Home News in Odia ମହିଳା, ଶିଶୁ ନିର୍ଯ୍ୟାତନାରେ ଯାଜପୁର ଆଗରେ

ମହିଳା, ଶିଶୁ ନିର୍ଯ୍ୟାତନାରେ ଯାଜପୁର ଆଗରେ

ଭୁବନେଶ୍ୱର : ରାଜ୍ୟରେ ଘଟୁଥିବା ମହିଳା ଓ ଶିଶୁ ନିର୍ଯ୍ୟାତା କ୍ଷେତ୍ରରେ ଯାଜପୁର ଜିଲ୍ଲା ସବୁଠାରୁ ଆଗରେ ରହିଛି । ଗତ ଆର୍ଥିକ ବର୍ଷରେ ଏହି ଜିଲ୍ଲାରେ ୨ହଜାରରୁ ଅଧିକ ମହିଳା ଓ ଶିଶୁ ନିର୍ଯ୍ୟାତନାର ଶିକାର ହୋଇଥିବା ସରକାରୀ ସୂଚନାରୁ ଜଣାପଡିଛି ।

୨୦୨୪-୨୫ ବର୍ଷରେ ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କ ବିରୁଦ୍ଧରେ ଅପରାଧର ଯେଉଁ ସୂଚନା ଗୃହ ବିଭାଗ ଜାରି କରିଛି ସେଥିରେ ଦର୍ଶାଯାଇଛି ଏହି ଗୋଟିଏ ବର୍ଷରେ ରାଜ୍ୟରେ ୨୭,୯୭୩ ଜଣ ମହିଳା ଓ ଶିଶୁ ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ଏଥି ମଧ୍ୟରେ ଯାଜପୁର ଜିଲ୍ଲାର ସର୍ବାଧିକ ୨୦୯୯ ଜଣ ରହିଛନ୍ତି । ଗଞ୍ଜାମରେ ଏହା ଦ୍ୱିତୀୟ ସର୍ବାଧିକ ୧୮୨୩ ରହିଛି ।

ତେବେ ଯେଉଁ ଜିଲ୍ଲାଗୁଡିକରେ ଏହି ଗୋଟିଏ ବର୍ଷରେ ହଜାରେରୁ ଅଧିକ ମହିଳା ଓ ଶିଶୁ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ସେହିସବୁ ଜିଲ୍ଲା ମଧ୍ୟରେ ରହିଛି ବାଲେଶ୍ୱର, ଭଦ୍ର, କଟକ, ଢେଙ୍କାନାଳ, ଜଗତ୍‍ସିଂହପୁର, କେନ୍ଦୁଝର, ଖୋରଧା, ମୟୁରଭଞ୍ଜ ଓ କଟକ ସହରାଞ୍ଚଳ ଥାନା ଇଲାକା । ମୟୁରଭଞ୍ଜରେ ତୃତୀୟ ସର୍ବାଧିକ ୧୫୭୩ଜଣ ନିର୍ଯ୍ୟାତନାର ଶିକାର ହୋଇଥିବାବେଳେ କେନ୍ଦୁଝରରେ ଏହା ୧୩୨୯ ରହିଛି ।

ଗୃହ ବିଭାଗ ସୂଚନାରୁ ଗୋଟିଏ କଥା ଲକ୍ଷ୍ୟ କରାଯାଇଛି ଯେ ମହିଳା ଓ ଶିଶୁ ନିର୍ଯ୍ୟାତନା କ୍ଷେତ୍ରରେ ଉପକୂଳ ଜିଲ୍ଲା ବିଶେଷକରି ସାକ୍ଷରତା ହାର ଅଧିକ ଥିବା ଜିଲ୍ଲାଗୁଡିକ ଏ କ୍ଷେତ୍ରରେ ଆଗରେ ରହିଛନ୍ତି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏହି ଧରଣର ନିର୍ଯ୍ୟତନା ହାର ପ୍ରାୟତଃ କମ୍‍ ରହିଛି । ନୂଆପଡା ଜିଲ୍ଲାରେ ବର୍ଷକ ମଧ୍ୟରେ ମାତ୍ର ୨୩୪ଟି ମହିଳା ଓ ଶିଶୁ ନିର୍ଯ୍ୟାତନା ଘଟଣା ନଜରକୁ ଆସିଥିବାବେଳେ ନବରଙ୍ଗପୁରରେ ୪୮୬, ରାୟଗଡାରେ ୩୨୦, କୋରାପୁଟରେ ୭୯୦, କନ୍ଧମାଳରେ ୭୭୬, ସୁନ୍ଦରଗଡରେ ୪୦୧ ଓ କଳାହାଣ୍ଡିରେ ଏହା ୬୯୧ ରହିଛି ।

ରାଜ୍ୟରେ ମହିଳା ଓ ଶିଶୁ ନିର୍ଯ୍ୟାତନା ହାର ହ୍ରାସ ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି । ଏଥି ମଧ୍ୟରେ ଓଡିଶାରେ ୩୪ଟି ଶିଶୁ ବନ୍ଧୁ ଥାନା ପ୍ରତିଷ୍ଠା ହୋଇଛି । ମହିଳା, ଚାଇଲ୍ଡ ହେଲ୍ପଲାଇନ୍‍ ସହିତ ସାଇବର କ୍ରାଇମ୍‍ ପାଇଁ ଟୋଲ ଫ୍ରି ନମ୍ବର ଜାରି ହୋଇଥିବାବେଳେ ସମ୍ପର୍କ ହେଲ୍ପଡେସ୍କ ମଧ୍ୟ ଯୋଗାଇ ଦିଆଯାଇଛି । ସେହିଭଳି ରାଜ୍ୟର ୬୩୩ଟି ଥାନାରେ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟ କରୁଥିବାବେଳେ ମହିଳା ସୁରକ୍ଷାକୁ ପ୍ରୋତ୍ସାହିତ କରିବାପାଇଁ ବିଭିନ୍ନ ଜିଲ୍ଲା ସ୍କୁଲ ଏବଂ କଲେଜ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ଅଭିଯାନ ଆୟୋଜନ କରାଯାଉଛି ।

ତେବେ ମହିଳା ଓ ଶିଶୁ ନିର୍ଯ୍ୟାତନା ପାଇଁ ନିଶା କାରବାରକୁ ସ୍ୱେଚ୍ଛାସେବୀମାନେ ଦାୟୀ କରୁଛନ୍ତି । ସେମାନଙ୍କ ମତରେ ଗାଁ ଗାଁରେ ବେଆଇନ୍‍ ନିଶା କାରବାର ଯୋଗୁଁ ସରକାରୀ ତାଲିକା ଠାରୁ ଢେର ଅଧିକ ସଂଖ୍ୟାରେ ମହିଳା ଓ ଶିଶୁମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ତେଣୁ ନିଶା କାରବାରକୁ ରୋକାଯାଇ ପାରିଲେ ମହିଳା ଓ ଶିଶୁ ନିର୍ଯ୍ୟାତନା ହାର ଯଥେଷ୍ଟ ହ୍ରାସ ପାଇବ ବୋଲି କୁହାଯାଉଛି । (ତଥ୍ୟ)