Home Health ଡାକ୍ତର ଓ ଡାକ୍ତରୀ ଶିକ୍ଷକ ପଦବୀ ଖାଲି

ଡାକ୍ତର ଓ ଡାକ୍ତରୀ ଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ୍‍ କଲେଜ୍‍ଗୁଡ଼ିକରେ ପାଖାପାଖି ୭ହଜାର ଡାକ୍ତର ଓ ଡାକ୍ତରୀ ଶିକ୍ଷକ ପଦବୀ ଖାଲି ପଡିଛି । ଏଥିଯୋଗୁ ଗ୍ରାମାଞ୍ଚଳ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସରକାରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଂକଟ ଲାଗି ରହିଛି । ତେବେ ଖାଲି ପଡିଥିବା ଡାକ୍ତର ଓ ଡାକ୍ତରୀ ଶିକ୍ଷକ ପଦବୀଗୁଡ଼ିକ ପୂରଣ ପାଇଁ ବିହିତ ପଦକ୍ଷେପ ନିଆଯାଉଥିବା ଘେନି ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରତିଶ୍ରୁତି ଦିଆଯାଉଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକ ପାଇଁ ୧୫୭୭୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବାବେଳେ ସେଥିରୁ ଗତ ମାର୍ଚ୍ଚ ମାସ ସୁଦ୍ଧା ୫୮୩୪ଟି ପଦବୀ ଖାଲି ପଡିଥିଲା । ୯୯୪୦ଜଣ ଡାକ୍ତର କାର୍ଯ୍ୟରତ ଥିବା କୁହାଯାଉଥିବା ବେଳେ ବାସ୍ତବରେ କିନ୍ତୁ ଏମାନଙ୍କ ଭିତରୁ ଶତାଧିକ ଡାକ୍ତର କାର୍ଯ୍ୟ କ୍ଷେତ୍ରରେ ନାହାନ୍ତି ।

ସରକାରୀ ହିସାବ ମୁତାବକ ଗତ ମାର୍ଚ୍ଚ ମାସ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ଥିବା ଡାକ୍ତରଖାନାଗୁଡ଼ିକରେ ୧୫୪୦ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଥିଲା । ଯାହାକି ମୋଟ ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ପଦବୀର ପ୍ରାୟ ୫୫ ପ୍ରତିଶତ । ରାଜଧାନୀ ଭୁବନେଶ୍ୱରରେ ଥିବା କ୍ୟାପିଟାଲ୍‍ ହସ୍ପିଟାଲ ଲାଗି ୭୪ଟି ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର ପଦବୀ ଥିବାବେଳେ ଏଠାରେ କିନ୍ତୁ ୮୫ଜଣ ବିଶେଷଜ୍ଞ ଡାକ୍ତର କାର୍ଯ୍ୟ କରୁଛନ୍ତି । କ୍ୟାପିଟାଲ୍‍ ହସ୍ପିଟାଲରେ ୧୧ଜଣ ଅଧିକ ବିଶେଷଜ୍ଞ ଡାକ୍ତରଙ୍କୁ ଦରମା ଦିଆଯାଉଥିବା ବେଳେ ୧୮ଟି ଜିଲ୍ଲାରେ ୫୦ ପ୍ରତିଶତରୁ ଅଧିକ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି ।

