ଭୁବନେଶ୍ୱର : ଜାତୀୟ ସାମାଜିକ ଯୋଜନାରେ ବିଭିନ୍ନ ଭତ୍ତା ବାବଦରେ କେନ୍ଦ୍ରରୁ ଯେତିକି ଅର୍ଥ ମିଳୁଛି ରାଜ୍ୟ ସରକାର ପ୍ରତି ମାସରେ ତାହାଠାରୁ ଅଧିକ ୨୧୩ କୋଟି ଟଙ୍କା ବ୍ୟୟ କରୁଛନ୍ତି । ଭତ୍ତା ପରିମାଣରେ ବୃଦ୍ଧି ଯୋଗୁଁ ରାଜ୍ୟ ସରକାରଙ୍କ ଉପରେ ଭତ୍ତା ଚାପ ବଢିବାରେ ଲାଗିଛି ।
ରାଜ୍ୟରେ ବର୍ତ୍ତମାନ ଦୁଇ ପ୍ରକାରର ଭତ୍ତା କାର୍ଯ୍ୟକାରୀ ହେଉଛି । ଗୋଟିଏ ହେଉଛି ଜାତୀୟ ସାମାଜିକ ସୁରକ୍ଷା ସହାୟତା ଅଧିନରେ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ଜାତୀୟ ବିଧବା ଭତ୍ତା ଓ ଜାତୀୟ ଭିନ୍ନକ୍ଷମ ଭତ୍ତା । ସେହଭଳି ରାଜ୍ୟ ସରକାରଙ୍କର ନିଜସ୍ୱ ମଧୁବାବୁ ପେନ୍ସନ ଯୋଜନା ରହିଛି ।
ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ରାଜ୍ୟର ୨୦,୩୩,୯୫୯ ବ୍ୟକ୍ତି ପ୍ରତିମାସାରେ ଭତ୍ତା ପାଉଛନ୍ତି । ଏ ବାବଦରେ କେନ୍ଦ୍ର ସରକାର ଯେତିକି ଅର୍ଥ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ତାହାଠାରୁ ଢେର ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି । ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୬୦ରୁ ୭୯ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାର ମାସକୁ ୨୦୦ ଟଙ୍କା କରି ଯୋଗାଉଥିବାବେଳେ ରାଜ୍ୟ ସରକାର ଏଥିରେ ଆଉ ୮୦୦ ଟଙ୍କା ମିଶାଇ ୧୦୦୦ ଟଙ୍କା କରି ଦେଉଛନ୍ତି । ରାଜ୍ୟର ୧୨,୬୨,୯୨୨ ଜଣ ବ୍ୟକ୍ତି ଏହି ଭତ୍ତା ତାଲିକାରେ ରହିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କୁ ନିଜସ୍ୱ ପାଣ୍ଠିରୁ ପ୍ରତିମାସରେ ୧୦୧ କୋଟିରୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଛି ।
ସେହିଭଳି ୮୦ବର୍ଷ ବା ତଦୁର୍ଦ୍ଧ ବୟସର ବ୍ୟକ୍ତି, ଯେଉଁମାନେ କି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଅଛନ୍ତି ସେମାନଙ୍କ ପାଇଁ କେନ୍ଦ୍ର ସରକାର ପ୍ରତି ମାସରେ ୫୦୦ ଟଙ୍କା କରି ଯୋଗାଉଥିବାବେଳେ ରାଜ୍ୟ ସରକାର ଏଥିରେ ଆଉ ୩୦୦୦ ଟଙ୍କା ମିଶାଇ ମାସକୁ ୩୫୦୦ ଟଙ୍କା ଦେଉଛନ୍ତି । ଏହି ଭତ୍ତା ତାଲିକାରେ ରାଜ୍ୟର ୧,୫୫,୭୦୯ଜଣ ଥିବାବେଳେ ରାଜ୍ୟ ସରକାରଙ୍କୁ ଏଥିପାଇଁ ୪୬କୋଟି ୭୧ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି । ଜାତୀୟ ବିଧବା ଭତ୍ତା ଯୋଜନାର ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାର ମାସିକ ୩୦୦ ଟଙ୍କା କରି ଯୋଗାଉଥିବାବେଳେ ରାଜ୍ୟ ସରକାର ଏଥିରେ ୭୦୦ ଟଙ୍କା ମିଶାଇ ପ୍ରତିମାସ ୧୦୦୦ ଟଙ୍କା କରି ଦେଉଛନ୍ତି । ରାଜ୍ୟର ୫,୨୫,୦୪୫ ଜଣ ବିଧବାଙ୍କ ଭତ୍ତା ବାବଦରେ ରାଜ୍ୟ ସରକାର ପ୍ରତିମାସରେ ୩୬କୋଟି ୭୫ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ କରୁଛନ୍ତି ।
ସେହିଭଳି ଜାତୀୟ ଯୋଜନାରେ ଥିବା ୮୦ ପ୍ରତିଶତ କିମ୍ବା ତାହାଠାରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଲାଗି କେନ୍ଦ୍ର ସରକାର ମାସକୁ ୩୦୦ ଟଙ୍କା କରି ପ୍ରଦାନ କରୁଥିବାବେଳେ ରାଜ୍ୟ ସରକାର ସେଥିରେ ଆଉ ୩୨୦୦ ଟଙ୍କା ମିଶାଇ ମାସିକ ୩୫୦୦ ଟଙ୍କା କରି ଦେଉଛନ୍ତି । ଏହି ସ୍କିମ୍ରେ ରାଜ୍ୟୋର ୯୦,୨୮୩ ଜଣ ଭିନ୍ନକ୍ଷମ ରହିଥିବାବେଳେ ରାଜ୍ୟ ସରକାରଙ୍କୁ ସେମାନଙ୍କ ଭତ୍ତା ବାବଦରେ ମାସକୁ ୨୮କୋଟି ୮୯ଲକ୍ଷ ଟଙ୍କାରୁ ଅଧିକ ବହନ କରିବାକୁ ପଡୁଛି ।
ଏହା ବାଦ୍ ମଧୁବାବୁ ପେନ୍ସନ ଯୋଜନାରେ ରାଜ୍ୟରେ ୩୬ଲକ୍ଷ ୭୫ହଜାର ହିତାଧିକାରୀ ରହିଛନ୍ତି । ଏମାନଙ୍କୁ ରାଜ୍ୟ ସରକାର ୧୦୦୦ ଟଙ୍କାରୁ ୩୫୦୦ ଟଙ୍କା କରି ଯୋଗାଇ ଦେଉଥିବାବେଳେ ଏ ବାବଦୀୟ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡୁଛି । (ତଥ୍ୟ)