Home News in Odia ମହିଳା ସୁରକ୍ଷା ପାଇଁ ମାରାଥନ୍‍ ଯାଞ୍ଚ

ମହିଳା ସୁରକ୍ଷା ପାଇଁ ମାରାଥନ୍‍ ଯାଞ୍ଚ

କଟକ : କୌଣସି ଯାତ୍ରୀଙ୍କ ମଧ୍ୟରେ ବସ୍ କର୍ମଚାରୀ କରି ପାରିବେ ନାହିଁ ପାତରଅନ୍ତର । ମହିଳାଙ୍କ ପ୍ରତି ଅସମ୍ମାନକୁ କରାଯିବ ନାହିଁ ବରଦାସ୍ତ । ପ୍ରଥମ ଯାତ୍ରୀ ଭାବରେ ମହିଳାଙ୍କୁ ବାରଣ ଭଳି କୁସଂସ୍କାର, ଅନ୍ଧବିଶ୍ୱାସ ବିରୋଧରେ ଦୃଢ଼ ପଦକ୍ଷେପ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଧାରରେ ଆଜି କଟକ ନେତାଜୀ ବସ୍ ଟର୍ମିନାଲରେ ମାରାଥନ୍ ଯାଞ୍ଚ କରାଯାଇଛି। ଆଗକୁ ରାଜ୍ୟର ସମସ୍ତ ବସଷ୍ଟାଣ୍ଡରେ ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ନିଷ୍ପତ୍ତି ନିଆଯାଇଛି।

ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ମଙ୍ଗଳବାର ସକାଳୁ ଏସଟିଏ ସଚିବ ଚିନ୍ମୟୀ ବିଶ୍ୱାଳ, ଉପ ପରିବହନ ଆୟୁକ୍ତ ବିରଞ୍ଚି ନାରାୟଣ ଅଧିକାରୀ ପ୍ରମୁଖସ୍ୱତନ୍ତ୍ର ଟିମ୍ ସହକଟକ ବସଷ୍ଟାଣ୍ଡରେପହଞ୍ଚିଥିଲେ। ଯାତ୍ରୀଙ୍କୁ ନେବାକୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ରୁଟର ୨୦ରୁ ଅଧିକ ବସ୍ ଉପରେ ନଜର ରଖିଥିଲେ । ପ୍ରଥମେ ଆସୁଥିବା ମହିଳା ଯାତ୍ରୀଙ୍କ ପ୍ରତି ବସ୍ କର୍ମଚାରୀଙ୍କ କିଭଳି ବ୍ୟବହାର ରହୁଛି ତାହା ଦେଖିଥିଲେ । ଏହାସହ ଟର୍ମିନାଲରେ ଥିବା ଅନେକ ମହିଳା ଯାତ୍ରୀଙ୍କଠାରୁ ଏ ସଂକ୍ରାନ୍ତରେ ପଚାରି ବୁଝିଥିଲେ ।

ଏସଟିଏ ସଚିବ କହିଛନ୍ତି,ସରକାରଙ୍କ ନିର୍ଦ୍ଦେଶରେ ଟିମ୍ ଆଜି କଟକ ବସଷ୍ଟାଣ୍ଡରେ ଯାଞ୍ଚ କରିଛି ।ମୋଟର ଯାନ ଆଇନ ଅନୁଯାୟୀ, ଯାତ୍ରୀଙ୍କ ମଧ୍ୟରେ ପାତରଅନ୍ତର କରାଯିବା ଦଣ୍ଡନୀୟ ଅପରାଧ । ଏଥିପାଇଁ ନିୟମାବଳୀରେ ଜରିମାନା, ପରମିଟ ରଦ୍ଦ ଭଳି ଦଣ୍ଡବିଧାନର ପ୍ରାବଧାନ ମଧ୍ୟ ରହିଛି । ତେବେ, ଏଠାରେ ଆଜିର ପଚରାଉଚରାରେ ମିଳିଥିବା ମତାମତ ସନ୍ତୋଷଜନକ ରହିଛି।

