ଭୁବନେଶ୍ୱର : ବାର୍ଷିକ ପ୍ରାୟ ୧୦ହଜାର କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରୁଥିବା ଅବକାରୀ ବିଭାଗରେ ପାଖପାଖି ୩୫ ପ୍ରତିଶତ ପଦବୀ ଖାଲି ପଡିଛି । ଗୋଟିଏ ପଟେ ଓଡିଶାରେ ନିଶା ଔଷଧ ଓ ମଦ କାରବାର ବୃଦ୍ଧି ଘେନି ‘କ୍ରାଇମ୍ ରେଟ୍ ରିପୋର୍ଟ ଅଫ୍ ଇଣ୍ଡିଆ -୨୦୨୪’ ରେ ଉଲ୍ଲେଖ ଥିବାବେଳେ କର୍ମଚାରୀ ମରୁଡି ଯୋଗୁଁ ନିଶାଡି ଓ ଚୋରା ବେପାରୀଙ୍କୁ ଦମନ କରିବା ଏବେ କାଠିକରପାଠ ହେଉଛି ।
ସରକାରୀ ତଥ୍ୟ ମୁତାବକ ଅବକାରୀ ବିଭାଗର କ୍ଷେତ୍ର ଦପ୍ତରଗୁଡିକ ଲାଗି ୨୭୧୧ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରେ ୧୭୬୫ ଜଣ କାର୍ଯ୍ୟ କରୁଛନ୍ତି ଏବଂ ୯୪୬ଟି ପଦବୀ ଖାଲି ପଡିଛି । ଜିଲ୍ଲା ସ୍ତରରେ ଅବକାରୀ ସଂଗଠନର ମୁଖ୍ୟ ଥିବା ୪୭ଟି ସୁପରିଟେଣ୍ଡଣ୍ଟ ପଦବୀରୁ ୧୯ଟି ଖାଲି ଥିବାବେଳେ ଭାରପ୍ରାପ୍ତ ଅବକାରୀ ସୁପରିଟେଣ୍ଡଣ୍ଟମାନଙ୍କୁ ନେଇ ଏଠାରେ କାମ ଚଳାଯାଉଛି ।
ସେହଭଳି କ୍ଷେତ୍ର ଦପ୍ତରଗୁଡିକ ପାଇଁ ୭୧ଟି ଅବକାରୀ ଡେପୁଟୀ ସୁପରିଟେଣ୍ଡଣ୍ଟ ପଦବୀ ଥିବାବେଳେ ସେଥିରୁ ମଧ୍ୟ ୧୧ଟି ଖାଲି ପଡିଛି । ୧୭୩ଟି ଅବକାରୀ ଇନ୍ସପେକ୍ଟର ପଦବୀ ମଧ୍ୟରୁ ୪୭ଟି ଖାଲି ଥିବାବେଳେ ସବଇନ୍ସପେକ୍ତଟର ପାହ୍ୟାରେ ଆଉ ୪୩ଟି ପଦବୀ ଖାଲି ପଡିଛି । ବିଭାଗୀୟ ତଥ୍ୟ ମୁତାବକ ଅବକାରୀ ବିଭାଗର କ୍ଷେତ୍ର ଦପ୍ତରଗୁଡିକ ଲାଗି ୪୨୬ଟି ମଞ୍ଜୁର୍ରୀପାପ୍ତ ଏଏସଆଇ ପଦବୀ ଥିବାବେଳେ ସେଥିରୁ ୧୪୩ଟି ଖାଲି ରହିଛି । ସର୍ବାଧିକ ପଦବୀ ଖାଲି ପଡିଛି କନେଷ୍ଟବଳ ପାହ୍ୟାରେ । କ୍ଷେତ୍ର ଦପ୍ତରଗୁଡିକ ଲାଗି ୧୬୪୬ଟି ମଞ୍ଜୁରୀପ୍ରାପ୍ତ ଅବକାରୀ କନେଷ୍ଟବଳ ପଦବୀ ଥିବାବେଳେ ସେଥିରୁ ୬୫୯ଟି ଖାଲି ପଡିଥିବା କୁହାଯାଉଛି ।
