ଭୁବନେଶ୍ୱର : ଓଡିଶାରେ ବର୍ଷକୁ ଯେତିକି ଡାଲିଜାତୀୟ ଶସ୍ୟ ଆବଶ୍ୟକ ତାହାଠାରୁ ୩/୪ ଗୁଣ ଅଧିକ ଉତ୍ପାଦନ ହେଉଛି । ହେଲେ ବର୍ଷସାରା ଡାଲି ପାଇଁ ଓଡିଶା କିନ୍ତୁ ଅନ୍ୟ ରାଜ୍ୟ ଉପରେନ ନିର୍ଭରଶୀଳ । ତେବେ ଓଡିଶାରୁ ଉତ୍ପାଦିତ ଡାଲି କୁଆଡେ ଯାଉଛି ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସରକାରୀ ହିସାବରେ ଓଡିଶା ପାଇଁ ବର୍ଷକୁ ୩.୧୨ ଲକ୍ଷ ମେଟ୍ରିକ ଟନ୍ ଡାଲି ଆବଶ୍ୟକ ଥିବାବେଳେ ୧୩ଲକ୍ଷ ମେଟ୍ରିକ ଟନ୍ ରୁ ଅଧିକ ଡାଲି ଫଳୁଛି । ତେବେ ଓଡିଶାରୁ ଉତ୍ପାଦିତ ହେଉଥିବା ଡାଲିଗୁଡିକ କୁଆଡେ ଯାଉଛି ତାହା ଏବେ ପ୍ରଶ୍ନବାଚୀ ହୋଇଛି । କାରଣ ଡାଲି ପାଇଁ ଓଡିଶା ବର୍ଷ ସାରା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ଥିବାବେଳେ ସେହିସବୁ ରାଜ୍ୟର ବ୍ୟବସାୟୀମାନେ ଓଡିଶାର ଡାଲି ବଜାରକୁ ନିୟନ୍ତ୍ରଣ କରୁଛନ୍ତି ।
ଓଡିଶାରେ ଡାଲି ଜାତୀୟ ଶସ୍ୟର ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କାର୍ଯ୍ୟକାରୀ ହେଉଛି । ଡାଲି ଉତ୍ପାଦନ ବୃଦ୍ଧି ପାଇଁ ୨୦୦୭-୦୮ ରୁ ଏହି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ଚାଷୀମାନଙ୍କୁ ମିନି କିଟ୍ ପ୍ରଦାନ ସହିତ ତୃଣନାଶକ, କୀଟନାଶକ, ଜୈବିକ ସାର, ଅଣୁସାର ଆଦି ୫୦ ପ୍ରତିଶତ ରିହାତି ଦରରେ ଯୋଗାଯାଉଛି । ଏଥି ସହିତ ରିହାତି ଦରରେ କୀଟନାଶକ ସିଞ୍ଚନ ଯନ୍ତ୍ର, ପାଣି ପଡା ପାଇପ୍, ବିହନ ସଂରକ୍ଷଣ ଡ୍ରମ ଇତ୍ୟାଦି ମଧ୍ୟ ଯୋଗାଇ ଦିଆଯାଉଛି ।
ସରକାରୀ ପ୍ରୋତ୍ସାହନ ପରେ ରାଜ୍ୟ ରାଜ୍ୟରେ ଡାଲି ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି । ହେଲେ ଲକ୍ଷ୍ୟ କରାଯାଉଛି ଯେ ଚାଷୀମାନେ ଯେଉଁ ହାରରେ ଧାନ ଚାଷ ପାଇଁ ଆଗ୍ରହ ଦେଖାଉଛନ୍ତି ସେହି ହାରରେ ଡାଲି ଜାତୀୟ ଶସ୍ୟପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯେଉଁମାନେ ଡାଲି ଚାଷ କରୁଛନ୍ତି ସେମାନେ ପାରମ୍ପରିକ ଭାବେ ମୁଗ, ବିରି, କୋଳଥ ଆଦି ଚାଷ କରୁଥିବାବେଳେ ହରଡ ଓ ବୁଟ ଚାଷ ସେଭଳି ବହୁଳଭାବେ ଓଡିଶାରେ ହେଉନାହିଁ ।
ଯେତିକି ବି ଡାଲି ଚାଷ ଓଡିଶାରେ ଚାଷୀମାନେ କରୁଛନ୍ତି ଅମଳ ସମୟରେ ତାହା ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କ ହାତକୁ ଚାଲିଯାଉଛି । ଗୋଟିଏ ପଟେ ସରକାର ଧାନ ଭଳି ଡାଲି ଜାତୀୟ ଶସ୍ୟକୁ ଠିକଣା ଭାବେ ଖରିଦ ନକରିବା ଏବଂ ଅନ୍ୟପଟେ ଆବଶ୍ୟକ ଡାଲି ପ୍ରକ୍ରିୟାକରଣ କାରଖାନା ନଥିବାରୁ ଚାଷୀମାନେ ବ୍ୟବସାୟୀଙ୍କ ହାତରେ ଶାଗମାଛ ଦରରେ ଡାଲି ବିକ୍ରି କରିଦେଉଛନ୍ତି । ସେହି ଡାଲି ଅନ୍ୟ ରାଜ୍ୟରେ ପ୍ରକ୍ରିୟାକରଣ ହୋଇ ଓଡିଶା ଆସିବା ସହିତ ଚଢା ଦରରେ ବିକ୍ରି ହେଉଛି । ଓଡିଶାର ଖାଉଟିମାନେ ହରଡଡାଲି ଓ ବୁଟ ଡାଲି ଉପରେ ଅଧିକ ନିର୍ଭରଶୀଳ ଥିବାରୁ ଓଡିଶାର ବ୍ୟବସାୟୀମାନେ ବର୍ଷ ସାରା ଅନ୍ୟ ରାଜ୍ୟରୁ ଏହା ଆମଦାନୀ କରୁଛନ୍ତି ଏବଂ ଏ ବାବଦରେ ଓଡିଶାରୁ ଶହ ଶହ କୋଟି ଟଙ୍କାର ମୁନାଫା ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ନେଇ ଯାଉଛନ୍ତି । (ତଥ୍ୟ)