Home Education ଆୟକର ସାର୍ଟିଫିକେଟ ପାଇଁ ଛାତ୍ରଛାତ୍ରୀ ହଟହଟା

ଆୟକର ସାର୍ଟିଫିକେଟ ପାଇଁ ଛାତ୍ରଛାତ୍ରୀ ହଟହଟା

ଭୁବନେଶ୍ୱର : ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଏବେ ଆୟକର ଓ ବାସସ୍ଥାନ ପ୍ରମାଣପତ୍ର ପାଇଁ ଖର୍ଚ୍ଚାନ୍ତ ସହିତ ହଟହଟା ହେଉଛନ୍ତି । ଆୟକର କ୍ଷେତ୍ରରେ ଅଭିଭାବକଙ୍କ ଆୟକର ବିଭାଗର ପ୍ରମାଣପତ୍ରକୁ ଗ୍ରହଣ କରାଯାଉନଥିବାବେଳେ ବାସସ୍ଥାନ ପ୍ରମାଣପତ୍ର ଭାବେ ସରକାରୀ କ୍ୱାଟର୍ସର ଠିକଣାକୁ ସରକାର ଗ୍ରହଣ କରୁନାହାନ୍ତି ।

ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏବେ ଉଚ୍ଚଶିକ୍ଷା ପାଇଁ ଆବେଦନ କରିବା ହେଉ କିମ୍ବା ବୃତ୍ତି ପାଇଁ ହେଉ ସବୁଠାରେ ବାସସ୍ଥାନ ଓ ଆୟକରଣ ପ୍ରମାଣପତ୍ର ଆବଶ୍ୟକ ହେଉଛି । ତେବେ ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ନିୟମିତ ଭାବେ ଆୟକର ଦାଖଲ କରୁଛନ୍ତି ସେମାନଙ୍କର ସାର୍ଟିଫିକେଟକୁ ସରକାର ଗ୍ରହଣ କରୁନାହାନ୍ତି । ଫଳରେ ଛାତ୍ରଛାତ୍ରୀମାନେ ଖର୍ଚ୍ଚାନ୍ତ ହୋଇ ଜନସେବା କେନ୍ଦ୍ରକୁ ଯାଇ ଆୟକର ପ୍ରମାଣପତ୍ର ପାଇଁ ଆବେଦନ କରୁଛନ୍ତି । ଜନସେବାକେନ୍ଦ୍ର କର୍ତ୍ତୃପକ୍ଷ ଆୟକର ପ୍ରମାଣପତ୍ର ପାଇଁ ଅଭିଭାବକଙ୍କ ବ୍ୟାଙ୍କ୍‍ କାରବାରର ବିବରଣୀ ମାଗୁଛନ୍ତି । ଯେଉଁମାନେ ଦେଉନାହାନ୍ତି ସେମାନଙ୍କ ଆୟକର ମନଇଚ୍ଛା ପକାଉଛନ୍ତି । ନିକଟରେ ବିଧାନସଭାରେ ଏ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଏକ ପ୍ରଶ୍ନ ପଚାରିଥିବାବେଳେ ଆୟକର ପ୍ରମାଣପତ୍ରକୁ ଆୟକର ସାର୍ଟିଫିକେଟ ଭାବେ ଗ୍ରହଣ ପାଇଁ ସରକାର ବିଚାରୁଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସରକାର ଏ ସଂକ୍ରାନ୍ତରେ ଅବଗତ ଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।

ସେହିଭଳି ବାସସ୍ଥାନ ପ୍ରମାଣପତ୍ର ପାଇଁ ମଧ୍ୟ ଛାତ୍ରଛାତ୍ରୀମାନେ ହଟହଟା ହେଉଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଭଡାଘରେ କିମ୍ବା ସରକାରୀ କ୍ୱାଟର୍ସରେ ରହୁଛନ୍ତି ସେମାନେ ଅଧିକ ହଇରାଣ ହେଉଛନ୍ତି । କାରଣ ଅଭିଭାବକଙ୍କ ନାମରେ ଥିବା ବିଦ୍ୟୁତ୍‍ ବିଲ୍‍, ପାଣି ବିଲ୍‍, ଟେଲିଫୋନ୍‍ ବିଲ୍‍, ପାସପୋର୍ଟରେ ଥିବା ଠିକଣା ଆଦିକୁ ବାସସ୍ଥାନ ସାର୍ଟିଫିକେଟ ଭାବେ ସରକାର ଗ୍ରହଣ କରୁନାହାନ୍ତି ।

ଏଥିଯୋଗୁଁ ଛାତ୍ରଛାତ୍ରୀମାନେ ଏବେ ପାଠପଢା ଛାଡି ଜନସେବା କେନ୍ଦ୍ରକୁ ଦଉଡିବାରେ ଲାଗିଛନ୍ତି । କେତେକ ଛାତ୍ରଛାତ୍ରୀ ନିଜ ନିଜ ଗାଁକୁ ବି ବାସସ୍ଥାନ ପ୍ରମାଣପତ୍ର ବାହାର କରିବାକୁ ଯାଉଛନ୍ତି । ଜମିଜମା ରେକର୍ଡ ଯୋଗାଡ ପାଇଁ ସେମାନଙ୍କୁ ନାକେଦମ ହେବାକୁ ପଡୁଛି ।

ତେଣୁ ଛାତ୍ରଛାତ୍ରୀମାନଙ୍କ ପାଇଁ ବାସସ୍ଥାନ କିମ୍ବା ଆୟକର ପ୍ରମାଣପତ୍ର କ୍ଷେତ୍ରରେ ନିୟମ କୋହଳ ପାଇଁ ମତପ୍ରକାଶ ପାଉଛି । ବିଶେଷକରି ଯେଉଁ ଅଭିଭାବକମାନେ ଆୟକର ଦାଖଲ କରୁଛନ୍ତି ସେମାନଙ୍କ ପ୍ରମାଣପତ୍ରକୁ ତୁରନ୍ତ ସାର୍ଟିଫିକେଟ ଭାବେ ଗ୍ରହଣ କରିବା ସହିତ ବାସସ୍ଥାନ ପ୍ରମାଣପାଇଁ ସରକାରଙ୍କର ବିଭିନ୍ନ କାର୍ଯ୍ୟ ପାଇଁ ଥିବା ବିଦ୍ୟୁତ୍‍, ପାଣି, ଟେଲିଫୋନ୍‍ ଆଦି ବିଲ୍‍କୁ ଧରିବାକୁ କିମ୍ବା ଅଭିଭାବକମାନେ ନିଜସ୍ୱ ଘୋଷଣାନାମାକୁ ଗ୍ରହଣ କରିବାକୁ ଦାବି ହେଉଛି । ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ କଲେ ଛାତ୍ରଛାତ୍ରୀମାନେ ହଟହଟା ହେବାକୁ ରକ୍ଷା ପାଇପାରନ୍ତେ । (ତଥ୍ୟ)