ଭୁବନେଶ୍ୱର : ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡିଶା ସ୍ୱାବଲମ୍ବୀ ହେବ ବୋଲି ବର୍ଷ ବର୍ଷ ଧରି ତୁହାକୁ ତୁହା ଘୋଷଣା କରାଯାଉଥିବାବେଳେ ଏ କ୍ଷେତ୍ରରେ କିନ୍ତୁ ବିଶେଷ ଉନ୍ନତି ପରିଲକ୍ଷିତ ହେଉନାହିଁ । ପଶ୍ଚିମବଙ୍ଗ ଠାରୁ ଉତ୍ତରପ୍ରଦେଶ ଏମିତିକି ପଞ୍ଜାବ, ହରିଆନା ଆଦି ରାଜ୍ୟ ଉପରେ ଓଡିଶାକୁ ନିର୍ଭର କରିବାକୁ ପଡୁଛି ।
ଓଡିଶାପାଇଁ ବର୍ଷକୁ ପ୍ରାୟ ୧୪ଲକ୍ଷ ମେଟ୍ରିକ ଟନ୍ ଆଳୁର ଆବଶ୍ୟକତା ଥିବାବେଳେ ବାହାର ରାଜ୍ୟମାନଙ୍କରୁ ପ୍ରାୟ ୧୨ଲକ୍ଷ ମେଟ୍ରିକ ଟନ୍ ଆଳୁ ଆମଦାନୀ କରିବାକୁ ପଡୁଛି । ରାଜ୍ୟରେ ୪ଲକ୍ଷ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ଆଳୁ ଉତ୍ପାଦନ ହେଉଛି ବୋଲି କୁହାଯାଉଥିବାବେଳେ ଏହାର ପାଖାପାଖି ତିନି ଚତୁର୍ଥାଂଶ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଏବେ ନାମମାତ୍ର ମୂଲ୍ୟରେ କିଣି ନେଉଛନ୍ତି ।
ଓଡିଶାର ମୃତ୍ତିକା ଓ ଜଳବାୟୁ ଆଳୁ ଚାଷପାଇଁ ଅନୁକୂଳ ଥିଲେ ମଧ୍ୟ ଭିତ୍ତିଭୂମିର ଅଭାବ ଯୋଗୁଁ ଚାଷୀମାନେ ଆଳୁ ଚାଷରୁ ମୁହଁ ଫେରାଉଛନ୍ତି । ସେମାନେ ଋଣ କରି ଓ ନିଜସ୍ୱ ପୁଞ୍ଜି ଖଟାଇ ବହୁ ପରିଶ୍ରମରେ ଯେତେ ଆଳୁ ଫଳାଉଛନ୍ତି ତାହାର ସଂରକ୍ଷଣ ଓ ବିପ୍ପଣନ ଦାୟିତ୍ୱ ସରକାର ନେଉନାହାନ୍ତି । ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଶୀତଳଭଣ୍ଡାର ନଥିବାରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଏବେକାର ଆଳୁ ଉତ୍ପାଦନ ଋତୁରେ ଚାଷୀମାନଙ୍କ ଠାରୁ କିଲୋ ୫/୭ ଟଙ୍କାରେ ଆଳୁ କିଣି ସେମାନଙ୍କ ସମ୍ପର୍କରେ ଥିବା ଶୀତଳଭଣ୍ଡାରମାନଙ୍କୁ ବୋହି ନେଉଛନ୍ତି ଏବଂ ପରବର୍ତ୍ତୀ ସମୟରେ ହି ଆଳୁକୁ ଓଡିଶା ବଜାରରେ କିଲୋ ୨୦ ରୁ ୩୦ ଟଙ୍କା ଦରରେ ବିକି ପ୍ରଚୁର ମୁନାଫା ଉଠାଉଛନ୍ତି । ତାପମାତ୍ରା ବଢୁଥିବାରୁ ଅମଳ ପରେ ପରେ ଆଳୁକୁ ଶୀତଳଭଣ୍ଡାରରେ ରଖାନଗଲେ ତାହା ଶୀଘ୍ର ପଚିଯିବାର ଆଶଙ୍କା ଥିବାରୁ ଚାଷୀମାନେ ବାଧ୍ୟହୋଇ କମ୍ ଦାମରେ ଆଳୁ ବିକି ବେଶ୍ କ୍ଷତି ସହୁଛନ୍ତି ।
