Home Education ନାମ ଲେଖା ପାଇଁ ଧାଁ ଦଉଡ

ନାମ ଲେଖା ପାଇଁ ଧାଁ ଦଉଡ

ଭୁବନେଶ୍ୱର : ନୂଆ ଶିକ୍ଷାବର୍ଷ ପାଇଁ ବର୍ତ୍ତମାନ ନାମଲେଖା ଋତୁ ଆରମ୍ଭ ହୋଇଥିବାବେଳେ ରାଜଧାନୀ ଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ସହରଗୁଡିକରେ ଏବେ ଅଭିଭାବକଙ୍କ ଧାଁ ଦଉଡ ଚାଲିଛି । କମ୍‍ ଅର୍ଥ ବ୍ୟୟରେ ପିଲାଙ୍କ ପାଠ ପଢାଇବାପାଇଁ ସଂଖ୍ୟାଧିକ ଅଭିଭାବକ କେନ୍ଦ୍ରୀୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଭଳି ସରକାରୀ ଶିକ୍ଷାନୁଷ୍ଠାନରେ ଆବେଦନ କରିଥିବାବେଳେ ଘରୋଇ ଶିକ୍ଷାନୁଷ୍ଠାନମାନେ ଏବେ ନିଜ ଆଡକୁ ପିଲାଙ୍କୁ ଟାଣିବାପାଇଁ ଉଦ୍ୟମ ଜୋରଦାର କରିବାରେ ଲାଗିଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ନିଜ ନିଜ ପିଲାଙ୍କୁ ପଢାଇବାପାଇଁ ଅଭିଭାବକମାନେ ଆବେଦନ କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପରେ ଦେଖିବାକୁ ମିଳିଛନ୍ତି ବିଦ୍ୟାଳୟରେ ଥିବା ଆସନ ତୁଳନାରେ ବହୁଗୁଣ ଅଧିକ ଆବେଦନ ହୋଇଛି । ଏପରିକି ଛାତ୍ରଛାତ୍ରୀମାନଙ୍କର ଅପେକ୍ଷା ତାଲିକା (ୱେଟିଂ ଲିଷ୍ଟ) ହଜାରେ, ଦେଢ ହଜାର ଉପରେ ରହୁଛି । ଏଭଳି ସ୍ଥାନରେ ଥିବା ପିଲାଙ୍କ ଅଭିଭାବକମାନେ ଏବେ ଘରୋଇ ଶିକ୍ଷାନୁଷ୍ଠାନ ମୁହାଁ ହେବାରେ ଲାଗିଛନ୍ତି ।

ସେହିଭଳି ସହରାଞ୍ଚଳରେ ଥିବା ଏକାଧିକ ଘରୋଇ ଶିକ୍ଷାନୁଷ୍ଠାନରେ ମଧ୍ୟ ପ୍ରଥମଶ୍ରେଣୀରେ ନାମ ଲେଖାପାଇଁ ଆବେଦନ ହୋଇଛି । କେତେକ ବିଦ୍ୟାଳୟରେ ଆବେଦନପତ୍ରକୁ ହଜାରେ ଟଙ୍କା ଉପରେ ବିକ୍ରି କରାଯାଇଛି । ଏମାନଙ୍କ ପାଇଁ କୌଣସି କଟକଣା ନଥିବାରୁ ଘରୋଇ ବିଦ୍ୟାଳୟମାନେ ମନଇଚ୍ଛା ଦରଧାର୍ଯ୍ୟ କରି ଫର୍ମ ବିକ୍ରି କରିଛନ୍ତି । ବିକଳିଆ ଅବସ୍ଥାରେ ଥିବା ଅଭିଭାବକମାନେ ନିଜର ପିଲାଙ୍କ ପାଇଁ ଏକାଧିକ ବିଦ୍ୟାଳୟରୁ ଫର୍ମ କିଣି ବ୍ୟାପକ ଖର୍ଚ୍ଚାନ୍ତ ହୋଇଥିବାବେଳେ ଆଗାମୀ ଦିନରେ ନାମଲେଖା ପାଇଁ କେତେ ଅର୍ଥ ବ୍ୟୟ କରିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ।

ଅନ୍ୟ ପକ୍ଷରେ ନିଜ ନିଜ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଘରୋଇ ବିଦ୍ୟାଳୟଗୁଡିକ ଏକାଧିକ ଅଲିଖିତ ନିୟମ ଜାରି କରୁଛନ୍ତି । କିଏ ପିଲାଙ୍କ ପିତାମାତା ସେହି ବିଦ୍ୟାଳୟରେ ପଢିଥିଲେ ସେମାନଙ୍କୁ ଅଗ୍ରାଧିକାର ମିଳିବ ବୋଲି କହୁଥିବାବେଳେ ଆଉ କିଏ ନାମଲେଖା ଫି ସହିତ ଆଉ କିଛି ଅଧିକ ଆଶା କରୁଛି । କେତେକ ବିଦ୍ୟାଳୟ ତ ଖୋଲାଖୋଲି ଭାବେ ପିତାମାତାଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା, ମାସିକ ଆୟ, ଆୟର ସ୍ରୋତ ଆଦିର ସୂଚନା ସଂଗ୍ରହ କରୁଛନ୍ତି ।

ଚଳିତ ବର୍ଷରୁ ନୂଆ ଶିକ୍ଷାନୀତି ଲାଗୁ ହେଉଥିବାବେଳେ ପାଠପଢା କିଭଳି ହେବ ତାହାକୁ ନେଇ ଅଭିଭାବକମାନେ ଚିନ୍ତାରେ ଥିବାବେଳେ ପ୍ରଥମ ଶ୍ରେଣୀ ନାମଲେଖାରୁ ଘରୋଇ ବିଦ୍ୟାଳୟମାନେ କିଭଳି ଭଲ ଲାଭ ଉଠାଇବେ ସେଥିପାଇଁ ଖସଡା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ସହରାଞ୍ଚଳରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲିମପ୍ରାପ୍ତ ଶିକ୍ଷକ, ଉନ୍ନତ ଭିତ୍ତିଭୂମି ଥିବା ସତ୍ୱେ ସେଠାକୁ କିଭଳି ପିଲା ଆସିବେ ତାହା ଏବେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଗୋଟିଏ ପରେ ଘରୋଇ ବିଦ୍ୟାଳୟଗୁଡିକ ଅଧିକ ଲାଭ ପାଇବା ଆଶାରେ ଅଭିଭାବକଙ୍କ ପକେଟ ଉପରେ ନଜର ପକାଉଥିବାବେଳେ ଅନ୍ୟପଟେ ବିଦ୍ୟାଳୟ ସହିତ ନିଜ ଚାକିରି ବଞ୍ଚାଇବାପାଇଁ ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ବସ୍ତି ଅଞ୍ଚଳରେ ଘରକୁ ଘର ବୁଲି ପିଲାଙ୍କୁ ପ୍ରବର୍ତ୍ତାଉଥିବା ଦେଖିବାକୁ ମିଳୁଛି । (ତଥ୍ୟ)