ଭୁବନେଶ୍ୱର : କୃଷି ଓ ପଶୁପାଳନ ଉପରେ ରାଜ୍ୟ ସରକାର ଗୁରୁତ୍ୱଆରୋପ କରୁଥିବାବେଳେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଏହାର ଅନୁବନ୍ଧିତ ୧୦ଟି ମହାବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ ମରୁଡି ଯୋଗୁଁ ଗବେଷଣା ଓ ପାଠପଢା ଗୁରୁତର ଭାବେ ବ୍ୟାହତ ହେଉଛି । ତୁରନ୍ତ ଏହି ସମସ୍ୟାର ସମାଧାନ କରାନଗଲେ କେତେବେଳେ ଯେ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଏଠାରେ ନାମାଙ୍କନ ଉପରେ କଟକଣା ଜାରି ନକରିବେ ସେ ଗ୍ୟାରେଣ୍ଟି କେହି ଦେଇପାରୁ ନାହାନ୍ତି ।
ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)କୁ ବିଶ୍ୱସ୍ତରୀୟ କରିବାପାଇଁ ବାରମ୍ବାର ସଭା ସମିତିରେ କୁହାଯାଉଛି । ପୂର୍ବରୁ ଉତ୍ତମ ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟର ମଧ୍ୟ ଭଲ ରେକର୍ଡ ରହିଛି । ତେବେ କିଛିବର୍ଷ ଧରି ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ଆଦି ପଦବୀ ସହିତ ଅନ୍ୟ ଅଣଶିକ୍ଷକ ପଦବୀଗୁଡିକ ପୂରଣ କରାଯିବା ଉପରେ ଗୁରୁତ୍ୱ ଦିଆଯାଉନଥିବାରୁ ଏଠାରେ ସମସ୍ୟା ଦିନକୁ ଦିନ ଉତ୍କଟତର ହେଉଥିବା ଛାତ୍ରଛାତ୍ରୀମାନେ ଖୋଲା ଅଭିଯୋଗ କରୁଛନ୍ତି ।
ଓୟୁଏଟି ଅଧିନରେ ଭୁବନେଶ୍ୱରରେ କୃଷି ମହାବିଦ୍ୟାଳୟ, ପଶୁପାଳନ ମହାବିଦ୍ୟାଳୟ, କୃଷି ଯାନ୍ତ୍ରିକ ମହାବିଦ୍ୟାଳୟ, ବନ ମହାବିଦ୍ୟାଳୟ, କମ୍ୟୁନିଟି ମହାବିଦ୍ୟାଳୟ, ମୌଳିକ ବିଜ୍ଞାନ ମହାବିଦ୍ୟାଳୟ, ଚିପିଲିମାର ଓ ଭବାନୀପାଟଣାରେ ଥିବା କୃଷି ମହାବିଦ୍ୟାଳୟ, ରଙ୍ଗେଇଲୁଣ୍ଡାର ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନ ରହିଛି । ଏହି ଶିକ୍ଷାନୁଷ୍ଠାନଗୁଡିକ ପାଇଁ ୭୩ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ସମେତ ମୋଟ ୫୦୮ଟି ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ଏବେ ୬୫ଟି ପ୍ରଫେସର ପଦବୀ ସମେତ ପାଖାପାଖି ୨୮୦ ଶିକ୍ଷକ ପଦବୀ ଖାଲି ପଡିଛି ।
