ଭୁବନେଶ୍ୱର : ପର୍ଯ୍ୟାପ୍ତ ସଂଖ୍ୟକ ବିଚାରପତି ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ନଥିବା ଏବଂ ସରକାରୀ ସ୍ତରରେ ତଳୁ ଉପର ପର୍ଯ୍ୟନ୍ତ ଅଭିଯୋଗ ସମାଧାନ ପାଇଁ ସକରାତ୍ମକ ମନୋବୃତ୍ତିର ଅଭାବ ଯୋଗୁଁ ଓଡିଶାରେ ମାମଲା ସଂଖ୍ୟା ବଢି ବଢି ପ୍ରାୟ ୨୦ଲକ୍ଷରେ ପହଞ୍ଚି ସାରିଲାଣି ।
ଏବେ ଓଡିଶା ହାଇକୋର୍ଟରେ ପାଖାପାଖି ଅଧା ବିଚାରପତି ପଦବୀ ଖାଲି ପଡିଥିବା ସତ୍ୱେ ହାଇକୋର୍ଟର ମାମଲା ଫଏସଲା ହାର କିନ୍ତୁ ରୁଜୁ ମାମଲା ତୁଳନାରେ ଅଧିକ ରହୁଛି । ବିଶେଷକରି ଛୋଟଛୋଟ ଘଟଣାରେ ତଳୁ ଉପର ପର୍ଯ୍ୟନ୍ତ ସରକାରୀ କଳ ମୁଣ୍ଡ ନଖେଳାଇବା ଏବଂ ଆଇନ୍ ଅଦାଲତର ନିର୍ଦ୍ଦେଶକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପାଳନ କରୁନଥିବାରୁ ମାମଲା ସଂଖ୍ୟା ବୃଦ୍ଧି ପାଉଛି ବୋଲି ଅଭିଜ୍ଞ ଆଇନ୍ଜୀବୀମାନେ କହୁଛନ୍ତି ।
ଜାତୀୟ ଜୁଡିସିଆଲ ଡାଟା ଗ୍ରିଡ୍ର ତଥ୍ୟ ମୁତାବକ ଆମ ଦେଶରେ ଯେତେ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ପ୍ରତିଦିନ ତାହାର ଅତି ବେଶିରେ ୧ ପ୍ରତିଶତ ଅଦାଲତଗୁଡିକ ନିକଟରେ ତାଲିକାଭୁକ୍ତ ହେଉଛି । ଗ୍ରିଡ୍ର ତଥ୍ୟ ମୁତାବକ ରାଜ୍ୟରେ ନିମ୍ନ ଅଦାଲତଗୁଡିକରେ ୧୬,୫୩,୬୧୩ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଓଡିଶା ହାଇକୋର୍ଟରେ ବିଚାରପାଇଁ ଥିବା ମାମଲା ସଂଖ୍ୟା ୧,୪୯,୭୫୦ ।
ଗ୍ରିଡ୍ର ତଥ୍ୟ ମୁତାବକ ଜିଲ୍ଲା କୋର୍ଟଗୁଡିକରେ ଏବେ ୧୩ଲକ୍ଷ ୮୫ହଜାରରୁ ଅଧିକ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଓଡିଶାରେ ୧୦ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ମାମଲା ଉଭୟ ସରକାର, ଆବେଦନକାରୀ, ପ୍ରତିପକ୍ଷ, ସାଧାରଣ ଜନତା ଏବଂ ବିଚାର ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିମ୍ନ ଅଦାଲତଗୁଡିକରେ ପଡି ରହିଥିବା ମାମଲାଗୁଡିକ ମଧ୍ୟରୁ ୧୬ ପ୍ରତିଶତ ହେଉଛି ୧୦ବର୍ଷର ପୁରୁଣା । ଏମିତିକି ୨୦/୩୦ ବର୍ଷରୁ ଅଧିକ ସମୟ ଧରି ହଜାର ହଜାର ମାମଲା ବି ଏଠି ଗଡୁଛି । ସେହିଭଳି ଗ୍ରିଡ୍ର ତଥ୍ୟ ମୁତାବକ ନିମ୍ନ ଅଦାଲତଗୁଡିକରେ ୫ ରୁ ୧୦ବର୍ଷର ପୁରୁଣା ମାମଲା ସଂଖ୍ୟା ୨୬ ପ୍ରତିଶତ ହୋଇଥିବାବେଳେ ୩ରୁ ୫ବର୍ଷର ପୁରୁଣା ମାମଲା ସଂଖ୍ୟା ୧୫ ପ୍ରତିଶତ ଥିବାବେଳେ ୧ ରୁ ୩ବର୍ଷର ପୁରୁଣା ମାମଲା ସଂଖ୍ୟା ୨୪ ପ୍ରତିଶତ ଓ ବର୍ଷକରୁ କମ୍ ଅବଧିର ଗଡୁଥିବା ମାମଲା ସଂଖ୍ୟା ୧୯ ପ୍ରତିଶତ ରହିଛି । ଏହି ବକେୟା ମାମଲାଗୁଡିକ ଭିତରୁ ୮୦ ରୁ ୮୮ ପ୍ରତିଶତ ହେଉଛି ଅପରାଧିକ ମାମଲା ।
ସେହିଭଳି ଏହି ତଥ୍ୟ ଅନୁଯାୟୀ ଓଡିଶା ହାଇକୋର୍ଟରେ ବିଚାରାଧିନ ଥିବା ମାମଲାଗୁଡିକ ମଧ୍ୟରୁ ପ୍ରାୟ ୨୩ ପ୍ରତିଶତ ୧୦ବର୍ଷରୁ ଅଧିକ ସମୟ ଧରି ଗଡୁଥିବାବେଳେ ୫ରୁ ୧୦ବର୍ଷ ଧରି ଗଡି ଆସୁଛି ୨୨ ପ୍ରତିଶତ, ୩ରୁ ୫ବର୍ଷ ଧରି ଚାଲୁଛି ୧୦ ପ୍ରତିଶତ ମାମଲା । ଏହାଛଡା ବର୍ଷେରୁ ତିନି ବର୍ଷର ପୁରୁଣା ମାମଲା ସଂଖ୍ୟା ୨୦ ପ୍ରତିଶତ ଥିବାବେଳେ ବର୍ଷେରୁ କମ୍ ଅବଧିର ମାମଲା ସଂଖ୍ୟା ଓଡିଶା ହାଇକୋର୍ଟରେ ୨୫ ପ୍ରତିଶତ ରହିଛି ।
ଏବେ ବି ୧୯୮୦ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିଭିନ୍ନ ବର୍ଷର ଅନେକ ମାମଲା ଗଡୁଛି । କେବଳ ସେତିକି ନୁହେଁ, ୧୯୮୦ ମସିହା ପୂର୍ବର ବି ଉଭୟ ଦେୱାନୀ ଓ ଫୌଜଦାରୀ ମାମଲା ଅନେକ ନିମ୍ନ ଅଦାଳତରେ ଗଡି ଗଡି ଚାଲୁଛି । ଅଭିଜ୍ଞ ଆଇନ୍ଜୀବୀମାନେ ପରାମର୍ଶ ଦେଇଛନ୍ତି ଯେ ଅନ୍ତତଃ ପକ୍ଷେ ୨୦୦୦ ମସିହା ପୂର୍ବରୁ ରୁଜୁ ହୋଇଥିବା ସମସ୍ତ ଦେୱାନୀ ଓ ଫୌଜଦାରୀ ମାମଲାଗୁଡିକୁ ଚଳିତବର୍ଷ ଶେଷସୁଦ୍ଧା ସମାପ୍ତ କରି ପ୍ରତିବର୍ଷ ନୂଆ ମାମଲା ସହିତ ପୁରୁଣା ମାମଲାଗୁଡିକ କିଭଳି ଫଏସଲା ହୋଇ ୨୦୩୦ ବେଳକୁ ୨୦୨୦ ପୂର୍ବର ସମସ୍ତ ମାମଲାର ସମାଧାନ ହୋଇଥିବ ସେ ଦିଗରେ ପ୍ରଶାସନ ଓ ବିଚାର ବ୍ୟବସ୍ଥା ସୁଚିନ୍ତିତ ଯୋଜନା ପ୍ରଣୟନ କରିବା ଆବଶ୍ୟକ । (ତଥ୍ୟ)