Home General ଜଳଯୋଗାଣ ବ୍ୟତିକ୍ରମ ଧରିଲେ ସିଏଜି

ଜଳଯୋଗାଣ ବ୍ୟତିକ୍ରମ ଧରିଲେ ସିଏଜି

ଭୁବନେଶ୍ୱର : ଗାଁ ଗହଳର ଲୋକଙ୍କୁ ପାଇପ୍‍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସମନ୍ୱୟର ଅଭାବ ଯୋଗୁଁ ଲୋକେ ପାଣି ପାଇପାରୁ ନାହାନ୍ତି । କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ଏଭଳି ବ୍ୟତିକ୍ରମକୁ ନମୂନା ଭାବେ ଧରିଛନ୍ତି ଓଡିଶାର ମହା ଲେଖାକାର ।

ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଓମ୍ବାଡିସ୍‍ ପାଣ୍ଠିରେ ଆନନ୍ଦପୁର ଠାରେ ନିର୍ମାଣ ହେଉଥିବା ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଲୋକେ ପାଣି ପାଇପାରୁ ନଥିଲେ । ଆନନ୍ଦପୁରର ସମସ୍ତ ୧୩ଟି ପ୍ରକଳ୍ପକୁ ଗ୍ରାମ ପଞ୍ଚାୟତକୁ ରକ୍ଷଣା ବେକ୍ଷଣ ପାଇଁ ହସ୍ତାନ୍ତର କରିଥିଲେ । କିନ୍ତୁ ଠିକାଦାରମାନଙ୍କୁ ପରିଚାଳନା ଓ ରକ୍ଷଣା ବେକ୍ଷଣ ମୂଲ୍ୟ ନମିଳିବାରୁ ସେମାନେ ଏହାର ରକ୍ଷଣାବେକ୍ଷଣ କରିନଥିଲେ । ସେହିଭଳି ଯାଜପୁର ଜିଲ୍ଲାରେ ଦୁଇଟି ପାଇପ୍‍ ଜଳ ପ୍ରକଳ୍ପ ଗ୍ରାମ ପଞ୍ଚାୟତଗୁଡିକୁ ହସ୍ତାନ୍ତର ହୋଇପାରିନଥିଲା ।

ସିଏଜିଙ୍କ ପକ୍ଷରୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ମିଠିଗାଁଓ ସହିତ ଅନ୍ୟ ପାଞ୍ଚଟି ଗ୍ରାମରେ ସରଜମିନ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଜଣାପଡିଥିଲା ଯେ ୧୩ଟି ପ୍ରକଳ୍ପ ମଧ୍ୟରୁ ୬ଟି ପ୍ରକଳ୍ପରେ ତିନି ଜଣ ପମ୍ପଚାଳକ ନିୟୋଜିତ ହୋଇଥିଲେ ମଧ୍ୟ ସେମାନଙ୍କୁ ଦେଢବର୍ଷ ଧରି ଦରମା ଦିଆଯାଇନଥିଲା । ମିଠିଗାଁଓର ଚାରି ପରିବାରକୁ ଜଳ ସଂଯୋଗ ହୋଇନଥିବାବେଳେ ପାଇପରୁ କିନ୍ତୁ ପାଣି ବାହାରି ରାସ୍ତାରେ ଭାସୁଥିଲା ।

