Home News in Odia ମୋଟର ପରିବହନ କଲ୍ୟାଣ ବୋର୍ଡର ୱେବ ପୋର୍ଟାଲ

ମୋଟର ପରିବହନ କଲ୍ୟାଣ ବୋର୍ଡର ୱେବ ପୋର୍ଟାଲ

ଭୁବନେଶ୍ୱର : ଓଡ଼ିଶା ମୋଟର ପରିବହନ ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡରେ ସଦସ୍ୟତା କିମ୍ବା ଅନୁକମ୍ପାମୂଳକ ସହାୟତା ପାଇଁ ଏଣିକି କୌଣସି ଦପ୍ତର ଆସିବାକୁ ପଡ଼ିବ ନାହିଁ । ଅନ୍‌ଲାଇନ୍‌ରେ ଏହି ସମସ୍ତ ସୁବିଧା ଉପଲବ୍ଧ ହୋଇଛି । ଖାରବେଳ ଭବନରେ ଆୟୋଜିତ ବୋର୍ଡର ଚତୁର୍ଥ ବୈଠକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ଏ ସଂପର୍କିତ ୱେବ ପୋର୍ଟାଲ https://driverwelfare.odisha.gov.in ଲୋକାର୍ପିତ ହୋଇଯାଇଛି । ଏହା ଦ୍ୱାରା ରାଜ୍ୟର ହଜାର ହଜାର ମୋଟର ଯାନଚାଳକ ଓ କର୍ମଚାରୀ ଉପକୃତ ହେବା ସହ ସହାୟତା ପ୍ରଦାନ ବ୍ୟବସ୍ଥା ଅଧିକ ସକ୍ରିୟ ଓ ପାରଦର୍ଶୀ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା ଆଶାବ୍ୟକ୍ତ କରିଛନ୍ତି ।

ଏହା ବ୍ୟତୀତ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ବୋର୍ଡ ସଦସ୍ୟ ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପରିବହନ ଆୟୁକ୍ତ ଶ୍ରୀ ଅମିତାଭ ଠାକୁର, ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ସିଭିଲ ସୋସାଇଟି ସଦସ୍ୟ, ଡ୍ରାଇଭର ସଙ୍ଘ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଚାଳକମାନେ ବୋର୍ଡର ଅଧ୍ୟକ୍ଷଙ୍କ ନିକଟରେ ନିଜର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ ।

ଏହାକୁ ତର୍ଜମା କରି ସକରାତ୍ମକ ନିଷ୍ପତ୍ତି ଗ୍ରହଣ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ୱେବ ପୋର୍ଟାଲରେ ସୁବିଧା କେନ୍ଦ୍ର, ଜରୁରୀକାଳୀନ ସହାୟତା ଓ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଅନୁକମ୍ପାମୂଳକ ସହାୟତା ବୟସ ସୀମା ୬୦ରୁ ୬୫କୁ ବୃଦ୍ଧି କରାଯିବା ଦାବି ଉପରେ ପ୍ରଧାନ୍ୟ ଦେଇ ମନ୍ତ୍ରୀ କହିଛନ୍ତି ଯେ ସରକାର ଚାହୁଁଛନ୍ତି ଅଧିକରୁ ଅଧିକ ଚାଳକଙ୍କ ପରିବାର ଏହାର ଲାଭ ପାଆନ୍ତୁ । ତେବେ ଏ ସଂପର୍କରେ ସମସ୍ତ ଦିଗକୁ ତର୍ଜମା କରିବାକୁ ସବ୍‌କମିଟି ଗଠନ କରାଯିବ । ଭାରତ ସରକାରଙ୍କ ନିୟମ, ଶ୍ରମ ବିଭାଗର ବ୍ୟବସ୍ଥା ଓ ଅନ୍ୟାନ୍ୟ ବିଷୟକୁ ଅନୁଧ୍ୟାନ କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।

 ସେହିଭଳି ଅଟୋ ଚାଳକମାନେ ମଧ୍ୟ କିଭଳି ସରକାରୀ ସହାୟତାର ଲାଭ ପାଇବେ ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ସେଥିପାଇଁ ଶ୍ରମ ବିଭାଗର ଥିବା ପୋର୍ଟାଲରେ ପଞ୍ଜୀକରଣ ବ୍ୟବସ୍ଥା ସଂପର୍କରେ ଶ୍ରମ ଆୟୁକ୍ତ ଜଣାଇଥିଲେ । ତେବେ ଏ ସଂପର୍କରେ ଅଧିକ ସଚେତନତା ସୃଷ୍ଟି ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଟୋ ସଙ୍ଘ ନେତାମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।

ବୈଠକରେ ମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ସରକାର ଚାଳକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । କଲ୍ୟାଣ ବୋର୍ଡ ଜରିଆରେ ଚାଳକଙ୍କ ଉନ୍ନତି ପାଇଁ କିଭଳି ଅଧିକ ପଦକ୍ଷେପ ନିଆଯାଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ ସୂଚନା ଦେଇଥିଲେ । ଏହି ବୈଠକରେ ଡ୍ରାଇଭର ସଂଘର ପ୍ରତିନିଧି ତଥା ବୋର୍ଡର ସଦସ୍ୟ ଶ୍ରୀ ପ୍ରଶାନ୍ତ ମେଣ୍ଡୁଲି, ଶ୍ରୀ ଆଦିତ୍ୟ ବେହେରା ଏବଂ ଶ୍ରୀ ଦୀପକ ପଟ୍ଟନାୟକଙ୍କ ସହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବୋର୍ଡର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ପ୍ରଶାସନିକ ଅଧିକାରୀ ଧନଞ୍ଜୟ ସେନାପତି ବିବରଣୀ ଉପସ୍ଥାପନ କରିଥିବା ବେଳେ ମୁଖ୍ୟ ବିତ୍ତ ଅଧିକାରୀ ପ୍ରଭାତ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।