ଭୁବନେଶ୍ୱର: ଭାରତ ବର୍ଷର ଗଣତାନ୍ତ୍ରିକ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାର ଗୃହ ଭିତରକୁ ପୁଲିସ ପଶି ବିଧାନସଭାର ଧାରଣାରେ ବସିଥିବା କଂଗ୍ରେସ ସଦସ୍ୟ ମାନଙ୍କୁ ବଳପ୍ରୟୋଗ କରି ଏବଂ ତାଙ୍କୁ ଧସ୍ତାଧସ୍ତି କରି ଅର୍ଦ୍ଧ ରାତ୍ର୍ରିରେ ଆଣି ମାଷ୍ଟରକ୍ୟାଣ୍ଟିନ ଛକରେ ଛାଡ଼ିଲା । ସାରା ପୃଥିବୀର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆପଣେଇ ଥିବା କୌଣସି ଏକ ରାଷ୍ଟ୍ରରେ ଏଭଳି ଘଟଣା କେବେ ଘଟିନାହିଁ ବା ଘଟିବାର ନଜିର ମଧ୍ୟ ନାହିଁ ।
ଆଜି ଯେଉଁମାନେ ଓଡ଼ିଶାରେ କ୍ଷମତାରେ ଅଛନ୍ତି ସେମାନେ କେବେହେଳେ ଭାରତ ବର୍ଷର ସ୍ୱାଧୀନତା ଆନ୍ଦୋଳନରେ ଅଂଶ ଗ୍ରହଣ କରିନଥିଲେ କିମ୍ବା ଆମେ ଆପଣେଇଥିବା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ମଧ୍ୟ ତାଙ୍କର ସମ୍ମାନ ଓ ସହମତି ନଥିଲା ଓ ଆଜି ମଧ୍ୟ ନାହିଁ । ମୂଳ ପ୍ରଶ୍ନ ହେଉଛି ସମ୍ବିଧାନର ଧାରା ୧୦୮ ଅନୁସାରେ ଓଡ଼ିଶା ବିଧାନସଭାର ପରିଚାଳନା କରିବା ପାଇଁ ଯେଉଁ ଆଇନ୍ ଓ ବ୍ୟବସ୍ଥା ପ୍ରଣୟନ କରାଯାଇଛି ତା’ର ନିୟମ ୨୧୬ ଅନୁସାରେ ବିଧାନସଭାର ବାସସ୍ପତି ଗୃହକୁ ସୁଚାରୁରୂପେ ପରିଚାଳନା କରିବା ତାଙ୍କର ଦାୟିତ୍ୱ ।
ଗୃହ ଚାଲିଥିବା ସମୟରେ ବାଚସ୍ପତି ମହୋଦୟା ଯେଉଁ ରୁଲ୍ଙ୍ଗି ଦେବେ ତାହା ତୁରନ୍ତ କାର୍ଯ୍ୟକାରୀ କରାଯାଏ କିନ୍ତୁ ଯେତେବେଳେ ଗୃହ ବନ୍ଦ ରହିଛି ସେ ସମୟରେ ବାଚସ୍ପତି ମହୋଦୟା କୌଣସି ରୁଲିଙ୍ଗ୍ ଦେଇପାରିବେ ନାହିଁ । ବୋଲି ଏହି ନିୟମରେ ଉଲ୍ଲେଖ ଅଛି । ତେଣୁ ଯେତେବେଳେ ଗୃହ ବନ୍ଦ ରହିଥିଲା ସେତେବେଳେ କାହା ନିର୍ଦ୍ଦେଶରେ ପୁଲିସ ବିଧାନସଭାର ପବିତ୍ର ଗୃହ ଭିତରକୁ ପ୍ରବେଶ କରିଥିଲା ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଥିଲେ ।
ଶ୍ରୀ ହରିଚନ୍ଦନ ଆହୁରି କହିଥିଲେ ଯେ ଏଭଳି ସ୍ଥିତି ଆମ ଗଣତନ୍ତ୍ର ପ୍ରତି ଘୋର ବିପଦ ସୃଷ୍ଟି କରୁଛି । ବାଚସ୍ପତି ମହୋଦୟା ରାଜ୍ୟବାସୀଙ୍କ ସମ୍ମୁଖରେ ଏହାର ସଂପୂର୍ଣ୍ଣ ତଥ୍ୟ ରଖନ୍ତୁ । ବିଧାନସଭା ଭିତରକୁ କେବଳ ବିଧାୟକମାନଙ୍କର ଯିବାର ଅନୁମତି ଅଛି । ବିଧାନସଭା ବନ୍ଦ ଥିବାବେଳେ କିପରି ପୁଲିସ ବିଧାନସଭା ଭିତରକୁ ପଶିଲେ? ଯଦି ପୁଲିସ ଅଧିକାରୀମାନେ ଅନଧିକାରଭାବେ ବିଧାନସଭା ଗୃହ ଭିତରକୁ ପ୍ରବେଶ କରିଛନ୍ତି ତାହାଲେ ବାଚସ୍ପତି ମହୋଦୟା ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି । ଯଦି ବିଧାନସଭା ଚାଲୁନଥିଲା ଏବଂ ବାଚସ୍ପତିଙ୍କର ନିର୍ଦ୍ଦେଶ ଦେବାରେ କ୍ଷମତା ରୁଲ୍-୨୧୬ ଅନୁସାରେ ନାହିଁ ତାହାଲେ କାହା ନିର୍ଦ୍ଦେଶବଳରେ ପୁଲିସ ସେଠାରେ ପଶିଥିଲା । ଏ କଥା ରାଜ୍ୟବାସୀଙ୍କ ଜାଣିବାର ଅଧିକାର ଅଛି ।
