Home Judiciary ବିଳମ୍ବିତ ବିଚାର ପାଇଁ ଡରୁନାହାନ୍ତି ଦୁର୍ନୀତିଗ୍ରସ୍ତ

ବିଳମ୍ବିତ ବିଚାର ପାଇଁ ଡରୁନାହାନ୍ତି ଦୁର୍ନୀତିଗ୍ରସ୍ତ

ଭୁବନେଶ୍ୱର : ବିଳମ୍ବିତ ବିଚାର ଏବଂ ଦଣ୍ଡବିଧାନ ହାର କମ୍‍ ରହୁଥିବାରୁ ଦୁର୍ନୀତିଗ୍ରସ୍ତ କର୍ମଚାରୀମାନଙ୍କର ବ୍ୟବସ୍ଥା ପ୍ରତି ଭୟ ରହୁନାହିଁ । ଫଳରେ ତଳୁ ଉପର ପର୍ଯ୍ୟନ୍ତ ଦୁର୍ନୀତି ବ୍ୟାଧି ବ୍ୟାପକ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି ।

ରାଜ୍ୟ ସରକାର ବାରମ୍ବାର କହୁଛନ୍ତି ଯେ ଦୁର୍ନୀତି ନିବାରଣ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଜାତୀୟ ହାର ତୁଳନାରେ ସନ୍ତୋଷଜନକ । ତେବେ ବର୍ଷରେ ତିନି ଶହ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ମାମଲାର ଫଏସଲା ହୋଇପାରୁ ନାହିଁ । ଯେତିକି ମାମଲା ବି ଫଏସଲା ହେଉଛି ସେଥିରୁ ଅଧିକାଂଶରେ ଅଭିଯୁକ୍ତ ଖଲାସ ହୋଇଯାଉଛନ୍ତି ।

୨୦୨୩ ଡିସେମ୍ବରରେ ପ୍ରକାଶ ପାଇଥିବା ଭାରତ ସରକାରଙ୍କ ସର୍ବଶେଷ ଏନସିଆରବି ରିପୋର୍ଟର ତଥ୍ୟ ମୁତାବକ ଓଡିଶାରେ ଯେତେ ସଂଖ୍ୟକ ଦୁର୍ନୀତି ନିବାରଣ ମାମଲା ବିଚାର ପ୍ରତୀକ୍ଷାରେ ରହୁଛି ସେଥିରୁ ବର୍ଷରେ ମାତ୍ର ୬.୪ ପ୍ରତିଶତ ଫଏସଲା ହେଉଥିବାବେଳେ ୯୩.୬ ପ୍ରତିଶତ ପୁରୁଣା ମାମଲା ଭାବେ ପରବର୍ତ୍ତୀ ବର୍ଷକୁ ଗଡୁଛି । ଫଏସଲା ହେଉଥିବା ଦୁର୍ନୀତି ନିବାରଣ ମାମଲାରେ ବର୍ଷରେ ଦଣ୍ଡବିଧାନ ହାର ୩୬.୪ ପ୍ରତିଶତବୋଲି ଏହି ରିପୋର୍ଟ କହୁଛି ।

ଏଥିରେ ପ୍ରଦତ୍ତ ତଥ୍ୟ ମୁତାବକ ଉକ୍ତ ବର୍ଷରେମାତ୍ର ୨୪୭ଟି ଦୁର୍ନୀତି ନିବାରଣ ମାମଲା ଫଏସଲା ହେଉଥିବାବେଳେ ସେଥିରୁ ମୋଟ୍‍ ୯୦ଟିରେ ଦଣ୍ଡବିଧାନ ହୋଇଛି ଏବଂ ୧୦୭ଟିରେ ଅଭିଯୁକ୍ତମାନେ ଦୋଷମୁକ୍ତ ହୋଇଛନ୍ତି । ମାମଲା ଚାଲୁଥିବାବେଳେ ଅଭିଯୁକ୍ତଙ୍କ ମୃତ୍ୟୁ କାରଣରୁ ଅନେକ କ୍ଷେତ୍ରରେ ଏହା ବନ୍ଦହୋଇ ଯାଉଛି । ଏହାଛଡା ଆଉ କେତେକ ଦୁର୍ନୀତି ନିବାରଣ ମାମଲାକୁ ମଧ୍ୟ କର୍ତ୍ତୃପକ୍ଷ ବାତିଲ କରିବାକୁ ବାଧ୍ୟ ହେଉଛନ୍ତି ।

