Home Assembly ରାଜ୍ୟରେ ୬ଟି ଜାତୀୟ ଜଳମାର୍ଗ

ରାଜ୍ୟରେ ୬ଟି ଜାତୀୟ ଜଳମାର୍ଗ

ଭୁବନେଶ୍ୱର : ରାଜ୍ୟର ଛଅଟି ଜଳମାର୍ଗକୁ ଜାତୀୟ ଜଳମାର୍ଗ ରୂପେ ଘୋଷଣା କରାଯାଇଛି । ଭାରତ ସରକାରଙ୍କ ଜାତୀୟ ଜଳମାର୍ଗ ନୀତି – ୨୦୧୬ ଅନୁଯାୟୀ ଏହା ଘୋଷଣା ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଜଳମାର୍ଗ ଭାବେ ଘୋଷଣା ହୋଇଥିବା ୬ଟି ଜଳମାର୍ଗ ମଧ୍ୟରେ ୫ନମ୍ବର ଜାତୀୟ ଜଳମାର୍ଗର ଦୂରତା ୫୮୮ କିଲୋମିଟର । ଏହା ଓଡିଶାର ତାଳଚେର ଠାରୁ ପଶ୍ଚିମବଙ୍ଗର ଜିଓଁଖାଲି ପର୍ଯ୍ୟନ୍ତ ଲମ୍ବିଛି । ଏଥିରେ ବ୍ରାହ୍ମଣୀ, ଖରସୁଆଁ, କାଣୀ, ମତେଇ, ମହାନତୀ ଓ ଏହାର ଶାଖାନଦୀ ସମେତ ଇଷ୍ଟକୋଷ୍ଟ କେନାଲ ରହିଛି ।

ସେହିଭଳି ୧୪ନମ୍ବର ଜାତୀୟ ଜଳମାର୍ଗର ଦୈର୍ଘ୍ୟ ୪୯ କିଲୋମିଟର । ଏହା ଯାଜପୁରର ଦତ୍ତପୁର ଠାରୁ ଧାମରା ଓ ବୈତରଣୀ ନଦୀର ସଂଯୋଗ ସ୍ଥଳ ପର୍ଯ୍ୟନ୍ତ ବ୍ୟାପିଥିବାବେଳେ ଏଥିରେ କେବଳ ବୈତରଣୀ ନଦୀ ଆସୁଛି । ୧୫୬ କିଲୋମିଟର ଦୈର୍ଘ୍ୟ ୨୨ନମ୍ବର ଜାତୀୟ ଜଳମାର୍ଗ ଚୌଦ୍ୱାରର ବିରୂପା ଆନିକଟ ଠାରୁ ବ୍ରାହ୍ମଣୀ ନଦୀର କାଟଣା ପର୍ଯ୍ୟନ୍ତ ବିଭନ୍ନ ବାଟ ଦେଇ ଯାଇଛି । ଏହା ମଧ୍ୟରେ ବିରୂପା, ବଡି, ଗେଙ୍ଗୁଟି ଓ ବ୍ରାହ୍ମଣୀ ନଦୀ ରହିଛି । ୨୩ ନମ୍ବର ଜାତୀୟ ଜଳମାର୍ଗ ୫୬ କିଲୋମିଟର ରହିଛି । ଏହା ମୟୁରଭଞ୍ଜ ଜିଲ୍ଲାର ପାଟଳିପତ୍ରୁ ଠାରୁ ବାହାରି ବୁଢାବଳଙ୍ଗ ନଦୀ ଓ ବଙ୍ଗୋପସାଗରର ସଂଯୋଗସ୍ଥଳ ପର୍ଯ୍ୟନ୍ତ ଯାଇଛି । ୬୪ନମ୍ବର ଜାତୀୟ ଜଳମାର୍ଗର ଦୂରତା ୪୨୫ କିଲୋମିଟର ରହିଛି । ଏହା ସମ୍ବଲପୁର ଆନିକଟରୁ ପାରାଦୀପ ପର୍ଯ୍ୟନ୍ତ ଥିବାବେଳେ ୩୧୪ କିଲୋମିଟର ଦୂରତା ଥିବା ୯୬ ନମ୍ବର ଜାତୀୟ ଜଳମାର୍ଗ ଝାଡଖଣ୍ଡ ରାଜ୍ୟର ଚାନ୍ଦିଲି ଡ୍ୟାମ ଠାରୁ ସୁବର୍ଣ୍ଣରେଖା ନଦୀ ଓ ବଙ୍ଗୋପସାଗରର ସଂଯୋଗସ୍ଥଳ ପର୍ଯ୍ୟନ୍ତ ରହିଛି ।

ଏହିସବୁ ଜଳମାର୍ଗ ମଧ୍ୟରୁ କେବଳ ଜାତୀୟ ଜଳମାର୍ଗ-୫ର ପ୍ରଥମ ପର୍ଯ୍ୟାୟ ଉନ୍ନୟନ ନିମନ୍ତେ ବିଦ୍ୟୁତ୍‍ ଲାଇନ୍‍କୁ ନିରାପଦ ଉଚ୍ଚତାକୁ ନେବାପାଇଁ ଭାରତୀୟ ଜଳମାର୍ଗ ପ୍ରାଧିକରଣଙ୍କ ଦ୍ୱାରା ୪୩.୯୮ କୋଟି ଟଙ୍କା ବ୍ୟୟ କରାଯାଇଛି । ପଙ୍କପାଳ ଠାରେ ଏକ ସ୍ଥାୟୀ ଟର୍ମିନାଲ ପାଇଁ ୧୧୫ ଏକର ଜମି ଅଧିଗ୍ରହଣ ସକାୋ ରାଜ୍ୟ ସରକାର ୧କୋଯି ୯୦ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି ।