ଭୁବନେଶ୍ୱର : ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହନିପତିଙ୍କୁ ୭ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରାଯାଇଛି । ଶାସକଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଆଣିଥିବାବେଳେ ଏହା ଗୃହର ଅନୁମୋଦନ ଲାଭ କରିଥିଲା । ନିଲମ୍ବନ ନେଇ ବାଚସ୍ପତି ସୁରମା ପାଢୀ ଅବଗତ କରିଥିଲେ ।
ତେବେ ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ଏହି ପ୍ରସ୍ତାବ ଉପରେ ଭୋଟ ଦାବି କରିଥିଲେ । ଏହି ପ୍ରସ୍ତାବ ଉପରେ କହିବାକୁ ବାଚସ୍ପତି ସୁଯୋଗ ନଦେବା ପ୍ରତିବାଦରେ ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିବାବେଳେ ତାରା ପ୍ରସାଦ ବାହିନିପତିଙ୍କ ସମେତ ଅନ୍ୟ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟରେ ମୁହଁରେ କଳା ପଟି ବାନ୍ଧି ଧାରଣାରେ ବସିଥିଲେ । ପରେ କଂଗ୍ରେସ ମଧ୍ୟ କକ୍ଷତ୍ୟାଗ କରିଥିଲା ।
ଉଲ୍ଲେଖନୀୟ ଯେ ଆଜି ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଗୃହକୁ ପ୍ରବେଶ କରିବା ପୂର୍ବରୁ ଉଭୟ କଂଗ୍ରେସ ଓ ବିଜେଡି ଦଳର ସଦସ୍ୟାମାନେ ହାତରେ ପ୍ଲାକର୍ଡ ଓ ପୋଷ୍ଟର ଧରି ଗୃହ ମଧ୍ୟଭାଗରେ ଧ୍ୱନିମାନ ଦେଇଥିଲେ । ବାଚସ୍ପତି ହଟଗୋଳ ମଧ୍ୟରେ ପ୍ରଶ୍ନକାଳ ଜାରି ରଖିଥିଲେ । ଏହି ସମୟରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନିପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ତେବେ ସୁରକ୍ଷା କର୍ମୀମାନେ ତାଙ୍କୁ ରୋକି ଥିଲେ ।
ପରେ ଶ୍ରୀ ବାହିନିପତି ରିପୋଟର୍ସଙ୍କ ଟେବୁଲ ଉପରେ ଛିଡାହୋଇ ଧ୍ୱନିମାନ ଦେବା ସହିତ ଉପସ୍ଥିତ ବିଧାନସଭାର କର୍ମଚାରୀମାନଙ୍କର ହେଡ୍ଫୋନ୍ କାଢି ଦେଇଥିଲେ । ପରେ କର୍ମଚାରୀମାନେ ସେଠାରୁ ପଳାଇଥିବା ଲକ୍ଷ୍ୟ କରାଯାଇଥିଲା । ଏହାପରେ ଅନ୍ୟ ବିରୋଧି ସଦସ୍ୟମାନେ ରିପୋଟର୍ସଙ୍କ ଟେବୁଲ ଉପରେ ଚଢି ପ୍ରତିବାଦ କରିଥିଲେ । ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶ୍ନକାଳ ଜାରି ରଖିଥିଲେ ।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତର ରଖୁଥିାବବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଓ ଅନ୍ୟ କଂଗ୍ରେସ ସଦସ୍ୟମାନେ ତାଙ୍କ ନିକଟକୁ ଯାଇ ମନ୍ତ୍ରୀଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । ଶାସକଦଳ ସଦସ୍ୟମାନେ ଏହାକୁ ବିରୋଧ କରିବା ସହିତ ଗୃହ ମଧ୍ୟଭାଗକୁ ମାଡି ଆସିଥିଲେ ।
ଏହାକୁ ନେଇ ଶାସକ ଓ ବିରୋଧି ସଦସ୍ୟ ଗୃହ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ । ବିଜେପି ସଦସ୍ୟ ଜୟ ନାରାୟଣ ମିଶ୍ର, ବାବୁ ସିଂ, ସନାତନ ବିଜୁଳି, ରୁପୁ ଭଦ୍ରା ପ୍ରମୁଖ ବିରୋଧି ସଦସ୍ୟଙ୍କ ସହିତ ମୁହାଁମୁହିଁ ହୋଇଥିବାବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦୁଇ ପକ୍ଷକୁ ବୁଝାସୁଝା କରୁଥିବା ଲକ୍ଷ୍ୟ କରାଯାଇଥିଲା । ଏହି ସମୟରେ ଶାସକଦଳର ସଦସ୍ୟମାନେ ବିରୋଧି ସଦସ୍ୟଙ୍କ ପୋଷ୍ଟର ଓ ଫ୍ଲେକ୍ସ ଛଡାଇ ତାହାକୁ ଚିରୁଥିବା ଲକ୍ଷ୍ୟ କରାଯାଇଥିଲା । ହଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି କରିଥିଲେ ।