ତଳୁ ଉପର ପର୍ଯ୍ୟନ୍ତ ଅଧିକାଂଶ ସରକାରୀ ଦପ୍ତରରେ ବିନା ଲାଞ୍ଚରେ କାମ ହେଉନାହିଁ । ଏମିତିକି ପରିବାରର କେହି ମରିଗଲେ ଉତ୍ତରାଧିକାରୀ ପ୍ରମାଣପତ୍ରଟିଏ ପାଇବାପାଇଁ ବି ବହୁ କ୍ଷେତ୍ରରେ ଲାଞ୍ଚ ଦେବାକୁ ପଡୁଛି । ପ୍ରତିଦିନ ଖବରକାଗଜ ପୃଷ୍ଠାରେ ଛୋଟ ବଡ କାମ ପାଇଁ ଲାଞ୍ଚନେଇ ସରକାରୀ କର୍ମଚାରୀ ଧରାପଡିବା ଏବଂ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଘେନି ମାଳ ମାଳ ଖବର ପ୍ରକାଶ ପାଉଛି । ମୋଟାମୋଟି ଭାବେ ବର୍ଷକୁ ବର୍ଷ ଦୁର୍ନୀତି କମିବା ପରିବର୍ତ୍ତେ ବଢି ବଢି ଚାଲୁଛି । ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିରେ ହଜାର ହଜାର ଅଭିଯୋଗ ପଞ୍ଜିକୃତ ହେବାର ମୁଖ୍ୟ କାରଣ ତଳସ୍ତରରେ ଲୋକଙ୍କ ଅଭିଯୋଗର ସମାଧାନ ନକରି ବର୍ଷ ବର୍ଷ ଧରି ପକାଇ ରଖିବା । ଏମିତିକି ଗରିବ ଲୋକଙ୍କୁ ବାସଗୃହ ଓ ରାସନକାର୍ଡ ଯୋଗାଇ ଦେବାଲାଗି ଲାଞ୍ଚ ନେଇ ଧରାପଡିବାର ନଜିର ଅନେକ ରହିଛି ।

ଏବେ ରାଜ୍ୟର ବିଭିନ୍ନ ଭିଜିଲାନ୍ସ ଅଦାଲତରେ ୪ହଜାରରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଅଛି । ଏଥିରୁ ଏମିତି କିଛି ମାମଲା ରହିଛି ଯେଉଁଗୁଡିକ ୨୦/୩୦ ବର୍ଷ ଧରି ଗଡୁଛି । ଏଭଳି ପୁରୁଣା ମାମଲାରେ ଅନେକ ଅଭିଯୁକ୍ତ ଏବଂ ସରକାରୀ ସାକ୍ଷୀ ଓ ତଦନ୍ତକାରୀ ଅଧିକାରୀ ବୟସାଧିକ୍ୟ କାରଣରୁ ଅଦାଲତରେ ହାଜର ହୋଇପାରୁ ନାହାନ୍ତି ।

ଅଭିଜ୍ଞ ଆଇନ୍‍ଜୀବୀମାନେ କହୁଛନ୍ତି ଯେ ସୀମିତ ସମୟ ମଧ୍ୟରେ ତଦନ୍ତସାରି ଅଭିଯୋଗଫର୍ଦ୍ଦ ଦାଖଲ କରାଗଲେ ଏବଂ ଛଅମାସରୁ ବର୍ଷେ ଭିତରେ ରୁଜୁ ହେଉଥିବା ଭିଜିଲାନ୍ସ ମାମଲାଗୁଡିକ ଫଏସଲା କରାଗଲେ ତ୍ୱରିତ ଦଣ୍ଡବିଧାନ ଭୟରେ ଦୁର୍ନୀତି କମିଯାଆନ୍ତା । ଏହାଛଡା ଆୟ ବର୍ହିଭୂତ ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ସହିତ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ବିଧି ବ୍ୟବସ୍ଥା ଅନୁଯାୟୀ ଚାକିରିରୁ ବିଦା କରାଗଲେ ଏହାର ପ୍ରଭାବ ମଧ୍ୟ ଅନ୍ୟ କର୍ମଚାରୀ ଓ ଅଧିକାରୀଙ୍କ ଉପରେ ପଡନ୍ତା । (ତଥ୍ୟ)