ଭୁବନେଶ୍ୱର : ଓଡିଶାରେ ତିନି ପ୍ରମୁଖ ରାଜନୈତିକଦଳର ସାଂଗଠନିକ ପୁର୍ନବିନ୍ୟାସ ଅଧାପନ୍ତରିଆ ଭାବେ ପଡି ରହିଛି । ଦଳୀୟ ସଂଗଠନର ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଅଧିଷ୍ଠିତ ହେବାପାଇଁ ବିଜେପି, ବିଜେଡି ଓ କଂଗ୍ରେସର ବହୁ ନେତା ଲବି ଚଳାଇଥିଲେ ମଧ୍ୟ ମାସ ମାସ ଧରି ସେମାନଙ୍କ ଆଶା ପୂରଣ ହେଉନାହିଁ ।
ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ସାଂଗଠନିକ ନିର୍ବାଚନ ଓଡିଶା ସମେତ ସାରା ଦେଶରେ ହୋଇସାରିଛି । ରାଜ୍ୟର ଅନେକ ଜିଲ୍ଲାରେ ଦଳର ଜିଲ୍ଲାଶାଖା ସଭାପତିଙ୍କ ନାମ ଘୋଷିତ ହୋଇ ସାରିଥିବାବେଳେ ଏଯାବତ୍ ରାଜ୍ୟଶାଖା ସଭାପତିଙ୍କ ନାମ ଘୋଷଣା କରାଯାଇ ପାରୁନାହିଁ । ରାଜ୍ୟଶାଖା ସଭାପତି ନିର୍ବାଚନ କିମ୍ବା ମନୋନୟନ ପରେ ରାଜ୍ୟ କମିଟି, ଜିଲ୍ଲାସ୍ତରୀୟ କମିଟି ଏବଂ ବ୍ଲକ ଓ ମଣ୍ଡଳସ୍ତରୀୟ କମିଟି ପୂର୍ଣ୍ଣାଙ୍ଗ ରୂପ ନେବ । ରାଜ୍ୟ ସଭାପତି ଦୌଡରେ ଅନେକ ନେତାଙ୍କ ନାମ ଶୁଣାଯାଉଥିବାବେଳେ ପୁର୍ନଗଠିତ କମିଟିରେ ସ୍ଥାନ ପାଇବାପାଇଁ ମଧ୍ୟ ଆଶାୟୀଙ୍କ ଧାଡି ଲମ୍ବୁଛି । ବିଜେପି ଏବେ କେନ୍ଦ୍ର ସହିତ ରାଜ୍ୟରେ ସରକାର ଗଢିଥିବାରୁ ଏହି ଦଳର କର୍ମକର୍ତ୍ତାମାନଙ୍କର ଦବଦବା ରହିବା ସମ୍ଭାବନା ଥିବା ଦୃଷ୍ଟିରୁ ଏଠି ଆଶାୟୀଙ୍କ ସଂଖ୍ୟା ଅଧିକ ରହିବା ସ୍ୱାଭାବିକ ।
୨୪ବର୍ଷ ଧରି ଓଡିଶାରେ ଶାସନ କ୍ଷମତାରେ ରହି ଗତବର୍ଷ କ୍ଷମତାଚ୍ୟୁତ ହୋଇଥିବା ବିଜେଡିର ନିର୍ବାଚନ ପ୍ରକ୍ରିୟା ପ୍ରାୟ ଛଅମାସ ଧରି ଚାଲିଛି । ୧୯୯୭ରେ ବିଜେଡି ଗଠନ ହେବା ଦିନଠାରୁ ନବୀନ ପଟ୍ଟନାୟକ ଦଳର ସଭାପତି ରହି ଆସିଛନ୍ତି । ଏଥର ବି ନବୀନ ପୁଣି ସଭାପତି ରହିବା ଏକପ୍ରକାର ନିଶ୍ଚିତ । ରାଜ୍ୟସାରା ଦଳର ସଦସ୍ୟ ସଂଗ୍ରହ ଅଭିଯାନ ଚାଲିଥିବାବେଳେ ଜିଲ୍ଲା ଓ ବ୍ଲକ ସ୍ତରରେ କାର୍ଯ୍ୟକର୍ତ୍ତା ନିର୍ବାଚନ ସରିନାହିଁ । ରାଜ୍ୟଶାଖା ସଭାପତି ନିର୍ବାଚିତ ହେବାପରେ ଜିଲ୍ଲା ଓ ବ୍ଲକ ସ୍ତରର କର୍ମକର୍ତ୍ତା ମନୋନୀତି ହେବେ ବୋଲି ଦଳୀୟ ନେତାମାନେ କହୁଛନ୍ତି ।
