Home Assembly ଅଧିକ ଉତ୍ପାଦନ ସତ୍ୱେ ବାହାରୁ ଆମଦାନୀ

ଅଧିକ ଉତ୍ପାଦନ ସତ୍ୱେ ବାହାରୁ ଆମଦାନୀ

ଭୁବନେଶ୍ୱର : ରାଜ୍ୟରେ ଚାହିଦା ଠାରୁ ଅଧିକ ମାଛ ଉତ୍ପାଦନ ହେଉଥିବାବେଳେ ଓଡିଶା କିନ୍ତୁ ବର୍ଷକୁ ୩୩ ହଜାର ମେଟ୍ରିକ ଟନ୍‍ରୁ ଅଧିକ ମାଛ ଆମଦାନୀ କରୁଛି । ରାଜ୍ୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ରାଜ୍ୟରେ ମାଛ ଓ ଅଣ୍ଡା ଉତ୍ପାଦନ ସଂକ୍ରାନ୍ତରେ ବିଜେପି ବିଧାୟିକା ଉପାସନା ମହାପାତ୍ର ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ୨୦୨୩-୨୪ ବର୍ଷରେ ଓଡିଶାରେ ଦୈନିକ ମାଛର ଆବଶ୍ୟକତା ୨୩୫୩ ମେଟ୍ରିକ ଟନ୍‍ ଥିବାବେଳେ ଦୈନିକ ମାଛ ଉତ୍ପାଦନ ପ୍ରାୟ ୩୦୭୮ ମେଟ୍ରିକ ଟନ୍‍ ରହୁଛି । ଓଡିଶାକୁ ଏହିବର୍ଷ ରାଜ୍ୟ ଓ ବିଦେଶକୁ ୨.୯୮ଲକ୍ଷ ମେଟ୍ରିକ ଟନ୍‍ ମାଛ ରପ୍ତାନି ହୋଇଥିଲା ।

ତେବେ ଓଡିଶାରେ ମଧୁର ମାଛର ଚାହିଦା ଅଧିକ ଥିବାରୁ ସେହିବର୍ଷ ପ୍ରାୟ ୩୩,୪୨୪ ମେଟ୍ରିକ ଟନ୍‍ ମାଛ ପଡୋଶୀ ରାଜ୍ୟମାନଙ୍କୁ ବ୍ୟବସାୟୀମାନେ ଆମଦାନୀ କରିଥିଲେ । ଏଥି ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ୩୧,୧୯୪ ଟନ୍‍ ମାଛ ଆମଦାନୀ ହୋଇଥିବାବେଳେ ପଶ୍ଚିମବଙ୍ଗରୁ ୭୦୦ ମେଟ୍ରିକ ଟନ୍‍ ଏବଂ ଛତିଶଗଡରୁ ୧୫୩୦ ମେଟ୍ରିକ ଟନ୍‍ ମାଛ ଆସିଥିଲା ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ବାର୍ଷିକ ମୁଣ୍ଡପିଛା ୧୮୦ଟି ଅଣ୍ଡା ଆବଶ୍ୟକ ଥିବାବେଳେ ରାଜ୍ୟରେ ଏବେ ମୁଣ୍ଡପିଛା ୮୦ଟି ଅଣ୍ଡା ଉପଲବ୍ଧ ହେଉଛି । ପରନ୍ତୁ ରାଜ୍ୟରେ ଖାଦ୍ୟ ଅଭ୍ୟାସ ଅନୁସାରେ ଦୈନିକ ୧୩୮ଲକ୍ଷ ଅଣ୍ଡାର ଚାହିଦା ଥିବାବେଳେ ୨୦୨୩-୨୪ ବର୍ଷରେ ଦୈନିକ ୧୦୧ କୋଟି ଅଣ୍ଡା ଉପଲବ୍ଧ ହେଉଥିଲା । ଅନ୍ୟ ରାଜ୍ୟରୁ ଆମ ରାଜ୍ୟକୁ ବ୍ୟବସାୟୀମାନେ ଦୈନିକ ୧୫ଲକ୍ଷ ଅଣ୍ଡା ଆମାଦନୀ କରୁଥିାବବେଳେ ଆମ ରାଜ୍ୟରୁ ଅନ୍ୟ ରାଜ୍ୟକୁ ୧୦ ରୁ ୧୨ ଲକ୍ଷ ଅଣ୍ଡା ରପ୍ତାନି ହେଉଛି । ଆମ ରାଜ୍ୟକୁ ମୁଖ୍ୟତଃ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଅଣ୍ଡା ଆମଦାନୀ ହେଉଛି ।

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରାଜ୍ୟକୁ ମାଛ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବାପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ମାଛ ଚାଷ ପାଇଁ ଇନ୍‍ପୁଟ୍‍ ସହାୟତା ଯୋଗାଇ ଦିଆଯାଉଛି । ମତ୍ସ୍ୟଜୀବୀ ପରିବାରର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ ସହିତ ଫାର୍ମ ପୋଖରୀରେ ମାଛ ଚାଷ ନିମନ୍ତେ ସହାତା ପ୍ରଦାନ, ବାୟୋଫ୍ଲେକ ପଦ୍ଧତିରେ ସଘନ ମାଛ ଚାଷ, ନୂଆ ପୋଖରୀ ଖନନ, ଯାଆଁଳ ଉତ୍ପାଦନ କେନ୍ଦ୍ରକୁ ସହାୟତା ଓ ଜଳଭଣ୍ଡାରରେ ମାଛ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ।

ସେହଭଳି ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ଅଣ୍ଡାଦିଆ କୁକୁଡା ଫାର୍ମ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଅନୁସୂଚିତ ଜାତି, ଜନଜାତି ବର୍ଗ, ମହିଳା ଚାଷୀଙ୍କ୍‍ୁ ମୋଟ୍‍ ଖର୍ଚ୍ଚ ଅଟକଳର ୬୦ ପ୍ରତିଶତ ସରକାରୀ ସହାୟତା ଓ ସାଧାରଣ ବର୍ଗର ପୁରୁଷମାନଙ୍କୁ ୫୦ ପ୍ରତିଶତ ସହାୟତା ପ୍ରଦାନ କରାଯାଉଛି । ଏଥିପାଇଁ ଉଦ୍ୟୋଗମାନଙ୍କ ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯାଉଛି । ଏହି ଯୋଜନାରେ ହିତାଧିକାରୀଙ୍କୁ ଫାର୍ମ ପିଛା ଖର୍ଚ୍ଚ ଉପରେ ସାଧାରଣ ବର୍ଗଙ୍କ ଚାଷୀଙ୍କ ପାଇଁ ଶତକଡା ୪୦ ପ୍ରତିଶତ ଏବଂ ମହିଳା, ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ଶତକଡା ୫୦ ପ୍ରତିଶତ ରହାତିର ବ୍ୟବସ୍ଥା କରାଯାଇଛି । (ତଥ୍ୟ)