Home Assembly ୨୦୯୭ ଷ୍ଟାର୍ଟଅପ୍‍କୁ ସ୍ୱୀକୃତି

୨୦୯୭ ଷ୍ଟାର୍ଟଅପ୍‍କୁ ସ୍ୱୀକୃତି

ଭୁବନେଶ୍ୱର : ଷ୍ଟାର୍ଟଅପ୍‍ ଇଣ୍ଡିଆ ଗଠନ ପରଠାରୁ ଆଜି ପର୍ଯ୍ୟନ୍ତ ଓଡିଶାରେ ୨୦୯୭ଟି ଷ୍ଟାର୍ଟଅପ୍‍ମାନଙ୍କୁ ଓଡିଶା ଷ୍ଟାର୍ଟଅପ୍‍ ନୀତି ମାଧ୍ୟମରେ ସ୍ୱୀକୃତି ମିଳିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଷ୍ଟାର୍ଟଅପ୍‍ମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ୧୧୨ଟି ଷ୍ଟାର୍ଟଅପ୍‍କୁ ସବସିଡ୍‍ଯୁକ୍ତ ଅଙ୍କୁରଣର ସୁବିଧା ମିଳିଛି । ୮୮ଟି ଷ୍ଟାର୍ଟଅପ୍‍କୁ ଯାତାୟତ ଭତ୍ତା ପ୍ରଦାନ କରି ବିଭିନ୍ନ ଜାତୀୟ ଓ ଆର୍ନ୍ତଜାତୀୟ ପ୍ରଦର୍ଶନୀରେ ସେମାନଙ୍କ ଉତ୍ପାଦକୁ ପ୍ରଦର୍ଶନ କରିବାପାଇଁ ସରକାର ସୁଯୋଗ ଦେଇଛନ୍ତି । ୪୩୭ଟି ଷ୍ଟାର୍ଟଅପକୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ଏଥି ମଧ୍ୟରେ ଆବଶ୍ୟକତା ଅନୁଯାୟୀ ସହାୟତା, ଉତ୍ପାଦ ବିକାଶ ଏବଂ ବଜାର ପ୍ରବେଶ ସହାୟତା, ମାସିକ ସହାୟତା ଇତ୍ୟାଦି ରରହିଛି ।

ଏହାବାଦ୍‍ ଓ-ହବ୍‍ରେ ୫୬ଟି ଷ୍ଟାର୍ଟଅପ୍‍କୁ ଅଙ୍କୁରଣ ସୁବିଧା ଯୋଗାଇ ଦିଆଯାଇଛି । ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ ଏବଂ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଷ୍ଟାର୍ଟଅପ୍‍ ଓଡିଶା ପ୍ରତି ସପ୍ତାହରେ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରୁଛି । ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।