ଭୁବନେଶ୍ୱର : ରାଜ୍ୟର ଥିବା ବ୍ୟାଙ୍କ୍ମାନଙ୍କର ଜମା ସଂଗ୍ରହ ପରିମାଣ ବର୍ଷକୁ ବର୍ଷ ଯେଉଁ ପରିମାଣରେ ବୃଦ୍ଧି ପାଉଛି ସେହି ହାରରେ ଋଣ ପ୍ରଦାନ ବଢୁନାହିଁ । ମୋଟ ଜମା ସଂଗ୍ରହର ସିଂହଭାଗ ରାଜ୍ୟରେ ଥିବା ୧୨ଟି ରାଷ୍ଟ୍ରାୟତ ବ୍ୟାଙ୍କ୍ ଖାତାକୁ ଯାଉଛି ।
୨୦୨୧-୨୨ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ ବ୍ୟାଙ୍କ୍ଗୁଡିକ ରାଜ୍ୟରୁ ପ୍ରାୟ ୨.୯୮ ଲକ୍ଷ କୋଟି ଟଙ୍କାର ଜମା ସଂଗ୍ରହ କରିଥିବାବେଳେ ୨୦୨୨-୨୪ ବର୍ଷରେ ଜମା ସଂଗ୍ରହ ପରିମାଣ ୩.୫୧ ଲକ୍ଷ କୋଟି ଟଙ୍କାକୁ ଟପିଯାଇଛି । ଏହି ସମୟ ମଧ୍ୟରେ ରାଷ୍ଟ୍ରାୟତ ବ୍ୟାଙ୍କ୍ଗୁଡିକ ଦେଉଥିବା ଋଣ ପରିମାଣ ୬୦.୬୩ ପ୍ରତିଶତରୁ ୬୮.୬୯ ପ୍ରତିଶତକୁ ବଢିଛି । ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର ଶେଷ ସୁଦ୍ଧା ରାଷ୍ଟ୍ରାୟତ ବ୍ୟାଙ୍କ୍ଗୁଡିକର ଜମା ସଂଗ୍ରହ ପରିମାଣ ୩.୮୪ଲକ୍ଷ କୋଟି ଟଙ୍କାକୁ ଟପିଯାଇଛି । ସେହିଭଳି ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ୍ର ଜମା ସଂଗ୍ରହ ପରିମାଣ ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର ଶେଷ ସୁଦ୍ଧା ୫.୭୧ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି ।
ରାଜ୍ୟରେ ମୋଟ୍ ଜମା ସଂଗ୍ରହର ସିଂହଭାଗ ରାଷ୍ଟ୍ରାୟତ ବ୍ୟାଙ୍କ୍ମାନଙ୍କ ନିକଟକୁ ଯାଉଥିବାବେଳେ ଗତ ୫ବର୍ଷର ଋଣ ପ୍ରଦାନର ହାରକୁ ଦେଖିଲେ କେତେକ ରାଷ୍ଟ୍ରାୟତ ବ୍ୟାଙ୍କ୍ର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ପରିଲକ୍ଷିତ ହୋଇଛି । ନିୟମ ମୁତାବକ ବ୍ୟାଙ୍କ୍ମାନେ ସଂଗ୍ରହ କରୁଥିବା ଜମାର ୬୦ପ୍ରତିଶତ ଋଣ ଆକାରରେ ପ୍ରଦାନ କରିବାକଥା । ହେଲେ କାନାରା ବ୍ୟାଙ୍କ୍, ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଅ, ଇଣ୍ଡିଆନ ବ୍ୟାଙ୍କ୍, ଇଣ୍ଡିଆ ଓଭରସିଜ୍ ବ୍ୟାଙ୍କ୍, ଭାରତୀୟ ଷ୍ଟେଟବ୍ୟାଙ୍କ୍, ୟୁକୋ ବ୍ୟାଙ୍କ୍ ଓ ୟୁନିୟନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଋଣ ପ୍ରଦାନ ହାର ଏହି ସୀମା ଭିତରେ ରହିଛି । ଅନେକ ବ୍ୟାଙ୍କ୍ ସଂଗ୍ରହ କରିଥିବା ଜମାର ୪୦ପ୍ରତିଶତ ବି ଋଣ ପ୍ରଦାନ କରିନାହାନ୍ତି । ରାଷ୍ଟ୍ରାୟତ ବ୍ୟାଙ୍କ୍ ଗୁଡିକର ହାରାହାରି ଋଣ ପ୍ରଦାନ ୪୮.୪୩ ପ୍ରତିଶତ ରେକର୍ଡ ହୋଇଛି ।
