Home Assembly ୨୪ବର୍ଷ ହେଲା ମିଳିନାହିଁ ତଦନ୍ତ ରିପୋର୍ଟ

୨୪ବର୍ଷ ହେଲା ମିଳିନାହିଁ ତଦନ୍ତ ରିପୋର୍ଟ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ଘଟଣାର ତଦନ୍ତ ପାଇଁ ବସିଥିବା କମିଶନ ମଧ୍ୟରୁ ତିନିଟି କମିଶନଙ୍କ ତଦନ୍ତ ବନ୍ଦ ହୋଇଥିଲେ ମଧ୍ୟ ୨୪ବର୍ଷ ପରେ ତାହାର ରିପୋର୍ଟ ସରକାରଙ୍କର ହସ୍ତଗତ ହୋଇନାହିଁ । ଏଥି ମଧ୍ୟରେ ଦୁଇଟି କମିଶନ ୨୦୦୧ ମସିହାରେ ବସିଥିବାବେଳେ ଆଉ ଗୋଟିଏ କମିଶନ ୨୦୦୯ ମସିହାରେ ବସିଥିଲା ।

ପୁରୀ ଠାରେ ପୁଲିସ୍‍ ଓ ଓକିଲଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳର ତଦନ୍ତ ପାଇଁ ୨୦୦୧ ମସିହାରେ ଗଠନ ହୋଇଥିଲା ଜଷ୍ଟିସ୍‍ ଏ କେ ପରିଚ୍ଛା କମିଶନ । କମିଶନ ବସିବାକୁ ଇତି ମଧ୍ୟରେ ୨୪ବର୍ଷ ପୂରିଲାଣି । ତଦନ୍ତ ବି ବନ୍ଦ ହୋଇ ଗଲାଣି । ହେଲେ ରିପୋର୍ଟ ମିଳିନାହିଁ । ସେହିଭଳି ସମାନ ବର୍ଷ ଅର୍ଥାତ୍‍ ୨୦୦୧ ମସିହାରେ ନବରଙ୍ଗପୁରରେ ଘଟିଥିବା ପୁଲିସ୍‍ ଗୁଳିକାଣ୍ଡର ତଦନ୍ତ ପାଇଁ ବସିଥିଲା ଜଷ୍ଟିସ ପାଣିଗ୍ରାହୀ କମିଶନ । କମିଶନଙ୍କ ତଦନ୍ତ ଇତି ମଧ୍ୟରେ ବନ୍ଦ ହୋଇଯାଇଥିଲେ ବି ରିପୋର୍ଟ ହସ୍ତଗତ ହୋଇନାହିଁ । ଢେଙ୍କାନାଳ ଜିଲ୍ଲାର ଭୁବନ ଠାରେ ଘଟିଥିବା ପୁଲିସ୍‍ ଗୁଳିକାଣ୍ଡର ତଦନ୍ତ ପାଇଁ ରାଜ୍ୟ ସରକାର ୨୦୦୯ ମସିହାରେ ଢେଙ୍କାନାଳ ଜିଲ୍ଲା ଜଜ୍‍ଙ୍କ ଅଧ୍ୟକ୍ଷତାରେ କମିଶନ ବସାଇଥିଲେ । ତଦନ୍ତ ବନ୍ଦ ହୋଇଥିଲେ ମଧ୍ୟ କମିଶନଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ନିକଟରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି ।

ଏହି ସୂଚନା ଅନୁଯାୟୀ ୨୦୦୦ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଘଟଣାରେ ରାଜ୍ୟରେ ୨୫ଟି ତଦନ୍ତ କମିଶନ ବସିଛି । ଏଥି ମଧ୍ୟରେ ମାଇକଞ୍ଚଠାରେ ପୁଲିସ୍‍ ଗୁଳିକାଣ୍ଡର ତଦନ୍ତ ପାଇଁ ୨୦୦୧ମସିହାରେ ଜଷ୍ଟିସ ପି.କେ.ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଶନ ବସିଥିବାବେଳେ ଶହୀଦ ନଗର ଥାନାରେ ପୁଲିସ୍‍ ହାଜତରେ ଦିଲ୍ଲୀପ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ତଦନ୍ତ କମିଶନ ବସିଥିଲା ।

୨୦୦୬ ମସିହାରେ ଶ୍ରୀମନ୍ଦିରରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ଜଷ୍ଟିସ୍‍ ପି.କେ.ମହାନ୍ତି ତଦନ୍ତ କମିଶନ ବସିଥିବାବେଳେ ଚିଟ୍‍ଫଣ୍ଡ ବା ବେଆଇନ୍‍ ଅର୍ଥ ଆଦାୟର ତଦନ୍ତ ପାଇଁ ୨୦୧୩ ମସିହାରେ ଜଷ୍ଟିସ ଆର.କେ.ପାତ୍ର କମିଶନ କମିଶନ ଗଠନହୋଇଥିଲା । ତେବେ ଚିଟ୍‍ଫଣ୍ଡ ମାମଲାରେ ତଦନ୍ତ ଘଟଣା ଅଧପନ୍ତରିଆ ରହିଥିବା ଜଣାଯାଇଛି । କମିଶନଙ୍କ କାର୍ଯ୍ୟ ବି ବନ୍ଦ ହୋଇଯାଇଛି ।

ଏହି ୨୪ ବର୍ଷ ମଧ୍ୟରେ ବସିଥିବା ଅଧିକାଂଶ କମିଶନ ପୁଲିସ୍‍ ଗୁଳିକାଣ୍ଡ, ଥାନା ହାଜତରେ ମୃତ୍ୟୁ, ପୁଲିସ୍‍-ଓକିଲ ଗଣ୍ଡଗୋଳ, ମହିଳାଙ୍କୁ ଅସଦାଚରଣ ଓ ଶ୍ରୀମନ୍ଦିରରେ ଘଟିଥିବା ଅଘଟଣ ଆଦିର ତଦନ୍ତ ପାଇଁ ଗଠନ ହୋଇଥିଲା । ତଦନ୍ତ ପାଇଁ କୋଟି କୋଟି ଟଙ୍କା ରାଜକୋଷରୁ ବ୍ୟୟ ହୋଇଥିବାବେଳେ ତଦନ୍ତ ରିପୋର୍ଟ କିନ୍ତୁ ସାଧାରଣ ଲୋକଙ୍କ ନଜର ଆଢୁଆଳରେ ରହିଯାଇଛି । (ତଥ୍ୟ)