ପରିବହନ ଆୟୁକ୍ତ ଅମିତାଭ ଠାକୁର କହିଛନ୍ତି, ନାରୀଙ୍କୁ ଦେବୀ ରୂପରେ ବନ୍ଦନା କରାଯାଏ ।ମହିଳାଙ୍କ ସମ୍ମାନକୁ ସୁନଶ୍ଚିତ କରିବା କେବଳ ଏସଟିଏ ନୁହେଁ ସମାଜର ସମସ୍ତଙ୍କ ଦାୟିତ୍ୱ । ଯାତ୍ରୀ ପରିବହନରେ କୌଣସି ଅନ୍ଧବିଶ୍ୱାସ କିମ୍ବା କୁସଂସ୍କାରର ବଶବର୍ତ୍ତୀ ହୋଇ କେହି ବି ମହିଳାଙ୍କୁ ଅସମ୍ମାନିତ କରିବା ଉଚିତ ନୁହେଁ। ଯଦି ଏଭଳି କୌଣସି ବେଆଇନ ଘଟଣା ଏସଟିଏ ନଜରକୁ ଆସେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ତେବେ କେବଳ ଯାଞ୍ଚ ନୁହେଁ, ଏ କ୍ଷେତ୍ରରେ ସଚେତନତା ସୃଷ୍ଟି ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ସେ ସାମାଜିକ ସଂଗଠନ, ବସ୍ ମାଲିକ ସଙ୍ଘ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀକହିଛନ୍ତି, ଜନସାଧାରଣଙ୍କ ସୁରକ୍ଷା ଓ ସମ୍ମାନକୁ ପ୍ରାଥମିକତା ଦେବା ଆମର ଦାୟିତ୍ୱ ।ଆଗକୁ ମଧ୍ୟ ପରିବହନ ସେବା କ୍ଷେତ୍ରରେ ଏଭଳି ସରପ୍ରାଇଜ୍ ଚେକିଂ ଜାରି ରହିବ ।କେବଳ କଟକ ନୁହେଁ, ସମସ୍ତ ବସଷ୍ଟାଣ୍ଡରେ ଏଭଳି ଯାଞ୍ଚ ପାଇଁ ଆରଟିଓମାନଙ୍କୁ କୁହାଯାଇଥିବା ସେ ଜଣାଇଛନ୍ତି।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏସଟିଏର ଏଭଳି ଯାଞ୍ଚ ପ୍ରକ୍ରିୟାରେ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଯାତ୍ରୀ ସ୍ୱାର୍ଥ ସୁରକ୍ଷା କରିବା ଏସଟିଏର କର୍ତ୍ତବ୍ୟ । ବିଶେଷକରି, ମହିଳା ସମ୍ମାନର ବିଷୟ ଆସିଲେ, ଅଧିକ ସକ୍ରିୟତାର ସହ ପଦକ୍ଷେପ ଗ୍ରହଣ କରିବାକୁ ଆମ ସରକାର ବଦ୍ଧପରିକର । ମହିଳାଙ୍କ ପ୍ରତି କୌଣସି ସ୍ତରରେ ସାମାନ୍ୟ ଅସମ୍ମାନ ଗ୍ରହଣୀୟ ନୁହେଁ । ଆଗକୁ ଏଭଳି ଯାଞ୍ଚ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ସେ ଏସଟିଏକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜିର ଏହି ଯାଞ୍ଚ ସମୟରେ ସେଠାରେ ଉପସ୍ଥିତ ବସ୍ ମାଲିକ, କର୍ମଚାରୀମାନେ ଏହାକୁ ସ୍ୱାଗତ କରିଥିଲେ । ଅନେକ ବସ୍ କର୍ମଚାରୀ କହିଥିଲେ, ସେମାନେ କେବେ ବି ଏଭଳି କରନ୍ତି ନାହିଁ । ଯାତ୍ରୀ ସେମାନଙ୍କ ପାଇଁ ଭଗବାନ । ସେ ପୁରୁଷ ହୁଅନ୍ତୁ କି ମହିଳା, ସମସ୍ତଙ୍କୁ ସେମାନେ ସାଦର ସ୍ୱାଗତ କରିଥା’ନ୍ତି ।