Home Health ଘରୋଇ ଡାକ୍ତରଖାନାରେ ସର୍ବାଧିକ କିଡ୍‍ନୀ ପ୍ରତିରୋପଣ

ଘରୋଇ ଡାକ୍ତରଖାନାରେ ସର୍ବାଧିକ କିଡ୍‍ନୀ ପ୍ରତିରୋପଣ

ଭୁବନେଶ୍ୱର : ବିଭିନ୍ନ କାରଣରୁ ଗୁରୁତର କିଡ୍‍ନୀ ରୋଗରେ ଆକ୍ରାନ୍ତ ହୋଇ କିଡ୍‍ନୀ ପ୍ରତିରୋପରଣ କରୁଥିବା ରୋଗୀମାନେ ଘରୋଇ ଡାକ୍ତରଖାନା ମୁହାଁ । ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ଦେଢ ହଜାରରୁ ଅଧିକ ରୋଗୀଙ୍କର କିଡ୍‍ନୀ ପ୍ରତିରୋପଣ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଘରୋଇ ଡାକ୍ତରଖାନାରେ ହିଁ ଏହା କରାଇଛନ୍ତି ।

ମିଳିଥିବା ସଚୂନା ଅନୁଯାୟୀ ଗତ ୧୦ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ମୋଟ୍‍ ୧୬୮୭ଟି କିଡ୍‍ନୀ ପ୍ରତିରୋପଣ ହୋଇଥିବାବେଳେ କଟକସ୍ଥିତ ଏସ୍‍ସିବିରେ ହୋଇଛି ମାତ୍ର ୨୦୩ଟି । ଅନ୍ୟତମ ସରକାରୀ ଡାକ୍ତରଖାନାରେ ଏମ୍‍ସରେ ୩୪ଟି କିଡ୍‍ନୀ ପ୍ରତିରୋପଣ କରାଯାଇଛି । ଅନ୍ୟ ସମସ୍ତ ପ୍ରତିରୋପଣ ଘରୋଇ ଡାକ୍ତରଖାନାରେ ହୋଇଛି ।

ତେବେ କିଡ୍‍ନୀ ପ୍ରତିରୋପଣ ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବାବେଳେ ସରକାରୀ ଡାକ୍ତରଖାନାଗୁଡିକ ଏ କ୍ଷେତ୍ରରେ ପଛରେ ପଡିବା ଏବେ କିଡ୍‍ନୀ ରୋଗୀପାଇଁ କାଳ ହୋଇଛି । କାରଣ ଅଧିକାଂଶ ରୋଗୀଙ୍କର ପ୍ରତିରୋପଣ ଜରୁରୀ ହୋଇଥିଲେ ମଧ୍ୟ ଅର୍ଥାଭାବରୁ ସେମାନେ ଆଗେଇ ପାରୁନାହାନ୍ତି । ସେହିଭଳି ସରକାରୀ ଡାକ୍ତରଖାନାରେ ପ୍ରତିରୋପଣ ପାଇଁ ଅଧିକ ଦିନ ଅପେକ୍ଷାକରିବାକୁ ପଡୁଥିବାରୁ ବହୁ ରୋଗୀ ବାଧ୍ୟହୋଇ ଧାର ଉଦ୍ଧାର କରି ଘରୋଇ ଡାକ୍ତରଖାନାକୁ ଯାଉଛନ୍ତି ।

ତେବେ ଯେଉଁମାନଙ୍କର ବୀମା କିମ୍ବାଅଛି କିମ୍ବା ସେମାନେ ଆର୍ଥିକ ସ୍ୱଚ୍ଛଳ ଅଟନ୍ତି ସେମାନେ ରାଜ୍ୟ ବାହାରେ ଏପରିକି ବିଦେଶରେ ଯାଇ କିଡ୍‍ନୀ ପ୍ରତିରୋପଣ କରିବାର ନଜିର ରହିଛି । ତେବେ ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କିଡ୍‍ନୀ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢୁଥିବାରୁ ଆଗାମୀ ଦିନରେ ସରକାରୀ ଡାକ୍ତରଖାନାଗୁଡିକ ଉପରେ ଚାପ ବଢିବା ଆଶଙ୍କା କରାଯାଉଛି । ତେଣୁ ଅଧିକରୁ ଅଧିକ ସରକାରୀ ଡାକ୍ତରଖାନାରେ କିଡ୍‍ନୀ ପ୍ରତିରୋପଣ ସୁବିଧା କରିବାକୁ ମତପ୍ରକାଶ ପାଇଲାଣି ।

ତେବେ କିଡ୍‍ନୀରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପିପିପି ମୋଡରେ ରାଜ୍ୟର ୬୪ଟି ଡାକ୍ତରଖାନାରେ ଡାଏଲିସିସ୍‍ ସୁବିଧା ଯୋଗାଇଛନ୍ତି । ଏଥି ମଧ୍ୟରେ କୋରାପୁଟ ମେଡିକାଲ କଲେଜ ହସ୍ପିଟାଲ, ୩୦ଟି ଜିଲ୍ଲା ହସ୍ପିଟାଲ, ୨୮ଟି ସବଡିଭିଜନାଲ ହସ୍ପିଟାଲ ଓ ୫ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଆଠଗଡ ଅଞ୍ଚଳରେ କିଡ୍‍ନୀ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଆଠଗଡ ସବଡିଭିଜନ ଡାକ୍ତରଖାନାରେ ଚଳିତ ମାସ ଠାରୁ ଡାଏଲିସିସ୍‍ ସେବା ଉପଲବ୍ଧ ହେବା

ଡାଏଲେସିସି ସେବା ଉପଲବ୍ଧ ହେଉଥିବା ଡାକ୍ତରଖାନାଗୁଡିକରେ ଦିନକୁ ତିନି ପର୍ଯ୍ୟାୟରେ ଏହି ଚିକିତ୍ସା ଯୋଗାଇ ଦିଆଯାଉଥିବାବେଳେ ଦିନକୁ ହାରାହାରି ୨.୫ ଜଣ ରୋଗୀଙ୍କର ଡାଏଲେସିସ୍‍ ହେଉଥିବା ଜଣାଯାଇଛି । (ତଥ୍ୟ)