ସରକାରୀ ହିସାବ ମୁତାବକ ଓଡିଶାର ୩୦ଟି ଜିଲ୍ଲା ମଧ୍ୟରୁ ମାତ୍ର ୧୭ଟି ଜିଲ୍ଲାରେ ୩୫ଟି ଶୀତଳଭଣ୍ଡାର ରହିଛି । ଏଥିରୁ ପୁରୀ ଜିଲ୍ଲାର ନିମାପଡା ଓ କଟକ ଜିଲ୍ଲାର ଜଗତପୁରରେ ଦୁଇଟି ମାତ୍ର ସମବାୟ ଶୀତଳଭଣ୍ଡାର ଥିବାବେଳେ ଅନ୍ୟ ଯେତେସବୁ ଶୀତଳଭଣ୍ଡାର ସମବାୟ ସଂସ୍ଥାମାନଙ୍କ ମାଧ୍ୟରେ ନିର୍ମାଣ କରାଯାଇଥିଲା ସେସବୁ ଅଚଳ ହୋଇପଡିଛି ।
ରାଜ୍ୟରେ ଏବେ ୩୩ଟି ଘରୋଇ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଥିବା କୁହାଯାଉଛି । ତେବେ ଏଥିରୁ ମଧ୍ୟ କେତେକ ସମ୍ପୂର୍ଣ୍ଣ ଅଥବା ଆଂଶିକ ଭାବେ ଅଚଳ ରହିଛନ୍ତି । ଘରୋଇ ଶୀତଳଭଣ୍ଡାରଗୁଡିକରେ ସାମଗ୍ରୀ ରଖିବାପାଇଁ ଅଧିକ ଅର୍ଥ ଦାବି କରାଯାଉଥିବାରୁ ଚାଷୀମାନଙ୍କ ପାଇଁ ତାହା ବୋଝ ଉପରେ ଲଳିତାବିଡା ଭଳି ହେଉଛି । ତେବେ ବ୍ୟବସାୟୀମାନେ ଚାଷୀମାନଙ୍କ ଠାରୁ କିଛି କିଛି ସାମଗ୍ରୀ କିଣି ଏହି ଶୀତଳଭଣ୍ଡାରମାନଙ୍କରେ ରଖି ପରବର୍ତ୍ତୀ ସମୟରେ ବେଶ୍ ମୁନାଫା ଉଠାଉଛନ୍ତି ।
ଆଳୁ, ପନିପରିବା, ଫଳ ଓ ଅନ୍ୟାନ୍ୟ ସାମଗ୍ରୀ ସଂରକ୍ଷିତ ରଖିବାପାଇଁ ଓଡିଶାରେ ଶୀତଳଭଣ୍ଡାରଗୁଡିକର କ୍ଷମତା ଅତି କମ୍ରେ ୨୦ଲକ୍ଷ ମେଟ୍ରିକ ଟନ୍ ରହିବାକଥା ବୋଲି କୃଷି ବିଶେଷଜ୍ଞମାନେ କହୁଛନ୍ତି । ତେବେ ସରକାରୀ ହିସାବ ମୁତାବକ ୧୭ଟି ଜିଲ୍ଲାରେ ଥିବା ୩୫ଟି ଶୀତଳଭଣ୍ଡାରର କ୍ଷମତା ମାତ୍ର ୧ଲକ୍ଷ ୭୨ହଜାର ମେଟ୍ରିକ ଟନ୍ ରହୁଛି ।
ବିଜେଡି ସରକାର ସମୟରେ ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ଆଳୁ ମିଶନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସେଥିରୁ ବିଶେଷ ଫାଇଦା ଚାଷୀଙ୍କୁ ମିଳିନଥିଲା । ଏବେ ପ୍ରତି ସବଡିଭିଜନରେ ସରକାର ଶୀତଳଭଣ୍ଡାର ପ୍ରତିଷ୍ଠା କରିବେ ବୋଲି କହୁଛନ୍ତି । କିନ୍ତୁ କେଉଁ ବ୍ଲକର କେଉଁ ଅଞ୍ଚଳରେ କେଉଁ କିସମର କେତେ ଆଳୁ, ପନିପରିବା, ଫଳମୂଳ ଆଦି ଉତ୍ପାଦିତ ହେବାର ସମ୍ଭାବନା ରହିଛି ତାହାକୁ ଆକଳନ କରି ପ୍ରତି ବ୍ଳକରେ ଏକାଧିକ ଶୀତଳଭଣ୍ଡାର ଖୋଲିବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)