ଘରୋଇ ବ୍ୟାଙ୍କ୍ଗୁଡିକ କିନ୍ତୁ ଋଣ ପ୍ରଦାନ କ୍ଷେତ୍ରରେ ରହିଛନ୍ତି । ଏମାନଙ୍କର ଋଣ ପ୍ରଦାନ ହାର ୭୮ ପ୍ରତିଶତରୁ ଅଧିକ ରହିଛି । ଅବଶ୍ୟ ଷ୍ଟଣ୍ଡାର୍ଟ ଚାଟାର୍ଡ ଭଳି ବ୍ୟାଙ୍କ୍ ଗତ ୫ବର୍ଷରେ ରାଜ୍ୟରେ ଟଙ୍କାଟିଏର ଋଣ ପ୍ରଦାନ କରିନାହାନ୍ତି । ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ୍ ସଂଗ୍ରହ କରିଥିବାଜମା ତୁଳନାରେ ୧୬୩୯ ପ୍ରତିଶତ ଅଧିକ ଋଣ ପ୍ରଦାନ କରିଥିବାବେଳେ ଆରବିଏଲ ବ୍ୟାଙ୍କ୍ ୪୦୭ ପ୍ରତିଶତ ଋଣ ପ୍ରଦାନ କରିଛି ।
ତେବେ ଏହିସବୁ ବ୍ୟାଙ୍କ୍ ବିଭିନ୍ନ ଶିଳ୍ପସଂସ୍ଥା, ଘର ତିଆରି ଓ ଯାନବାହାନ ଖରିଦ ପାଇଁ ଋଣ ପ୍ରଦାନ ଲାଗି ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଇଲେକଟ୍ରୋନିକ ସାମଗ୍ରୀ ଖରିଦ ପାଇଁ ମଧ୍ୟ ପ୍ରତିଯୋଗିତା ଭିତ୍ତିରେ ଋଣ ଯୋଗାଉଛନ୍ତି । ଏହିସବୁ ବ୍ୟାଙ୍କ୍ଗୁଡିକ ଲୋକଙ୍କୁ ଆକର୍ଷଣୀୟ ଅଫର ସହିତ ଅଧିକ ପରିମାଣରେ କ୍ରେଡିଟ୍କାର୍ଡ ଯୋଗାଣ କରୁଥିବାରୁ ଋଣ ପ୍ରଦାନ କ୍ଷେତ୍ରରେ ଆଗରେ ରହୁଛନ୍ତି । ଯଦିଓ ଏମାନେ ଅଧିକ ପରିମାଣରେ ସୁଧ ଆଦାୟ କରୁଛନ୍ତି, କିନ୍ତୁ ସହଜରେ ଋଣ ପ୍ରଦାନ କରୁଥିବାରୁ ଲୋକେ ଏମାନଙ୍କ ଠାରୁ ଋଣ ଅଧିକ ଋଣ ନେଉଛନ୍ତି ।
ତେବେ କୃଷି କ୍ଷେତ୍ରକୁ ଋଣ ଯୋଗାଇବା କ୍ଷେତ୍ରରେ ରାଜ୍ୟରେ ଥିବା ସମବାୟ ବ୍ୟାଙ୍କ୍ ଓ ରାଷ୍ଟ୍ରାୟତ ବ୍ୟାଙ୍କ୍ଗୁଡିକ ଆଗରେ ରହୁଛନ୍ତି । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ଜମା ସଂଗ୍ରହ ତୁଳନାରେ ୧୨୪ ପ୍ରତିଶତରୁ ଅଧିକ ଋଣ ପ୍ରଦାନ କରିଥିବାବେଳେ ଏଥିରେ ସିଂହଭାଗ ରହିଛି କୃଷିଋଣ । ତେବେ ରାଜ୍ୟରେ ଥିବା ବିଭିନ୍ନ କିସମର ମୋଟ୍ ୩୯ଟି ବ୍ୟାଙ୍କ୍ ଯେତିକି ଋଣ ସଂଗ୍ରହ କରିଛନ୍ତି ସେଥି ମଧ୍ୟରୁ ରାଜ୍ୟରେ ୫୬.୪୫ ପ୍ରତିଶତ ଋଣ ପ୍ରଦାନ କରିଛନ୍ତି । (ତଥ୍ୟ)