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ଦୁଇଟି ପାଇପ୍‍ ଜଳ ଯୋଗାଣ ପ୍ରକଳ୍ପର ଯାଞ୍ଚ ସମୟରେ ଦେଖାଯାଇଥିଲା ଯେ ଠିକାଦାର, ପମ୍ପ ପରିଚାଳକ, ଫିଟର, ସହାୟକ ଇତ୍ୟିାଦି ଭଳି କୌଣସି କର୍ମଚାରୀ ଯୋଗାଯାଇନଥିଲା । ବମ୍ବିଲୋକ ଏବଂ ବନ୍ଧ ଗାଁ ଗ୍ରାମରେ ପମ୍ପଗୁଡିକ ଠିକଣା ଭାବେ କାମ କରୁନଥିଲା । ପମ୍ପଗୁଡିକ ୧୦ ରୁ ୧୧୫ ମିନିଟ୍‍ ଚାଲିବାପରେ ଜଳ ସ୍ତର ଖସିଯାଉଥିବାରୁ ଓଭରହେଡ୍‍ ଟାଙ୍କି ଭର୍ତ୍ତି ହୋଇପାରୁନଥିଲା କି ଗାଁର ଶେଷ ମୁଣ୍ଡରେ ପାଣି ପହଞ୍ଚି ପାରୁନଥିଲା । ବମ୍ବିଲୋରେ ଜଳ ବିଶୋଧନ ୟୁନିଟ୍‍ ନଥିବାରୁ ଗାଁ ଲୋକଙ୍କୁ ଆବଶ୍ୟକ ବିଶୋଧନ ବିନା ଜଳ ଯୋଗାଇ ଦିଆଯାଉଥିଲା । ତେଣୁ ଯାଜପୁର ଓ ଆନନ୍ଦପୁର ମଣ୍ଡଳରେ ୧୪କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୫ଟି କ୍ଷୁଦ୍ର ପାଇପ୍‍ ଜଳଯୋଗାଣ ପ୍ରକଳ୍ପର ଦୀର୍ଘୟୁତା ଏବଂ ସ୍ଥାୟିତ୍ୱ ସନ୍ଦେହ ଜନକ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ।

ଆନନ୍ଦପୁର ଅଞ୍ଚଳରେ ବୃହତ୍‍ ଜଳଯୋଗାଣ ପ୍ରକଳ୍ପ କ୍ଷେତ୍ରରେ ମଧ୍ୟ ହୋଇଥିବା ଅନିୟମିତତାକୁ ସିଏଜି ଧରିଥିଲେ । ଏଜି ଦର୍ଶାଇଥିଲେ ଯେ ଓମ୍ବାଡିସ୍‍ ପାଣ୍ଠିରୁ ସୃଷ୍ଟି କୌଣସି ସ୍ଥାୟୀ କିମ୍ବା ଅର୍ଦ୍ଧସ୍ଥାୟୀ ସମ୍ପତ୍ତିର ନଥିପତ୍ର, ରକ୍ଷଣାବେକ୍ଷଣ ଏବଂ ବିସ୍ତୃତ ନିୟମ ଓ ସଂହିତା ଅନୁସାରେ ଏକ ସଂସ୍ଥା କିମ୍ବା ବିଭାଗ ଦ୍ୱାରା ସମୀକ୍ଷା କରାଯିବା ଉଚିତ୍‍ । ହେଲେ ଯାଞ୍ଚ ସମୟରେ ଦେଖିବାକୁ ମିଳିଥିଲା ଯେ ଯାଜପୁର ପରିମଳ ମଣ୍ଡଳର ନିର୍ବାହୀ ଯନ୍ତ୍ରୀ ତିନି ସମ୍ପୂର୍ଣ୍ଣ ପ୍ରକଳ୍ପ ମଧ୍ୟରୁ ମାତ୍ର ଗୋଟିଏ ବୃହତ୍‍ ପାଇପ୍‍ ଜଳ ଯୋଗାଣ ପ୍ରକଳ୍ପ ପାଇଁ ସମ୍ପତ୍ତି ରେଜିଷ୍ଟ୍ରାର ପରିଚାଳନା କରୁଥିଲେ । ସମ୍ପତ୍ତି ରେଜିଷ୍ଟ୍ରାର ତିଆରି ନହେବା ଫଳରେ ତଦାରଖ କରିବାକୁ କ୍ଷମତାପ୍ରାପ୍ତ ବିଭାଗ, ସଂସ୍ଥା ସମ୍ପତ୍ତିର ମୂଲ୍ୟ ଏବଂ ତାହାର ମୂଲ୍ୟହ୍ରାସ ଇତ୍ୟାଦି ତଥ୍ୟର ଅଭାବ ରହିଥିଲା । (ତଥ୍ୟ)