ଭୁବନେଶ୍ୱର : ଓମଫେଡ୍ ଚାଷୀଙ୍କ ଠାରୁ ଲିଟର ପିଛା ୩୦ଟଙ୍କା ୫ପଇସା ଦରରେ କିଣୁଥିବା ଦୁଗ୍ଧକୁ ୫୨ ଟଙ୍କା ଦରରେ ବିକ୍ରି କରୁଛି । ଏଥି ସହିତ ଓମଫେଡ୍ ଦୁଗ୍ଧ ଲିଟର ପ୍ରତି ସର୍ବାଧିକ ୫୬ଟଙ୍କା ଦରରେ ବିକ୍ରି କରୁଥିବା ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଆଜି ବିଧାନସଭାରେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଉଲ୍ଲେଖ କରିଛନ୍ତି ଯେ ଓମଫେଡ୍ ଚାଷୀଙ୍କ ଠାରୁ ସଂଗ୍ରହ କରୁଥିବା ଦୁଗ୍ଧକୁ ପରୀକ୍ଷାକରି ସେଥିରେ ଥିବା ଘିଅ ଓ ଅଣଘିଅ ଅଂଶର ଶତକଡା ମାନଅନୁସାରେ ମୂଲ୍ୟ ପ୍ରଦାନ କରିଥାଏ । ତେବେ ଯେଉଁ ଦୁଗ୍ଧରେ ୪ ପ୍ରତିଶତ ଘିଅ ଅଂଶ ଓ ୮.୫ ପ୍ରତିଶତ ଅଣଘିଅ ଅଂଶ ରହିଥାଏ ସେହି ଦୁଗ୍ଧ ପାଇଁ ଓମଫେଡ୍ ଚାଷୀମାନଙ୍କୁ ଲିଟର ପ୍ରତି ୩୫ଟଙ୍କା ୫ପଇସା ପ୍ରଦାନ କରିଥାଏ ।
ହେଲେ ସଂଗୃହୀତ ଦୁଗ୍ଧକୁ ଓମଫେଡ୍ ଭିନ୍ନ ଭିନ୍ନ ଦରରେ ବିକ୍ରି କରିଥାଏ । ଏହାର ସର୍ବନିମ୍ନ ଦର ଲିଟର ପ୍ରତି ୪୬ଟଙ୍କା ଥିବାବେଳେ ସର୍ବାଧିକ ୫୬ଟଙ୍କା ଧାର୍ଯ୍ୟ ହୋଇଛି । ଏହି ସୂଚନା ଅନୁଯାୟୀ ଓମଫେଡ୍ ବଜାରକୁ ଗୋଲ୍ଡ ପ୍ଲସ ନାମରେ ଛାଡୁଥିବା ଦୁଗ୍ଧ ଯେଉଁଥିରେ କି ଘିଅ ଅଂଶ ୪.୫ ପ୍ରତିଶତ ଓ ଅଣଘିଅ ଅଂଶ ୮.୫ ପ୍ରତିଶତ ରହୁଛି ତାହାର ଦର ଲିଟର ପ୍ରତି ୫୬ଟଙ୍କା ଧାର୍ଯ୍ୟ ହୋଇଛି ।
ସେହିଭଳି ୪ ପ୍ରତିଶତ ଘିଅ ଓ ୮.୫ ପ୍ରତିଶତ ଅଣଘିଅ ଅଂଶ ରହିଥିବା ଦୁଗ୍ଧ ଲିଟର ପ୍ରତି ୫୨ ଟଙ୍କାରେ ବିକ୍ରି ହେଉଥିବାବେଳେ ଓମଫେଡ୍ର ପ୍ରିମିୟମ ବ୍ରାଣ୍ଡ୍ ଦୁଗ୍ଧର ଲିଟର ପ୍ରତି ଦର ୫୨ ଟଙ୍କା ରହିଛି । ଏଥିରେ ଘିଅ ଅଂଶ ୩.୫ ପ୍ରତିଶତ ଥିବାବେଳେ ଅଣଘିଅ ଅଂଶ ୮.୫ ପ୍ରତିଶତ ରହିଛି । ଚା’ ସ୍ପେଶାଲ ନାମରେ ଓମଫେଡ୍ ବଜାରକୁ ଛାଡୁଥିବା ଦୁଗ୍ଧ ଲିଟର ୫୦ ଟଙ୍କାରେ ବିକ୍ରି ହେଉଛି । ଏଥିରେ ଘିଅ ଅଂଶ ୩.୨ ପ୍ରତିଶତ ରହୁଥିବାବେଳେ ଅଣଘିଅ ଅଂଶ ୮.୮ ପ୍ରତିଶତ ରହୁଛି । ତେବେ ବଜାରରେ ସର୍ବାଧିକ ବିକ୍ରି ହେଉଥିବା ଟୋନଡ ଦୁଗ୍ଧର ଲିଟର ପ୍ରତି ୪୬ ଟଙ୍କା ରହିଛି । ଏଥିରେ ଘିଅ ଅଂଶ ପରିମାଣ ୩ ପ୍ରତିଶତ ଥିବାବେଳେ ଅଣଘିଅ ଅଂଶ ୮.୫ ପ୍ରତିଶତ ରହିଛି ।
କତେବେ ବଜାରରେ ଲିଟର ପ୍ରତି ୪୬ ଟଙ୍କା ଦରରେ ବିକ୍ରି ହେଉଥିବା ଦୁଗ୍ଧ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଥିବାବେଳେ ଅନ୍ୟ ଦୁଗ୍ଧଗୁଡିକ ପ୍ରାୟତଃ ଉପଲବ୍ଧ ହେଉନାହିଁ । ସେହିଭଳି ଚାଷୀଙ୍କ ଠାରୁ ଖରିଦ ଦୁଗ୍ଧ ଓ ବିକ୍ରି ହେଉଥିବା ଦୁଗ୍ଧ ମଧ୍ୟରେ ଲିଟର ପ୍ରତି ପାର୍ଥକ୍ୟ ୧୧ରୁ ୧୭ଟଙ୍କା ରହୁଥିବାରୁ ବଜାର ଚାହିଦାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ଲିଟର ପ୍ରତି ଅଧିକ ଦର ପ୍ରଦାନ ପାଇଁ ଦାବିହୋଇ ଆସୁଛି । (ତଥ୍ୟ)