କଂଗ୍ରେସ ର ଏକ ପ୍ରତିନିଧିଦଳ ରାଜ୍ୟପାଳଙ୍କୁ ମଧ୍ୟ ଭେଟିଥିଲେ ଏବଂ ଦାବି ପତ୍ର ମଧ୍ୟ ଏହି ଘଟଣାକୁ ନେଇ ଦିଆଯାଇଥିଲା । ମହାମହିମ ରାଜ୍ୟପାଳ ଆମ ଶାସନ ବ୍ୟବସ୍ଥାର ସର୍ବଚ୍ଚୋ ଅଧିକାରୀ । ଆମ ସାମ୍ବିଧାନିକ ବ୍ୟବସ୍ଥାରେ ରାଜ୍ୟପାଳ ହେଉଛନ୍ତି ରାଜ୍ୟର ସର୍ବମୁଖ୍ୟ । ଏଣୁ ଏହି ଯୁକ୍ତିରେ ମହାମହିମ ରାଜ୍ୟପାଳ ଏ ଅଗଣତାନ୍ତ୍ରିକ ଓ ସମ୍ବିଧାନ ବିରୋଧି ନିଷ୍ପତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କାହା ନିର୍ଦ୍ଦେଶରେ ପୁଲିସ ବିଧାନସଭା ଭିତରକୁ ପ୍ରବେଶ କରିଥିଲା ତାହା ମଧ୍ୟ ସେ ସାର୍ବଜନିନ କରିବା ଉଚିତ୍ ।
ବିଧାୟକମାନଙ୍କୁ ବିଧାନସଭାରୁ ଅସାମ୍ବିାଧାନିକ ଉପାୟରେ ବରଖାସ୍ତ କରି ଗଣତନ୍ତ୍ରର କଣ୍ଠୋରୋଧ କରିବା ଅତ୍ୟନ୍ତ ଚିନ୍ତା ଓ କ୍ଷୋଭର ବିଷୟ । ଆମ ସମୟରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପ୍ରସଙ୍ଗରେ ରାତି ରାତି ଆଲୋଚନା ହୋଇଛି । ବିରୋଧି ବିଧାୟକମାନେ ବହୁ ହଟ୍ଟଗୋଳ କରିଛନ୍ତି କିନ୍ତୁ ଓଡ଼ିଶା ବିଧାନସଭା ଇତିହାସରେ ଏଭଳି ନିଷ୍ପତି କେବେ ନିଆଯାଇନାହିଁ ।
ସାମ୍ବାଦିକମାନଙ୍କ ୱାକ୍ଅଫ୍ ବୋର୍ଡ଼ ବିଲ୍ ପାରିତ ପ୍ରସଙ୍ଗରେ ଉତର ରଖି ସେ କହିଥିଲେ ବିଜେଡ଼ି-ବିଜେପି ଏକ । ଏମାନଙ୍କ ଭିତରେ ଏକ ପ୍ରକାର ଡିଲ୍ ହୋଇଛି । ରାଜ୍ୟରେ ମୁସଲମାନ ଭାଇ ଓ ଭଉଣୀମାନେ ବିଜୁ ଜନତା ଦଳର ଅସଲ ରୂପକୁ ଦେଖିଲେ । ଆଚରଣ ଓ ଉଚ୍ଚାରଣ କେତେ ଭିନ୍ନ ତାହା ବାରମ୍ବାର ରାଜ୍ୟବାସୀ ଦେଖୁଛନ୍ତି ବୋଲି ସେ କହିଛନ୍ତି ।
ବରିଷ୍ଠ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନିପତି ସାମ୍ବାଦକ ମାନଙ୍କ ଅନ୍ୟ ଏକ ପ୍ରଶ୍ନର ଉତର ରଖି କହିଥିଲେ ଯେ, ରାଜାଚକ୍ରର ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୩୨ ଲକ୍ଷ ଟଙ୍କା ମଧ୍ୟରୁ ୧ କୋଟି ୩ ଲକ୍ଷ ଟଙ୍କା ବିଜେପି ଦଳର ସଭାପତି ବର୍ତମାନର ସଭାପତିଙ୍କ ଖାତାକୁ ଯାଇଛି ବୋଲି ତାଙ୍କ ଓକିଲ ଗତକାଲି ପ୍ରମାଣ ସହ ଗଣମାଧ୍ୟମକୁ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ପୂର୍ବତନ ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କର ରାଜନୈତିକ ସଚୀବ ଶ୍ରୀ ସୁଧାଂଶୁ ଦେଓ ଉପସ୍ଥିତ ଥିଲେ ।