେଳେ କଳାହାଣ୍ଡି, କନ୍ଧମାଳ କୋରାପୁଟ, ନୂଆପଡା, ସୁବର୍ଣ୍ଣପୁର, ସୁନ୍ଦରଗଡ, ମୟୁରଭଞ୍ଜ, ଢେଙ୍କାନାଳ ଏବଂ ବୌଦର ଗୋଟିଏ କରି ଥିଲା । ସେହଭଳି ଯାଜପୁର ଜିଲ୍ଲାର ବିଂଝାରପୁର, ପାଣିକୋଇଲି, ଜାରକା ଏବଂ ଚଣ୍ଡିଖୋଲରେ ନୂଆ ଏନଏସି ଗଠନ ହୋଇଥିବାବେଳେ କଟକ ଜିଲ୍ଲାର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି ଏବଂ ରାୟଗଡା ଜିଲ୍ଲାରେ ଆଉ ୩ଟି ଏନଏସି ପ୍ରତିଷ୍ଠା ନେଇ କୁହାଯାଇଥିଲା ।
ରାଜ୍ୟ ସରକାର ୩୪ଟି ନୂଆ ଏନଏସି ଘୋଷଣା ସହିତ ରାଜ୍ୟରେ ପୌରାଞ୍ଚଳ ସଂଖ୍ୟା ସେତେବେଳେ ୧୪୯କୁ ବୃଦ୍ଧି ପାଇଥିବା ନେଇ ସୂଚନା ଦେଇଥିଲେ । ଏଥି ମଧ୍ୟରେ ୫୩ଟି ମ୍ୟୁନିସିପାଲଟି ଓ ୯୧ଟି ଏନଏସି ରହିଥିବା କୁହାଯାଇଥିଲା ।
ନୂଆ ସରକାର ଆସିବାପରେ ଏବେ ପୁର୍ନବାର ୨୦ଟି ନୂତନ ଏନଏସି ପ୍ରତିଷ୍ଠା ନେଇ ସୂଚନା ଦେଇଛନ୍ତି । ତେବେ ପୂର୍ବ ସରକାର ଘୋଷଣା କରିଥିବା ନୂଆ ଏନଏସି ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ଓ ଆନ୍ଦୋଳନ ପରେ ଏନଏସି ଗଠନ ହୋଇଥିଲା ଓ ଦାବି ପୂରଣ ହୋଇଥିବାରୁ ଲୋକେ ଆନ୍ଦୋଳନରୁ ଓହରି ଯାଇଥିଲେ ।
ତେବେ ବିଜେଡି ସରକାର ନୂତନ ଏନଏସି ଘୋଷଣା କରିବା ସମୟରେ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାହାକୁ ଜୋରଦାର ବିରୋଧ କରିଥିଲେ । ବିନା କ୍ୟାବିନେଟ୍ ଅନୁମୋଦନ ଓ ନୂତନ ଏନଏସି ଗଠନ ହେଉଥିବା ଅଞ୍ଚଳରେ ଜନ ଶୁଣାଣି ହୋଇନଥିବାରୁ ଏଭଳି ଏନଏସି ଗଠନ ବୈଧ ନୁହେଁ ବୋଲି କହିଥିଲେ । ତଥାପି ରାଜ୍ୟ ସରକାର ଏହାକୁ ଭ୍ରୁକ୍ଷେପ ନକରି ନୂଆ ଏନଏସି ଘୋଷଣା କରିଥିଲେ । ବର୍ତ୍ତମାନ ଆଉ ୨୦ଟି ନୂଆ ଏନଏସି ଘୋଷଣା ପରେ ସେହି ୩୪ଟି ଏନଏସିର ଭାଗ୍ୟ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର । (ତଥ୍ୟ)