Home Education ଏସସି ଏସ୍‍ଟି ସ୍କୁଲକୁ ଅତିଥି ଶିକ୍ଷକ ଭରସା

ଏସସି ଏସ୍‍ଟି ସ୍କୁଲକୁ ଅତିଥି ଶିକ୍ଷକ ଭରସା

ଭୁବନେଶ୍ୱର : ରାଜ୍ୟର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବିଦ୍ୟାଳୟଗୁଡିକରେ ପାଠ ପଢାଇବାପାଇଁ ଅତିଥି ଶିକ୍ଷକ ଭରସା ହୋଇଛନ୍ତି । ଏହି ଧରଣର ବିଦ୍ୟାଳୟରେ ପାଠପଢା ପାଇଁ ୧୩୨୬ ଜଣ ଅତିଥି ଶିକ୍ଷକ ମୁତୟନ ହୋଇଛନ୍ତି ।

ଆଦିବାସୀ ବିଦ୍ୟାଳୟଗୁଡିକରେ ରହିଛି ମୋଟ୍‍ ୧୦,୪୨୪ ମଞ୍ଜୁରୀପ୍ରାପ୍ତ ପଦବୀ । ତେବେ ଏଥିରୁ ଖାଲି ପଡିଛି ୩୨୬୪ ଟି । ସ୍ନାତକୋତ୍ତର ଶିକ୍ଷକଙ୍କ ପାଇଁ ଥିବା ୫୯୧ ପଦବୀରୁ ୨୧୦ଟି ଖାଲି ପଡିଥିବାୋବଳେ ବିଏବିଇଡି ଶିକ୍ଷକ ପଦବୀ ମଧ୍ୟରୁ ୧୮୩ଟି ଖାଲି ପଡିଛି । ତେବେ ହିନ୍ଦୀଓ ସଂସ୍କୃତ ଶିକ୍ଷକ ପଦବୀରେ ଖାଲି ପଡିଥିବା ସ୍ଥାନ ଢେର କମ୍‍ ରହିଛି ।

ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଏହି ବିଦ୍ୟାଳୟରେ ଗଣିତ, ବିଜ୍ଞାନ ଓ ଇଂରାଜୀ ଆଦି ପଦବୀରେ କମ୍‍ ସଂଖ୍ୟକ ଶିକ୍ଷକ ଥିବାରୁ କେତେକ ସ୍ଥାନରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନେ ଏହିସବୁ ବିଷୟରେ ପାଠ ପଠାଉଛନ୍ତି । କେତେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକଙ୍କ ସଂଖ୍ୟା କମ୍‍ ରହୁଥିବାରୁ ସେଠାରେ ଅତିଥି ଶିକ୍ଷକମାନଙ୍କ ଦ୍ୱାରା କାମ ଚଳାଯାଉଛି ।

କେବଳ ଶିକ୍ଷକ ନୁହନ୍ତି ଏହିସବୁ ବିଦ୍ୟାଳୟରେ ଅଣଶିକ୍ଷକ ପଦବୀ ବି ବହୁ ସଂଖ୍ୟାରେ ଖାଲି ପଡିଛି । ମଞ୍ଜୁରୀପ୍ରାପ୍ତ ୧୪ହଜାର ଅଣଶିକ୍ଷକ ପଦବୀ ମଧ୍ୟରୁ ୨୮୦୦ରୁ ଅଧିକ ପଦବୀ ଖାଲି ପଡିଛି । ଏହା ଫଳରେ ବହୁ ବିଦ୍ୟାଳୟରେ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ଶିକ୍ଷକମାନଙ୍କ ଦ୍ୱାରା ତୁଲାଯାଉଛି । ବିଦ୍ୟାଳୟରେ ୨୦୮ଟି ଲ୍ୟାବ୍‍ ସହାୟକ ପଦବୀ ମଧ୍ୟରୁ ୧୬୦ଟି ଖାଲି ପଡିଛି । ଅଧାରୁ ଅଧିକ ପଦବୀ ଖାଲି ପଡିଥିବାରୁ ପିଲାମାନେ ବିଜ୍ଞାନାଗାରରେ ଠିକଣା ଭାବେ ଶିକ୍ଷା ପାଇବାରେ ସଙ୍କଟ ଉପୁଜୁଛି । ସେହିଭଳି ଚତୁର୍ଥଶ୍ରେଣୀ ପଦବୀରେ ୫ଶହରୁ ଅଧିକ ପଦବୀ ଖାଲି ପଡିଥିବାରୁ ବିଦ୍ୟାଳୟକୁ ସଫା ସୁତୁରା ରଖିବା ଏବଂ ଜଗାରଖା କରିବାକୁ କର୍ମଚାରୀ ନାହାନ୍ତି ।

ତେବେ ବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ୨୬୨୯ଟି ପଦବୀରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କୁ ପ୍ରସ୍ତାବ ଦିଆଯାଇଛି । ଇତି ମଧ୍ୟରେ ଆୟୋଗଙ୍କ ଦ୍ୱାରା ବିଜ୍ଞାପନ ପ୍ରକାଶ ବି ପାଇ ସାରିଛି । ବିଦ୍ୟାଳୟଗୁଡିକରେ ଥିବା ଅଣଶିକ୍ଷକ ପଦବୀଗୁଡିକ ପୂରଣ ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଇତି ମଧ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନସ୍ଥ ୩୭ଟି ବିଦ୍ୟାଳୟକୁ ଉନ୍ନୀତ କରିବାପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଆସିଥିବାବେଳେ ଏହା ଉପରେ ବିଚାର ଆଲୋଚନା ଚାଲିଛି ।(ତଥ୍ୟ)