କେନ୍ଦୁଝର ଜିଲ୍ଲା ପାଇଁ ୧୦୨ଟି ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର ପଦବୀ ଥିବାବେଳେ ସେଠାରେ ୫୪ଟି ପଦବୀ ଖାଲି ପଡିଛି । ଗଞ୍ଜାମ ଜିଲ୍ଲାରେ ୧୦୬ଟି ଓ ମୟୂରଭଞ୍ଜରେ ୧୦୩ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଥିବାବେଳେ ସୁନ୍ଦରଗଡ଼ରେ ୭୪, ରାୟଗଡ଼ାରେ ୬୪, ନୟାଗଡ଼ରେ ୭୯, କୋରାପୁଟରେ ୬୨, କନ୍ଧମାଳରେ ୭୫, କଳାହାଣ୍ଡିରେ ୭୩ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି । ନୟାଗଡ଼ ଜିଲ୍ଲା ପାଇଁ ୮୨ଟି ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର ପଦବୀ ଥିବାବେଳେ ସେଠାରେ କାମ କରୁଛନ୍ତି ମାତ୍ର ୩ଜଣ । ରାଜ୍ୟରେ ଥିବା ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଡାକ୍ତରଖାନା ଓ କଲେଜ୍‍ରେ ମଧ୍ୟ ଡାକ୍ତର ଓ ଡାକ୍ତରୀ ଶିକ୍ଷକ ମରୁଡ଼ି ଅବସ୍ଥା ଲାଗି ରହିଛି । ଏମିତିକି କେତେକ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ମେଡିକାଲ୍‍ କଲେଜ୍‍ରେ ପାଠ ପଢ଼ାଇବା ତ ଦୂରର କଥା ବହିର୍ବିଭାଗ ପରିଚାଳନା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନାହାନ୍ତି ।

ଏହାଛଡ଼ା ରାଜ୍ୟରେ ଥିବା ୧୫ଟି ମେଡିକାଲ୍‍ କଲେଜ୍‍ ହସ୍ପିଟାଲରେ ପ୍ରାୟ ୮୫୦ ପ୍ରଫେସର, ସହଯୋଗୀ ପ୍ରଫେସର, ସହକାରୀ ପ୍ରଫେସର, ଟ୍ୟୁଟର୍‍, ସିନିୟର ରେସିଡେଣ୍ଟ ଓ ଜୁନିଅର ରେସିଡେଣ୍ଟ ପଦବୀ ଖାଲି ପଡିଛି । ଏହି ମେଡିକାଲ୍‍ କଲେଜ୍‍ଗୁଡ଼ିକରେ ପ୍ରାୟ ୧୦୦ଟି ପ୍ରଫେସର ପଦବୀ ଖାଲି ପଡିଥିବାବେଳେ ୨୦୦ ପାଖାପାଖି ସହଯୋଗୀ ପ୍ରଫେସର ଓ ଆଉ ୧୦୦ଟି ପର୍ଯ୍ୟନ୍ତ ସହକାରୀ ପ୍ରଫେସର ପଦବୀ ମଧ୍ୟ ଖାଲି । ଏଥିଯୋଗୁ ସରକାରୀ ମେଡିକାଲ୍‍ କଲେଜ୍‍ଗୁଡ଼ିକରୁ ଅଧିକାଂଶରେ ପାଠପଢ଼ା, ଗବେଷଣା ଓ ଚିକିତ୍ସା କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି । କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‍ କଲେଜ୍‍, ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‍ କଲେଜ୍‍ ଓ ବୁର୍ଲାର ଭିମ୍‍ସାର୍‍ରେ ବି ଏହି ସମସ୍ୟା ଉତ୍କଟ ଅବସ୍ଥାରେ ରହିଛି । ଅନ୍ୟ ନୂଆ ମେଡିକାଲ୍‍ କଲେଜ୍‍ ହସ୍ପିଟାଲଗୁଡ଼ିକରେ ମଧ୍ୟ ଡାକ୍ତର ଓ ଡାକ୍ତରୀ ଶିକ୍ଷକ ପଦବୀ ବହୁ ସଂଖ୍ୟାରେ ଦୀର୍ଘଦିନ ଧରି ଖାଲି ପଡିଛି । ଲୋକଙ୍କ ଚିକିତ୍ସା ପାଇଁ ସରକାର ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ, ବୟବନ୍ଦନ ଯୋଜନା ଆଦିରେ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ସରକାରୀ ସଂସ୍ଥାନଗୁଡ଼ିକରେ ଡାକ୍ତର ଓ ଡାକ୍ତରୀ ଶିକ୍ଷକ ଅଭାବ ଯୋଗୁ ଏହି ଅର୍ଥର ସିଂହଭାଗ କର୍ପୋରେଟ୍‍ ହସ୍ପିଟାଲମାନଙ୍କ ପକେଟ୍‍କୁ ଚାଲିଯାଉଛି । (ତଥ୍ୟ)