ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ବିଶ୍ୱବିଦ୍ୟାଳୟ ଆଇନ୍ ସଂକ୍ରାନ୍ତୀୟ ବିଲ୍ ଗୃହୀତ ହୋଇଥିଲେ ମଧ୍ୟ ବିଧିବ୍ୟବସ୍ଥା ଅନୁପାଳନରେ ବିଳମ୍ବ ହେଉଥିବାରୁ ସଂଶୋଧିତ ଆଇନ୍ ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗର ଅଧୀନରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡିଥିବା ବିଭିନ୍ନ ପଦପଦବୀ ପୂରଣ ହେବାରେ ବିଳମ୍ବ ହେଉଛି ।
ଏଠାରେ ଉଲ୍ଲେଖନୀୟ ଯେ ୨୦୨୦ ମସିହାରେ ଏ ସଂକ୍ରାନ୍ତୀୟ ଯେଉଁ ସଂଶୋଧିତ ଆଇନ୍ ପ୍ରଣୀତ ହୋଇଥିଲା ତାହାର ବୈଧତା ଉପରେ ପ୍ରଶ୍ନବାଚୀ ଉଠାଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଚାଲିଛି । ସୁପ୍ରିମକୋର୍ଟରୁ ଆୟୋଗ ମାମଲା ପ୍ରତ୍ୟାହାର କରିବା ପରେ ନୂଆ ନିଯୁକ୍ତି ପାଇଁ ବାଟ ଖୋଲିବ । ଏଥିପାଇଁ ୟୁଜିସି ପକ୍ଷରୁ ଏଯାବତ୍ କୌଣସି ଆବେଦନ କରାଯାଇ ନାହିଁ ବୋଲି ବରିଷ୍ଠ ଅଧିକାରୀମାନେ କହୁଛନ୍ତି ।
ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ରାଜ୍ୟପାଳଙ୍କ ସ୍ୱୀକୃତି ପରେ ଆଇନ୍ର ରୂପ ନେବ ଏବଂ ଏହାପରେ ୨୦୨୫ର ସଂଶୋଧିତ ଆଇନ୍ର ତର୍ଜମା କରି ୟୁଜିସି ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର ପାଇଁ ବିଚାର କରିପାରେ । ନହେଲେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିବା ପରେ ଯଦି ମାନ୍ୟବର କୋର୍ଟ ନିଯୁକ୍ତି ସଂକ୍ରାନ୍ତରେ କିଛି ଆଦେଶ ପ୍ରକାଶ କରନ୍ତି ତେବେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରିପାରିବେ ବୋଲି ଆଇନ୍ ବିଶେଷଜ୍ଞମାନେ କହୁଛନ୍ତି ।
ଏହି ସଂଶୋଧିତ ଆଇନ୍ ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ୧୭ଟି ବିଶ୍ୱବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ । ଏବେ ଏହି ୧୭ଟି ବିଶ୍ୱବିଦ୍ୟାଳୟ ଭିତରୁ ଉତ୍କଳ, ରମାଦେବୀ, ଖଲ୍ଳିକୋଟ, ଗଙ୍ଗାଧର, ମା’ମାଣିକେଶ୍ୱରୀ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଭଳି ୭ଟି ବିଶ୍ୱବିଦ୍ୟାଳୟରେ ନିୟମିତ କୁଳପତି ନାହାନ୍ତି । କେତେକ ସ୍ଥଳରେ ଅନ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନେ ଦାୟିତ୍ୱରେ ଥିବାବେଳେ ଆଉ କେତେକ ସ୍ଥଳରେ ପୂର୍ବତନ କୁଳପତିମାନଙ୍କୁ ଦାୟିତ୍ୱରେ ରଖାଯାଇଛି । ଆଉ କିଛି ବିଶ୍ୱବିଦ୍ୟାଳୟରେ ପିଜି କାଉନ୍ସିଲର ଅଧ୍ୟକ୍ଷଙ୍କୁ ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ଦିଆଯାଇଛି । ସୁପ୍ରିମକୋର୍ଟରେ ମାମଲାର ସମାଧାନ ପରେ ଏହି ୭ଟି ବିଶ୍ୱବିଦ୍ୟାଳୟ ଲାଗି କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହେବ । ଯଦି ମାମଲା ସମାଧାନରେ ବିଳମ୍ବ ଘଟେ ତେବେ ୨୦୨୫ ବର୍ଷରେ ଆଉ ୪ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ଖାଲି ହେଉଥିବାରୁ ସେଠାରେ ବି କାମଚଳା କୁଳପତି ବ୍ୟବସ୍ଥା ଚାଲିବ ।
ଉଚ୍ଚଶିକ୍ଷା ବିଭାଗର ଏହି ୧୭ଟିଯାକ ସରକାରୀ ବିଶ୍ୱବିଦ୍ୟାଳୟ ଲାଗି ୨୦୨୭ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୧୩୫୩ଟି ଖାଲି ପଡିଛି । ବିଶ୍ୱବିଦ୍ୟାଳୟ ଲାଗି ଅତିଥି ଅଧ୍ୟାପକ ଭରସା ଥିବାବେଳେ କେତେକ ସ୍ଥାନରେ ଯୁକ୍ତ ଦୁଇ ଶ୍ରେଣୀ ଲାଗି ନିଯୁକ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶ୍ରେଣୀରେ ପାଠ ପଢ଼ାଇବା ସହିତ ପିଏଚ୍ଡି ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାର୍ଗଦର୍ଶନ ଦେବାକୁ ହେଉଛି ।
ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଲାଗି ୨୮୭୯ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ କର୍ମଚାରୀ ପଦବୀ ଥିବାବେଳେ ସେଥିରୁ ବି ୨୦୮୧ଟି ଖାଲି ପଡିଛି । ସୁପ୍ରିମକୋର୍ଟରେ ମାମଲା ଆଳ ଦେଖାଇ ଏସବୁ ମଧ୍ୟ ପୂରଣ କରାଯାଉ ନାହିଁ । ବ୍ୟାପକ ସଂଖ୍ୟାରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଥିବାରୁ ଉଚ୍ଚଶିକ୍ଷା ବିଭାଗର ୧୭ଟି ଯାକ ବିଶ୍ୱବିଦ୍ୟାଳୟରେ ପାଠପଢ଼ା, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ବ୍ୟାହତ ହେଉଥିବାବେଳେ ଆଇନ୍ଶୃଙ୍ଖଳା ପରିସ୍ଥିତି ବିଗୁଡ଼ୁଛି ଏବଂ କ୍ରମଶଃ ବିଶ୍ୱବିଦ୍ୟାଳୟଗୁଡ଼ିକର ପବିତ୍ର ପରିସର ନିଶାଡ଼ି ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳରେ ପରିଣତ ହେଉଛି । ତେବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ମାମଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବିପିୟୁଟି, ଭିମ୍ସାର୍, ସଂସ୍କୃତି ବିଶ୍ୱବିଦ୍ୟାଳୟ, ଓଡିଆର୍, ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭଳି ବିଶ୍ୱବିଦ୍ୟାଳୟଗୁଡ଼ିକ ଲାଗି ପ୍ରତିବନ୍ଧକ ସୃଷ୍ଟି କରୁନଥିବାବେଳେ ସେଠାରେ ବି ମାଳମାଳ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ବର୍ଷବର୍ଷ ଧରି ପୂରଣ ହୋଇପାରୁ ନାହିଁ । (ତଥ୍ୟ)