Home General ଅଚଳ ହେବାକୁ ବସିଲାଣି ସ୍ଫୁର୍ତ୍ତି କ୍ଲଷ୍ଟର

ଅଚଳ ହେବାକୁ ବସିଲାଣି ସ୍ଫୁର୍ତ୍ତି କ୍ଲଷ୍ଟର

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ସ୍ଫୁର୍ତ୍ତି ଯୋଜନାରେ କ୍ଲଷ୍ଟର ଖୋଲିଥିବା ଅନେକ ଉଦ୍ୟୋଗୀ ଏବେ ମୁଣ୍ଡରେ ହାତଦେଇ ବସିଗଲେଣି । କଞ୍ଚାମାଲ ଖରିଦ ପାଇଁ ରାଜ୍ୟ ସରକାରଙ୍କ ଠାରୁ ସହଯୋଗ ମିଳୁନଥିବାରୁ କାରଖାନା କିଭଳି ଚାଲିବ ସେହି ଚିନ୍ତା ଏବେ ଘାରିଛି ।

ରାଜ୍ୟର ୧୬ଟି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ସ୍ଫୁର୍ତ୍ତି ଯୋଜନାରେ ୪୦ଟି କ୍ଲଷ୍ଟର ଖୋଲିଛି । ଏଥିରେ ହସ୍ତଶିଳ୍ପ, ବାଉଁଶ, ବସ୍ତ୍ରଶିଳ୍ପ, କୃଷି ଉତ୍ପାଦନ, ମହୁଚାଷ, ଖାଦ୍ୟ ପ୍ରକ୍ରିୟାକରଣ ଓ ଅନ୍ୟାନ୍ୟ ପାରମ୍ପରିକ ଶିଳ୍ପ ଉଦ୍ୟୋଗ ସ୍ଥାପନ ହୋଇଛି । ଯୋଜନାରେ ମୂଳ ଲକ୍ଷ୍ୟ ହେଉଛି ଗାଁ ଗହଳରେ ଥିବା କଞ୍ଚାମାଲର ବ୍ୟବହାର ଦ୍ୱାରା କୁଶଳୀ କାରିଗରମାନଙ୍କ ହାତକୁ କାମ ଯୋଗାଇବା ।

ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ୯୦ ପ୍ରତିଶତ ଅନୁଦାନ ଆର୍ଥିକ ସହାୟତା ବାବଦରେ ଯୋଗାଇ ଦେଇଥିବାବେଳେ ଅଂଶୀଦାରମାନେ ପ୍ରକଳ୍ପର ୧୦ ପ୍ରତିଶତ ଅର୍ଥ ପ୍ରଦାନ କରିଛନ୍ତି । ଏହି ୧୦ପ୍ରତିଶତ ଅର୍ଥ ଓଡିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ନିକଟରେ ରହିଛି ।

ତେବେ କ୍ଲଷ୍ଟର ପ୍ରତିଷ୍ଠା କରିଥିବା କିଛି ଉଦ୍ୟୋଗୀଙ୍କ କହିବାକଥା ଯେ ସେମାନେ ଦାଖଲ କରିଥିବା ୧୦ପ୍ରତିଶତ ଅର୍ଥ ପ୍ରଦାନ କରାଗଲେ ସେଥିରେ ସେମାନେ କଞ୍ଚାମାଲ ଖରିଦ କରିପାରନ୍ତେ । ହେଲେ ଏମଏସଏମଇ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି । ସ୍ଫର୍ତ୍ତି ପ୍ରକଳ୍ପ ପାଇଁ ଥିବା ସ୍ୱତନ୍ତ୍ର ଅଧିକାରୀ ପଦବୀଟି ଦୀର୍ଘଦିନ ହେଲା ଖାଲି ପଡିଥିବାରୁ ସେମାନେ କାହାକୁ ଜଣାଇବେ ତାହା ବି ଜାଣିପାରୁ ନାହାନ୍ତି ।

ଯେଉଁସବୁ ଉଦ୍ୟୋଗୀମାନେ ଲକ୍ଷାଧିକ ଟଙ୍କା ବ୍ୟୟରେ କାରଖାନା ବସାଇଛନ୍ତି କଞ୍ଚାମାଲ ଅଭାବରୁ ତାହା ଧିରେ ଧିରେ ବନ୍ଦ ଅଚଳ ହେବାକୁ ଲାଗିଛନ୍ତି । ଯଦି ଠିକଣା ସମୟରେ ଅର୍ଥ ନିମିଳିବ ତେବେ ଯନ୍ତ୍ରପାତିରେ କଳଙ୍କି ଲାଗିଯିବାର ସମ୍ଭାବନା ରହିଛି । ତେଣୁ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟିଦେବା ଆବଶ୍ୟକ ହୋଇଛି ।

ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ଏହି ଯୋଜନାରେ ବିପୁଳ ପରିମାଣର ଅର୍ଥ ଯୋଗାଇ ଦେଇଥିବାବେଳେ ଠିକଣା ତଦାରଖ କରୁନଥିବାରୁ ଅନେକ ଅଂଶୀଦାର ଧିରେ ଧିରେ ସେମାନଙ୍କର କାର୍ଯ୍ୟ ପରିସୀମା ସଙ୍କୁଚିତ କରିବାରେ ଲାଗିଛନ୍ତି । ବିଶେଷକରି ଯେଉଁସବୁ ଉଦ୍ୟୋଗରେ ଅଧିକ କଳ କାରଖାନା ସ୍ଥାପନ ନହୋଇ ସେଠାରେ କ୍ଲଷ୍ଟର କେତେ ଦିନ ଚାଲିବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିୟମିତ ଭାବେ ଏହିସବୁ କ୍ଲଷ୍ଟରର ସମୀକ୍ଷା କରିବା ସହିତ ଏଠାରେ ଚୁକ୍ତି ମୁତାବକ କେତେ ଲୋକ କର୍ମସଂସ୍ଥାନ ପାଇଛନ୍ତି ଓ ଏହା ରାଜ୍ୟପାଇଁ କେତେ ସଫଳ ସାବ୍ୟସ୍ତ ହୋଇଛି ତାହା ପରଖିବା ଆବଶ୍ୟକ । (ତଥ୍ୟ)