ପ୍ରାୟ ସାତମାସ ଧରି ଓଡିଶାରେ କଂଗ୍ରେସ ସଂଗଠନ ଏକ ପ୍ରକାର ମୁରବିବିହୀନ ହୋଇ ପଡିଥିଲା । ମାସେ ତଳେ ଦଳର କେନ୍ଦ୍ରୀୟ ନେତୃତ୍ୱ ଭକ୍ତ ଚରଣ ଦାସଙ୍କ ଉପରେ ଭରସା କରି ତାଙ୍କୁ ରାଜ୍ୟଶାଖା ସଭାପତି ଭାବେ ମନୋନିତ କରିଛନ୍ତି । ବହୁବର୍ଷ ଧରି କଂଗ୍ରେସରେ ଆଉ ବ୍ଲକ, ଜିଲ୍ଲା ଓ ରାଜ୍ୟ ସଂଗଠନ ପାଇଁ କର୍ମକର୍ତ୍ତା ନିର୍ବାଚନ ହେଉନାହିଁ । କେନ୍ଦ୍ର ନେତୃତ୍ୱ ରାଜ୍ୟ ସଭାପତିଙ୍କୁ ମନୋନିତ କରିବାପରେ ରାଜ୍ୟ ସଭାପତି ଦଳର ପ୍ରଭାରୀ ଆଦିଙ୍କ ସୁପାରିଶ୍ ଆଧାରରେ ରାଜ୍ୟ କମିଟିର କର୍ମକର୍ତ୍ତା, ବିଭିନ୍ନ ଛାମୁଆ ସଂଗଠନର ପୁର୍ନଗଠନ ହେଉଛି । ଏହାଛଡା ଜିଲ୍ଲାଓ ବ୍ଲକ ସ୍ତରରେ ମଧ୍ୟ ମନୋନୟନ ଭିତ୍ତିରେ କଂଗ୍ରେସ ଦଳ କମିଟି ଗଢୁଛି ।
ଏବେ କଂଗ୍ରେସ ପାଇଁ ଅନୁକୂଳ ବାତାବରଣ ବୃଦ୍ଧି ପାଉଥିବାରୁ ଦଳୀୟ ସଂଗଠନରେ ପ୍ରବେଶ କରିବାଲାଗି ଉଭୟ ପୁରୁଖା ଓ ଯୁବ ନେତୃତ୍ୱ ଆଗ୍ରହୀ । ଏ କ୍ଷେତ୍ରରେ ବ୍ଲକ ଠାରୁ ପ୍ରଦେଶ ସଂଗଠନ ପର୍ଯ୍ୟନ୍ତ ବିଭିନ୍ନ ପଦ ପଦବୀରେ କାହାକୁ ବସାଯିବ ସେଥିଘେନି ଅଙ୍କକଷା ଛିଡୁନାହିଁ । ତେବେ ଜିଲ୍ଲାସ୍ତରରେ ସମ୍ମିଳନୀମାନ ଆୟୋଜନ କରି କର୍ମୀ ଓ ସ୍ଥାନୀୟ ନେତାଙ୍କ ମତାମତ ଆଧାରରେ ସାଂଗଠନିକ ପୁର୍ନଗଠନ ହେବ ବୋଲି ନିକଟରେ ପିସିସି ସଭାପତି ସୂଚନା ଦେଇଛନ୍ତି ।
ଏହି ତିନି ପ୍ରମୁଖ ଦଳର ସାଂଗଠନିକ ନିର୍ବାଚନ ଓ ମନୋନୟନ କାର୍ଯ୍ୟ ଶେଷ ହେଉନଥିବାବେଳେ ରାଜ୍ୟରେ ଥିବା ଅନ୍ୟ ବହୁ ଦଳରେ ବି ଅନୁରୂପ ଅବସ୍ଥା ଲାଗି ରହିଛି । ପଞ୍ଚାୟତ ଓ ପୌର ନିର୍ବାଚନ ପାଖେଇ ଆସୁଥିବା ଏବଂ ମୁଣ୍ଡଉପରେ ରାଜ୍ୟସଭା ନିର୍ବାଚନ ଥିବା ପରିପ୍ରେକ୍ଷୀରେ ରାଜନୈତିକ ପର୍ଯ୍ୟବେକ୍ଷକମାନେ ତିନି ପ୍ରମୁଖ ଦଳର ସାଂଗଠନିକ ପୁର୍ନବିନ୍ୟାସ ଉପରେ ନଜର ରଖିଛନ୍ତି । (ତଥ୍ୟ)