ଭୁବନେଶ୍ୱର : ସ୍ନାତକ ଶ୍ରେଣୀରେ ପଢାଯାଉଥିବା ଏଜୁକେଶନ ପାଠ୍ୟକ୍ରମ ଏବେ ବହୁ କଲେଜ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି । ଛାତ୍ରଛାତ୍ରୀଙ୍କ ପାଇଁ ଏଜୁକେଶନ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ନାଁରେ ଅର୍ଥ ଆଦାୟ କରାଯାଉଥିବାବେଳେ ଛାତ୍ରଛାତ୍ରୀମାନେ ବି ଟଙ୍କା ଦେବାକୁ ପଛାଉ ନାହାନ୍ତି ।
ସ୍ନାତକ ଶ୍ରେଣୀରେ ତୃତୀୟ ବର୍ଷର ଚୂଡାନ୍ତ ସେମିଷ୍ଟାର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକଳ୍ପ ରିପୋର୍ଟ ଦାଖଲ କରିବା ବାଧ୍ୟତା ମୂଳକ । ଏଥିପାଇଁ ଏଜୁକେଶନ ପାଠ୍ୟକ୍ରମ ରଖିଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ବିଦ୍ୟାଳୟକୁ ଯାଇ ପାଠପଢାଇବା ସହିତ ସେହି ଆଧାରରେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକଥା । ତେବେ ଆଉ ପ୍ରାୟତଃ କୋଣସି କଲେଜର ସ୍ନାତକ ଛାତ୍ରଛାତ୍ରୀମାନେ ନିକଟସ୍ଥ ବିଦ୍ୟାଳୟକୁ ପଢାଇବାକୁ ଯାଉନାହାନ୍ତି କି ଏଥିପ୍ରତି କଲେଜ କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରୁନାହାନ୍ତି ।
ହେଲେ ପରୀକ୍ଷା ପାଇଁ ନିହାତି ଆବଶ୍ୟକ ହେଉଥିବାରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଦ୍ୟାଳୟର ମିଛ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । ଏହି ପ୍ରକଳ୍ପ ରିପୋର୍ଟକୁ କଲେଜରେ ଦାଖଲ କରୁଛନ୍ତି । ଗୋଟିଏ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ପ୍ରାୟତଃ ସମାନ ଧରଣର ପ୍ରକଳ୍ପ ରିପୋର୍ଟ ଦେଖିବାକୁ ମିଳୁଛି । ଖାଲି ବିଦ୍ୟାଳୟର ନାମ ଓ ପଢାଉଥିବା ଶ୍ରେଣୀର ନାମ ବଦଳାଇ ଦେଉଛନ୍ତି ।
ଏହି ରିପୋର୍ଟକୁ ପ୍ରାୟତଃ କେହି ଦେଖୁନାହାନ୍ତି । ଛାତ୍ରଛାତ୍ରୀମାନେ ଶହ ଶହ ଟଙ୍କା ଖର୍ଚ୍ଚକରି ପ୍ରସ୍ତୁତ କରୁଥିବା ସୁନ୍ଦର ସୁନ୍ଦର ରିପୋର୍ଟ କିଛି ଦିନ କଲେଜର ଅଳିଆ ଗଦାରେ ପଡିବାପରେ ତାହାକୁ ରଦି କାଗଜବାଲା ନେଉଛି । ତେଣୁ ଛାତ୍ରଛାତ୍ରୀମାନେ ନିଜେ ପରିଶ୍ରମ କରି ରିପୋର୍ଟ ପ୍ରସ୍ତୁତ କରିବା ବଦଳରେ ଉପର ଶ୍ରେଣୀର ଛାତ୍ରଛାତ୍ରୀମାନେ ଦାଖଲ କରିଥିବା ରିପୋର୍ଟକୁ ନକଲ କରି ନିଜର ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିଦେଉଛନ୍ତି ।
ସରକାରୀ କଲେଜରେ ଏଭଳି ଢଙ୍ଗରେ ରିପୋର୍ଟ ଦାଖଲ ହେଉଥିବାବେଳେ କେତେକ ଘରୋଇ କଲେଜ କିନ୍ତୁ ଏଥିପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଠାରୁ ଗୋଟିଏ ପ୍ରକଳ୍ପ ରିପୋର୍ଟ ପାଇଁ ୮୦୦ ରୁ ୧୦୦୦ ଟଙ୍କା କରି ଆଦାୟ କରୁଛନ୍ତି । ଟଙ୍କା ଦେଇ ଛାତ୍ରଛାତ୍ରୀମାନେ ନିଶ୍ଚିତରେ ବସୁଛନ୍ତି । କଲେଜ କର୍ତ୍ତୃପକ୍ଷ ରିପୋର୍ଟ ପ୍ରସ୍ତୁତ କରି ତାହାକୁ ଦାଖଲ କରୁଛନ୍ତି । ଅନେକ ସ୍ଥାନରେ କେବଳ କାଗଜପତ୍ରରେ ରିପୋର୍ଟ ଦାଖଲ ସହିତ ଛାତ୍ରଛାତ୍ରୀଙ୍କୁ ନମ୍ବର ମିଳିଯାଉଛି । ବିନା ରସିଦରେ ଆଦୟ ହେଉଥିବା ଟଙ୍କାକୁ କଲେଜର କିଛି କର୍ମଚାରୀ ମିଳିମିଶି ଚଳୁ କରୁଛନ୍ତି ।
ମହାବିଦ୍ୟାଳୟଗୁଡିକରେ କିଭଳି ପାଠପଢା ହେଉଛି ତାହାର ତଦାରଖ ହେଉନଥିବାରୁ ଏଭଳି ବିଚିତ୍ର ସ୍ଥିତି ଉପୁଜିଛି । ଅଧିକାଂଶ ମହାବିଦ୍ୟାଳୟରେ ଠିକା ଅଧ୍ୟାପକ ପାଠ ପଢାଉଥିବାରୁ ସେମାନେ ବି ଏଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି । ମୋଟାମୋଟି ଭାବେ ସ୍ନାତକ ସ୍ତରରେ ଏଜୁକେଶନ ପାଠ୍ୟକ୍ରମରେ ଏକ ପ୍ରକାର କଳଙ୍କି ଲାଗି ଗଲାଣି । ପ୍ରାକ୍ଟିକାଲ କାଗଜପତ୍ରରେ ହେଉଥିବାବେଳେ ପରୀକ୍ଷକମାନେ ବି ଆଗପଛ ନିବିଚାରି ହାତକାଟି ନମ୍ବର ଦେବାରେ ଲାଗିଛନ୍ତି । (ତଥ୍ୟ)