ସେହିପରି ଏହି ଶିକ୍ଷାନୁଷ୍ଠାନଗୁଡିକ ପାଇଁ ୫୨୦ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ମଧ୍ୟ ୩୭୦ଟି ଖାଲି । ମୋଟାମୋଟି ଭାବେ ଓୟୁଏଟି ଅଧିନରେ ଥିବା ଶିକ୍ଷାନୁଷ୍ଠାନଗୁଡିକରେ ପ୍ରାୟ ୫୫ ପ୍ରତିଶତ ଶିକ୍ଷକ ଓ ୭୦ ପ୍ରତିଶତରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି ପଡିଛି ।
ଏଥି ମଧ୍ୟରୁ ୧୨୬ଟି ଶିକ୍ଷକ ପଦବୀ ପୂରଣ ପାଇଁ ସରକାରୀ ମଞ୍ଜୁରୀ ମିଳିଥିବା କୁହାଯାଉଛି । ଅନ୍ୟ ସମସ୍ତ ପଦବୀ ପୂରଣ ଲାଗି ବିଶ୍ୱବିଦ୍ୟାଳୟର ପ୍ରସ୍ତାବ ସରକାରଙ୍କ ବିଚାରାଧିନ ରହିଛି । ଓୟୁଏଟି ଓ ତାହାର ଅନୁବନ୍ଧିତ କୃଷି ମହାବିଦ୍ୟାଳୟ, ଉଦ୍ୟାନକୃଷି ମହାବିଦ୍ୟାଳୟ ଆଦି ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ଜମି ରହିଛି । ଏହି ଜମିଗୁଡିକରୁ ଅଧିକାଂଶର ଠିକଣା ଉପଯୋଗ ହୋଇପାରୁନଥିବା ଘେନି ବହୁ ପୂର୍ବତନ ପ୍ରଫେସର କ୍ଷୋଭ ପ୍ରକାଶ କରୁଛନ୍ତି ।
ସେହିଭଳି ଉନ୍ନତ କିସମର ବିହନ କାଢିବା ଏବଂ କୃଷି ପ୍ରଣାଳୀର ଆଧୁନିକୀକରଣ ସହିତ କୃଷକମାନଙ୍କୁ ଅର୍ଥକରୀ ଫସଲ ଲାଗି ଉତ୍ସାହିତ କରିବା ସଂଗେ ସଂଗେ ଯାନ୍ତ୍ରିକ କୃଷି ଉପରେ ଏହି ବିଶ୍ୱବିଦ୍ୟାଳୟ ଗୁରୁତ୍ୱ ଦେଇଥାଏ । ମୃତ୍ତିକା ସଂରକ୍ଷଣ ସହିତ ମାଛଚାଷ, କୁକୁଡା, ଛେଳି, ବତକ ଓ ଗୋପାଳନ ଆଦି କ୍ଷେତ୍ରରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ସଫଳ ଗବେଷଣା ସହିତ ଅନେକ କ୍ରାନ୍ତିକାରୀ ପଦକ୍ଷେପ ଅତୀତରେ ନେଇଥିବାରୁ ସାରା ଦେଶରେ ଓୟୁଏଟିର ସୁଖ୍ୟାତି ରହିଥିଲା । ଏବେ କୃଷି ମହାବିଦ୍ୟାଳୟ, ବନ ମହାବିଦ୍ୟାଳୟ ଓ କମ୍ୟୁନିଟି ବିଜ୍ଞାନ ମହାବିଦ୍ୟାଳୟରେ ସମସ୍ତ ପ୍ରଫେସର ପଦବୀ ଖାଲି ଥିବାବେଳେ ଚିପିଲିମାର ଉଦ୍ୟାନକୃଷି ମହାବିଦ୍ୟାଳୟ, ରଙ୍ଗେଇଲୁଣ୍ଡାର ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଭବାନୀପାଟଣାର କୃଷି ମହାବିଦ୍ୟାଳୟ ପାଇଁ ଥିବା ସମସ୍ତ ପ୍ରଫେସର ପଦବୀ ଖାଲି ପଡିଛି । ପଶୁପାଳନ ମହାବିଦ୍ୟାଳୟରେ ୧୫ଟି ପ୍ରଫେସର ପଦବୀ ଖାଲି ରହିଛି । ଏହି ଭିତ୍ତିଭୂମିରେ କୃଷି ଓ ପଶୁପାଳନ କ୍ଷେତ୍ରରେ ଓୟୁଏଟି ଓଡିଶାକୁ କିଭଳି ନୂଆ ଦିଗଦର୍ଶନ ଦେଇପାରିବ ତାହା ବଡ ପ୍ରଶ୍ନବାସୀ (ତଥ୍ୟ)