Home Health ନିଦାନ ରିପୋର୍ଟ ମୋବାଇଲରେ ମିଳୁନି

ନିଦାନ ରିପୋର୍ଟ ମୋବାଇଲରେ ମିଳୁନି

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ବିଭିନ୍ନ ପରୀକ୍ଷା ନିରୀକ୍ଷାର ରିପୋର୍ଟ ଆଉ ନିୟମିତ ଭାବେ ରୋଗୀଙ୍କ ମୋବାଇଲ୍‍କୁ ଯାଉନାହିଁ । ଏହି ବ୍ୟବସ୍ଥାରେ ପ୍ରାୟ ତିନିମାସ ବିଭ୍ରାଟ ଦେଖାଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ହନ୍ତସନ୍ତ ହେଉଛନ୍ତି ।

ରାଜ୍ୟ ସରକାର ରୋଗୀମାନଙ୍କୁ ପାଇଁ ବିନାମୂଲ୍ୟରେ ନିଦାନ ସେବା ଯୋଗାଇ ଦେଉଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ଶହ ଶହ ରୋଗୀ ବିଭିନ୍ନ ପରୀକ୍ଷା ନିରୀକ୍ଷାପାଇଁ ଆସୁଛନ୍ତି । ରକ୍ତ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ ରିପୋର୍ଟ ରୋଗୀଙ୍କ ମୋବାଇଲ୍‍କୁ ପଠାଇବାପାଇଁ କର୍ତ୍ତୃପକ୍ଷ ସି-ଡାକ୍‍ ନାମକ କେନ୍ଦ୍ରୀୟ ସରକାରୀ ସଂସ୍ଥାକୁ କାର୍ଯ୍ୟ ପ୍ରଦାନ କରିଛନ୍ତି । ପୂର୍ବରୁ ଏହି ସଂସ୍ଥା ନିୟମିତ ଭାବେ ରୋଗୀଙ୍କ ମୋବାଇଲ୍‍ ନମ୍ବରକୁ ରିପୋର୍ଟ ପ୍ରେରଣ କରୁଥିଲା ।

ଫଳରେ ରୋଗୀମାନେ ରିପୋର୍ଟଟିଏ ପାଇବାପାଇଁ କ୍ୟାପିଟାଲ ହସ୍ପିଟାଲରେ ଆସି ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବାରୁ ରକ୍ଷା ପାଇଥିଲେ । ହେଲେ ଗତି ପ୍ରାୟ ତିନିମାସ ଧରି ଏହି ବ୍ୟବସ୍ଥାରେ ବିଭ୍ରାଟ ଦେଖାଦେଇଛି । ନମୂନା ପରୀକ୍ଷା ପ୍ରଦାନର ସୂଚନା କିମ୍ବା ପରୀକ୍ଷାର ରିପୋର୍ଟ ରୋଗୀମାନେ ଆଉ ମୋବାଇଲ ନମ୍ବରରେ ପାଇପାରୁ ନାହାନ୍ତି । ଫଳରେ ସେମାନେ ସକାଳେ ଆସି ଧାଡିରେ ଛିଡାହୋଇ ନମୂନା ପ୍ରଦାନ କରୁଥିବାବେଳେ ଅପରାହ୍ନରେ ଆସି ଲମ୍ବା ଧାଡିରେ ଛିଡାହୋଇ ରିପୋର୍ଟ ସଂଗ୍ରହ କରୁଛନ୍ତି ।

ଏ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ କିଛି ଦିନ ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରୁଛି । ଦୈନିକ ନମୂନା ପ୍ରଦାନ କରୁଥିବା କିଛି ରୋଗୀଙ୍କ ମୋବାଇଲ୍‍ ନମ୍ବରକୁ ରିପୋର୍ଟ ଯାଉଥିବାବେଳେ ଅନେକ କିନ୍ତୁ ଏହି ସୁବିଧା ପାଇପାରୁ ନାହାନ୍ତି । ଫଳରେ ଦୂର ଦୂରାନ୍ତର ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଖର୍ଚ୍ଚାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲକୁ ଦଉଡୁଛନ୍ତି ।

କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ବିଭିନ୍ନ ପରୀକ୍ଷାର ରିପୋର୍ଟ ଠିକଣା ସମୟରେ ପ୍ରଦାନ କରୁଛନ୍ତି । ଏହି ରିପୋର୍ଟ ତତ୍କାଳ ସି-ଡାକ୍‍ ସଫ୍ଟୱେରରେ ଅପଲୋଡ ହେଲେ ଲୋକଙ୍କ ମୋବାଇଲ୍‍ ନମ୍ବରରେ ପହଞ୍ଚିଯିବା କଥା । ହେଲେ କୌଣସି କାରଣରୁ ଏହା ହୋଇପାରୁ ନାହିଁ । ଏଥିରେ କ୍ୟାପିଟାଲ୍‍ ହସ୍ପିଟାଲ କର୍ତ୍ତୃପକ୍ଷ କିମ୍ବା ସି-ଡାକ୍‍ କେଉଁଠି ସମସ୍ୟା ରହିଛି ତାହା ସାଧାରଣ ଲୋକଙ୍କ ପାଇଁ ଅଜଣା ହୋଇଥିବାବେଳେ ସେମାନେ କିନ୍ତୁ ନାକେଦମ ହେବାରେ ଲାଗିଛନ୍ତି । ଉଭୟ କ୍ୟାପିଟାଲ ହସ୍ପିଟାଲ ଓ ସି-ଡାକ୍‍ ସରକାରୀ ସଂସ୍ଥା ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଏହି ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)