ଏହାଛଡା ଅବକାରୀ ବିଭାଗ ଓ ଅବକାରୀ କମିଶନରଙ୍କ ଦପ୍ତରରେ ମଧ୍ୟ ଅନେକ ପଦବୀ ଖାଲି ରହିଛି । ଏବେ ଅବକାରୀ କମିଶନର ପଦବୀଟି ଖାଲି ପଡିଥିବାରୁ ଜଣେ ଯୁଗ୍ମ କମିଶନର ଏହା ଦାୟିତ୍ୱରେ ରହିଛନ୍ତି । ନିୟମିତ ଅବକାରୀ କମିଶନର ଶୀଘ୍ର ନିଯୁକ୍ତି ହେବେ ବୋଲି ଆଶା କରାଯାଉଛି । ତେବେ ଏହି ପଦବୀରେ ଆଇଏଏସ୍ ଅଧିକାରୀ ରହିବେ ନା ଆଇପିଏସ୍ କି ଓପିଏସ୍ ଅଧିକାରୀ ରହିବେ ସେଥିଘେନି କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ ।
ଏଠାରେ ଉଲ୍ଲେଖନୀୟ ଯେ ଗତ ଦୁଇବର୍ଷରେ ଅବକାରୀ ବିଭାଗର କ୍ଷେତ୍ର ଅଧିକାରୀମାନେ ଅନ୍ୟୁନ ୯୫ହଜାର ଅନଧିକୃତ ଓ ଚୋରା ମଦ କାରବାର ସଂକ୍ରାନ୍ତରେ ମାମଲା ରୁଜୁ କରିବା ସହିତ ପାଖପାଖି ୭୪ହଜାର ଲୋକଙ୍କୁ ଗିରଫ କରିଛନ୍ତି ଏବଂ ୪୩ଲକ୍ଷ ଲିଟରରୁ ଅଧିକ ଚୋରା ମଦ ଜବତ କରିଛନ୍ତି । ଏହାଛଡା ବର୍ଷକରେ ପାଖାପାଖି ୨୩ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ସରକାରୀ ସୂଚନା ମୁତାବକ ୨୦୨୪-୨୫ ବର୍ଷରେ ପାଖାପାଖି ୧୩୦୦ ଏନଡିପିଏସ୍ ମାମଲା ରୁଜୁ କରାଯିବା ସଂଗେ ସଂଗେ ୧୫୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଏହି ବର୍ଷରେ ପାଖାପାଖି ୨୫୦କୁଇଣ୍ଟାଲ ଗଞ୍ଜେଇ, ୨୫ କିଲୋ ହେରୋଇନ୍ ମଧ୍ୟ ଜବତ ହୋଇଥିବା ଜଣାପଡିଛି ।
୨୦୨୪-୨୫ ବର୍ଷରେ ଅବକାରୀ ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମରେ ୬୦ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୪୮ହଜାରରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହାଛଡା ପାଖାପାଖି ୪ହଜାର ଯାନବାହାନ ମଧ୍ୟ ଜବତ ହୋଇଛି । ଉକ୍ତ ବର୍ଷରେ ୨୩ଲକ୍ଷ ଲିଟରରୁ ଅଧିକ ଦେଶୀ ମଦ, ୫୧ହଜାର ଲିଟରରୁ ଅଧିକ ବିୟର,୨୦ହଜାର ଲିଟରରୁ ଅଧିକ ଭାରତ ତିଆରି ବିଦେଶୀ ମଦ, ପାଖାପାଖି ୧୦ହଜାର ଲିଟର ନକଲି ବିଦେଶୀ ମଦ ମଧ୍ୟ ଜବତ