ବଲାଙ୍ଗିର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରକାନି ଠାରେ ‘ଓଭୋ ଫାର୍ମ୍ ଅଣ୍ଡା ପ୍ରକ୍ରିୟାକରଣ କାରଖାନା’ର ଶୁଭାରମ୍ଭ କରିବା ସହ ପରିଦର୍ଶନ କରିଛନ୍ତି । ଆକାଂକ୍ଷା ଜିଲ୍ଲାରେ ଏହି ପ୍ଲାଣ୍ଟର ସ୍ଥାପନା ଆତ୍ମବିଶ୍ୱାସ ଓ ଦୃଢ କଳ୍ପନାର ପ୍ରତିଫଳନ ତଥା ବଲାଙ୍ଗୀର ସମେତ ରାଜ୍ୟ ପାଇଁ ଏକ ଉଦାହରଣ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜିର ପଦକ୍ଷେପ ଦ୍ୱାରା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଲାଙ୍ଗିର ଆଉ ଗୋଟିଏ ପାଦ ଆଗକୁ ବଢିଲା । ବଡ କାମ କରିବା ପାଇଁ ହେଲେ ବଡ ଭାବିବାକୁ ପଡେ । ବଲାଙ୍ଗିର ଭଳି ଆକାଂକ୍ଷୀ ଜିଲ୍ଲାରେ ଏଭଳି ବିଶ୍ୱମାନର ପ୍ଲାଣ୍ଟର କଳ୍ପନାକୁ ପ୍ରଶଂସା କରି ସେ କହିଛନ୍ତି ବଲାଙ୍ଗୀର ଭଳି ଅଞ୍ଚଳରୁ ସ୍ଥାପନା ହୋଇଥିବା ଏହି ପ୍ଲାଣ୍ଟର ଏକ ଗ୍ଲୋବାଲ ମାର୍କେଟ୍ ଅଛି । ଏଠାରେ ଉତ୍ପାଦିତ ହେଉଥିବା ଏଗ୍ ପାଉଡର ବିଶ୍ୱବଜାରକୁ ଯିବ ।
ଏହି ପ୍ଲାଣ୍ଟ୍ ଦ୍ୱାରା ସ୍ଥାନୀୟ ଅର୍ଥନୀତିକୁ ବଳ ମିଳିବ । ସ୍ଥାନୀୟ ଯୁବାଙ୍କୁ ନିଯୁକ୍ତିର ସୁଯୋଗ ମଧ୍ୟ ମିଳିବ । ସବୁଠାରୁ ବଡ଼ କଥା ହେଲା, ବଲାଙ୍ଗୀରର ଆକାଂକ୍ଷୀ ଯୁବବର୍ଗଙ୍କୁ ଏଣ୍ଟ୍ରପ୍ରିନ୍ୟୁଅର ହେବା ପାଇଁ ଏହି ଶିଳ୍ପ ଉତ୍ସାହିତ କରିବ । ସ୍ଥାନୀୟ ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ଉଦ୍ୟମ କରିଥିବାରୁ ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ର ଏବଂ ସହଯୋଗୀ ସମରେନ୍ଦ୍ର ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ଅଞ୍ଚଳ ପ୍ରତି ଆସକ୍ତି, ମମତା ଥିବା କାରଣରୁ ସେ ଏହି କାରଖାନାକୁ ସାକାର ରୂପ ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ସାମ୍ପ୍ରତିକ ସମୟରେ କୃଷି ଉଦ୍ୟୋଗ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଫଳରେ ଉତ୍ପାଦନ ପ୍ରକ୍ରିୟା ସମ୍ପ୍ରସାରଣ ହୋଇପାରୁଛି । ଏହିଭଳି ଭାବରେ ଲୋକାର୍ପିତ ‘ଏଗ୍ ପ୍ରୋସେସିଂ ପ୍ଲାଣ୍ଟ୍’ ଏକ ପ୍ରଶଂସନୀୟ ପଦକ୍ଷେପ । ଏହି କାରଖାନାରେ ଉତ୍ପାଦନ ହେଉଥିବା ଅଣ୍ଡା ଓ ବିଭିନ୍ନ ଉତ୍ପାଦର ଗୁଣବତ୍ତା ଉଚ୍ଚମାନର । ବଲାଙ୍ଗିର ଯୁବକମାନେ ବାହାର ରାଜ୍ୟକୁ ରୋଜଗାର ପାଇବା ଆଶାରେ ଯାଉଥିଲେ । ତେବେ ଆଜିର ଏହି ଓଭୋ ଫାର୍ମ ବଲାଙ୍ଗିରରେ ରୋଜଗାର ଏବଂ ବିକାଶର ମୂଳଦୁଆ ପକେଇଲା ।
ଏହି କାରଖାନା ରାଜ୍ୟର ଯୁବ ଉଦ୍ୟୋଗୀ ତଥା ଭାରତବର୍ଷର ଦୁର୍ଗମ ଅଞ୍ଚଳର ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇବା ସହ ଅନୁପ୍ରାଣିତ କରିବ । ବଲାଙ୍ଗିର ଜିଲ୍ଲାରେ ଶିଳ୍ପ ପାଇଁ ବାତାବରଣ ସୃଷ୍ଟି କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ । ଚଳିତଥର ଫିଫାର ମ୍ୟାଚରେ ଓଭୋ ଫାର୍ମ ଅଣ୍ଡାର ବ୍ୟବହାର ହେବା ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।