Home Mining ଲଘୁ ଖଣିଜ ପଦାର୍ଥ ବେଆଇନ କାରବାରକୁ ରୋକ

ଲଘୁ ଖଣିଜ ପଦାର୍ଥ ବେଆଇନ କାରବାରକୁ ରୋକ

ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ବିଭିନ୍ନ ପ୍ରସଙ୍ଗ ଆଲୋଚନା କରିଥିଲେ । ଆଲୋଚିତ ଅନ୍ୟାନ୍ୟ ବିଷୟ ମଧ୍ୟରେ ଲଘୁ ଖଣିଜ ପଦାର୍ଥର ବେଆଇନ ଖନନ ମାମଲା ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ବିଷୟ ଥିଲା ।

ରାଜ୍ୟରେ ସମସ୍ତ ବେଆଇନ ଖଣି ଖନନ ଓ ପରିବହନକୁ ରୋକିବା ପାଇଁ ପ୍ରବର୍ତ୍ତନ ଅଭିଯାନକୁ ବ୍ୟାପକ କରିବାକୁ ସମସ୍ତ ଜିଲ୍ଲା କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବେଆଇନ୍‌ ବାଲି ଓ ପଥର ଖାଦାନରେ ଚଢ଼ାଉ କରିବା, ଉତ୍ସସ୍ଥଳରେ ବେଆଇନ ଖଣି ଖନନ ଉପରେ ରୋକ୍ ଲଗାଇବା ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏଥ୍‌ସହିତ ଇ-ଟ୍ରାନଜିଟ୍ ପାସ୍ ବିନା, ବେଆଇନ ଭାବେ ଖଣିଜ ପଦାର୍ଥ ପରିବହନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  ।

ଯେଉଁଠି ବେଆଇନ ଖଣିଜ ପରିବହନରେ କୌଣସି ଗାଡ଼ି ସମ୍ପୃକ୍ତ ବୋଲି ପ୍ରାଥମିକ ସ୍ତରରେ ପ୍ରମାଣିତ ହୁଏ, ସେଠାରେ ସେହି ବାହନକୁ ଆଇନ ଅନୁଯାୟୀ ତୁରନ୍ତ ଜବତ କରାଯିବ । ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ପ୍ରବର୍ତ୍ତନ ଅଭିଯାନ ପାଇଁ ରଣନୀତି ସ୍ଥିର କରିବେ । ଉପଖଣ୍ଡ ସ୍ତରୀୟ ଟିମ୍ ଏବଂ ରାଜସ୍ୱ, ଖଣି, ପୋଲିସ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଗଠିତ ତହସିଲସ୍ତରୀୟ ଟିମ୍ ପ୍ରବର୍ତ୍ତନ କାର୍ଯ୍ୟ କରିବେ ।

ବାଲି, କଳାପଥର ଆଦିର ନୂତନ ଉତ୍ସ ଗୁଡ଼ିକର ସର୍ଭେ କରି ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାକୁ ସେମାନଙ୍କର ବର୍ତ୍ତମାନର ଉତ୍ସର ୧୫୦ ଗୁଣ ନୂତନ ଉତ୍ସ ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଛି । ଏହି ନୂତନ ଉତ୍ସଗୁଡିକ ପାଇଁ ଜିଲ୍ଲା ସର୍ଭେ ରିପୋର୍ଟ ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ପ୍ରସ୍ତୁତ କରାଯିବ ଏବଂ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଉତ୍ସଗୁଡିକ ନିଲାମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ସଇରାତ ଉତ୍ସ ସଂଖ୍ୟା ବୃଦ୍ଧି କରିବା, ଯାହା ଫଳରେ ଲଘୁ ଖଣିଜ ପଦାର୍ଥର ଉପଲବ୍ଧତାକୁ ସହଜ କରିବ । ଏହାଦ୍ଵାରା ବେଆଇନ ଖଣି ଖନନକୁ ରୋକିବାରେ ସାହାଯ୍ୟ ହେବ ଏବଂ ଲଘୁ ଖଣିଜ ପଦାର୍ଥର ମୂଲ୍ୟକୁ କମା ଯାଇପାରିବ । ବୈଠକରେ ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ତଥା ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଉପସ୍ଥିତ ଥିଲେ ।