ଭୁବନେଶ୍ୱର : ରାଜ୍ୟରେ ଏବେ ଧାନ ବିହନ ସଂଗ୍ରହ ଋତୁ ଚାଲିଥିବାବେଳେ ଓଡିଶା ରାଜ୍ୟ ବିହନ ନିଗମର ଏବେ ଏକ ପ୍ରକାର ବାପଛେଉଣ୍ଡ ଅବସ୍ଥା । ଚାରିମାସ ହେଲା ପରିଚାଳନା ନିର୍ଦ୍ଦେଶକ ନାହାନ୍ତି କି ଯେଉଁ ନିର୍ଦ୍ଦେଶକଙ୍କର ଏଠାକୁ ବଦଳି ହୋଇଛି ସେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି ।
ଓଡିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ଗତ ପ୍ରବାସୀ ଭାରତୀୟ ସମ୍ମିଳନୀବେଳେ ରାଜ୍ୟ ସରକାର ଏଠାରୁ ଗୃହ ବିଭାଗକୁ ବଦଳିକରି ନେଇଥିଲେ । ଜଣେ ଦକ୍ଷ ଅଧିକାରୀ ଭାବରେ ଖ୍ୟାତି ଥିବାରୁ ତାଙ୍କୁ ପ୍ରବାସୀ ଭାରତୀୟ ସମ୍ମିଳନୀ ଦାୟିତ୍ୱ ଦେଇଥିଲେ । ତାଙ୍କ ସ୍ଥାନକୁ ଆଉଜଣେ ଅଧିକାରୀଙ୍କର ବଦଳି ହୋଇଥିଲା । ହେଲେ ନୂତନ ନିର୍ଦ୍ଦେଶକ ବିହନ ନିଗମକୁ ଆସିଲେ ନାହିଁ ।
ଏଣେ ବଦଳି ହୋଇଥିବାରୁ ପ୍ରବାସୀ ଭାରତୀୟ ସମ୍ମିଳନୀ ସରିବାପରେ ବି ପୁରୁଣା ନିର୍ଦ୍ଦେଶକ ଏଠାକୁ ଆସିଲେ ନାହିଁ । ତେବେ ନୂଆ ନିର୍ଦ୍ଦେଶକ ନଆସିବା ପର୍ଯ୍ୟନ୍ତ ସିଏ ଏଠାରୁ ଦାୟିତ୍ୱ ହସ୍ତାନ୍ତର କରିନାହାନ୍ତି । ତେଣୁ ଯେତେବେଳେ ଟିକିଏ ସମୟ ମିଳୁଛି ଆସି ନିଗମରେ ମୁହଁମାରି ଯାଉଛନ୍ତି ।
ଚାଷ ଓ ଚାଷୀଙ୍କ ପାଇଁ ଗଢାଯାଇଥିବା ବିହନ ନିଗମରେ ଚାରିମାସ ହେଲା ଏଭଳି ଅବସ୍ଥା ଚାଲିଥିଲେ ବି ଏଥିପ୍ରତି କାହାର ନଜର ନାହିଁ । ପାଖାପାଖି ୫୦୦ ଟଙ୍କାର ବ୍ୟବସାୟ କରୁଥିବା ଏବଂ ସରକାରଙ୍କୁ ଲାଭାଂଶ ପ୍ରଦାନ କରୁଥିବା ଏହି ସରକାରୀ ନିଗମରେ ଏଭଳି ସ୍ଥିତି ଜାରି ରହିଥିବାବେଳେ ନିଗମକୁ ଧାନ ବିହନ ଯୋଗାଉଥିବା ଚାଷୀ ଏବେ ଅକଳରେ ପଡିଯାଇଛି ।
ରାଜ୍ୟ ସରକାର ଚଳିତବର୍ଷ ଧାନ କୁଇଣ୍ଟାଲ ଉପରେ ଦେଉଥିବା ୮୦୦ ଟଙ୍କାର ଇନ୍ପୁଟ୍ ବିହନ ଚାଷୀମାନେ ପାଇବେ ନାହିଁ ସେଥିନେଇ ନିଷ୍ପତ୍ତି ହୋଇପାରୁନାହିଁ । ଏଥିଯୋଗୁଁ ବିହନ ଚାଷୀମାନେ ଦ୍ୱନ୍ଦରେ ରହିଛନ୍ତି । ସ୍ଥାୟୀ ପରିଚାଳନା ନିର୍ଦ୍ଦେଶକ ନଥିବାରୁ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯାଇ ପାରୁନାହିଁ ।
ଉଲ୍ଲେଖନୀୟ ଯେ ରାଜ୍ୟରେ ସାଧାରଣ ଧାନକୁ କୁଇଣ୍ଟାଲ ପ୍ରତି ଚାଷୀମାନେ ୨୩୦୦ ଟଙ୍କାରେ ବିକ୍ରି କରୁଥିବାବେଳେ ବିହନଧାନକୁ ଚାଷୀମାନେ କୁଇଣ୍ଟାଲ ପ୍ରତି ୨୯୧୦ ଟଙ୍କାର ଦରରେ ବିକ୍ରି କରିଥାନ୍ତି । କାରଣ ବିହନ ଚାଷପାଇଁ ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ । ତେବେ ବର୍ତ୍ତମାନ ମଣ୍ଡିରେ ଧାନ କୁଇଣ୍ଟାଲ ଇନ୍ପୁଟ୍ ସବସିଡ୍ ସହିତ ୩୧୦୦ ଟଙ୍କା ହୋଇଥିବାରୁ ବିହନ ଚାଷୀମାନେ ବିହନକୁ ନିଗମ ହାତରେ ଦେବେ କି ମଣ୍ଡିରେ ଦେବେ ସେଥିନେଇ ଦ୍ୱନ୍ଦରେ ରହିଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ବିହନ ଧାନ ଉପରେ ୮୦୦ ଟଙ୍କାର ଇନ୍ପୁଟ୍ ପ୍ରଦାନ କରାନଗଲେ ବିହନ ଚାଷୀମାନେ ମଣ୍ଡିମୁହାଁ ହେବା ଏକ ପ୍ରକାର ନିଶ୍ଚିତ ।
ଏପରି ହେଲେ ବିହନ ନିଗମର କେବଳ ବ୍ୟବସାୟ ହ୍ରାସ ପାଇବ ନାହିଁ, ରାଜ୍ୟର ଚାଷୀମାନଙ୍କୁ ଉନ୍ନତମାନର ଧାନ ବିହନ ଯୋଗାଇବା ବି କଷ୍ଟସାଧ୍ୟ ହୋଇପଡିବ । ଏଥିଯୋଗୁଁ ଆଗାମୀ ଖରିଫ ଋତୁରେ ଧାନ ଉତ୍ପାଦନ ପ୍ରଭାବି ହେବାର ଆଶଙ୍କା ଥିବା ଚାଷୀମାନେ ମତ ଦେଉଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ବିହନ ନିଗମରେ ଜଣେ ସ୍ଥାୟୀ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)