Home Assembly ଯାଜପୁର ଜିଲ୍ଲାରେ ସର୍ବାଧିକ ଭତ୍ତା ଜାଲିଆତି

ଯାଜପୁର ଜିଲ୍ଲାରେ ସର୍ବାଧିକ ଭତ୍ତା ଜାଲିଆତି

ଭୁବନେଶ୍ୱର : ରାଜ୍ୟରେ ତିନିଟି ଜିଲ୍ଲାରେ ମୋଟ୍‍ ୯୬୦ ଜଣ ଜାଲିଆତି କରି ଉଭୟ ମଦୁବାବୁ ପେନ୍‍ସନ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଟଙ୍କା ଉଠାଇ ନେଇଛନ୍ତି । ଏହି ତିନି ଜିଲ୍ଲା ମଧ୍ୟରୁ ସର୍ବାଧିକ ଜାଲ୍‍ ଭତ୍ତାଧାରୀ ଯାଜପୁର ଜିଲ୍ଲାରେ ରହିଛନ୍ତି ।

ଭତ୍ତା ଜାଲିଆତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶ୍ରୀ ଗଣ୍ଡ କହିଛନ୍ତି ଯେ ରାଜ୍ୟର ତିନିଟି ଜିଲ୍ଲା ଯଥା ଯାଜପୁର, କେନ୍ଦ୍ରାପଡା ଓ ପୁରୀରେ ଭତ୍ତା ଜାଲଆତି ହୋଇଥିବାର ଦୃଷ୍ଟିକୁ ଆସିଛି । ମୋଟ୍‍ ୯୬୦ ଭତ୍ତା ଜାଲିଆତିରୁ ସର୍ବାଧିକ ୮୯୪ ଜଣ ରହିଛନ୍ତି ଯାଜପୁର ଜିଲ୍ଲାରେ । ଏହା ପଛକୁ କେନ୍ଦ୍ରାପଡା ଜିଲ୍ଲାରେ ୬୫ଜଣ ଜାଲ୍‍ ଭତ୍ତାଧାରୀ ଚିହ୍ନଟ ହୋଇଥିବାବେଳେ ପୁରୀ ଜିଲ୍ଲାରେ ଜଣେ ଚିହ୍ନଟ ହୋଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କର ଯେଉଁ ଅଧିକାରୀମାନେ ଜାଲିଆତି କରି ସାମାଜିକ ସୁରକ୍ଷା ଭତ୍ତା ହାତେଇଥିବା ହିତାଧିକାରୀମାନଙ୍କୁ ସହଯୋଗ କରିଛନ୍ତି ତାହା ନଜରକୁ ଆସିଛି । ସରକାର ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।