ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ବର୍ଷ ପାଇଁ ୨ଲକ୍ଷ ୯୦ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ବଜେଟରେ ସରକାର ୧୬ ଟି ନୂଆ ଯୋଜନା ରଖିଛନ୍ତି ।
ଏଥିରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ସର୍ବାଧିକ ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବ୍ୟବସ୍ଥା ରହିଛି ଯାହାକି ମୋଟ୍ ବଜେଟ୍ର ୫୮.୬୨ ପ୍ରତିଶତ । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ଲକ୍ଷ ୮ହଜାର କୋଟି ଟଙ୍କା ରହିଛି । ସେହିଭଳି ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି ପାଇଁ ୪୦୦୦ କୋଟି ଟଙ୍କା ଥିବାବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର ପାଣ୍ଠିର ପରିମାଣ ୮ହଜାର କୋଟି ଟଙ୍କା ଅଛି । ବଜେଟ୍ରେ ପୁଞ୍ଜି ବ୍ୟୟ ଅଟକଳ ୬୫ହଜାର ୧୨ କୋଟି ଟଙ୍କା ରହିଛି ଯାହାକି ଜିଏସ୍ଡିପିର ୬.୧୧ ପ୍ରତିଶତ ।
କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୩୭ହଜାର ୮୩୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ଯାହା ପୂର୍ବବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ଅଟେ । ବଜେଟ୍ରେ ରାଜସ୍ୱ ବଳକା ଜିଏସ୍ଡିପିର ୩ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିବାବେଳେ ବିତ୍ତୀୟ ନିଅଣ୍ଟ ୩.୨ ପ୍ରତିଶତ ରହିବ । ବର୍ଷ ଶେଷ ଋଣ ଭାରର ପରିମାଣ ଜିଏସ୍ଡିପିର ୧୨.୭ ପ୍ରତିଶତ ରହିବ ବୋଲି ବଜେଟ୍ରେ ଆକଳନ କରାଯାଇଛି ।
ବଜେଟ୍ରେ ନୂତନ ପଦକ୍ଷେପ ଭାବେ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩କୋଟି, ବକୁଳ ବନ ଉନ୍ନୟନପାଇଁ ୫୦କୋଟି, ଶୀତଳଭଣ୍ଡାର ନୀତି ପାଇଁ ୫୦କୋଟି, ମଡେଲ ମଣ୍ଡି ପାଇଁ ୫୦କୋଟି, ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨୬୦୩ କୋଟି, ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ପାଇଁ ୨୦୦ କୋଟି ଏବଂ ଉତ୍ତରଓଡିଶା ଉନ୍ନୟନ ପରିଷଦ ପାଇଁ ୨୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି, ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ପାଇଁ ୫୩କୋଟି, ସାମୁଦ୍ରିକ ଦକ୍ଷତା ବିକାଶ ପାଇଁ ୨୦କୋଟି, ସମୃଦ୍ଧ ସହର ପାଇଁ ୪୦୮ କୋଟି, ଓଡିଆ ପ୍ରବାସୀଙ୍କ ପାଇଁ ୧୦କୋଟି, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ପାଇଁ ୧୦୦ କୋଟି, ସୁଜଳା ଯୋଜନା ପାଇଁ ୭୩୩କୋଟି, ସ୍ୱଚ୍ଛ ଓଡିଶା ଯୋଜନା ପାଇଁ ୨୬୧ କୋଟି ଓଡିଶା ଏଆଇ ମିଶନ ପାଇଁ ୨୦ କୋଟି, ଓଡିଶା ପୋଷଣ ମିଶନ ପାଇଁ ୧୦୦ କୋଟି, ସୁଭଦ୍ରା ସମ୍ବେଦନ ପାଇଁ ୨୦ କୋଟି, ଆମେ ପଢିବା ଆମ ଭାଷାରେ ଯୋଜନା ପାଇଁ ୨୫କୋଟି, ଆମ ଶିମିଳିପାଳ ଯୋଜନା ପାଇଁ ୫୦ କୋଟି, ଅଟଳ ବସଷ୍ଟାଣ୍ଡ ପାଇଁ ୧୨୬୬ ଏବଂ ଆନ୍ତଃରାଜ୍ୟ ନଦୀ ସଂଯୋଗ ପାଇଁ ୧୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
ବଜେଟ୍ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧,୧୮୫ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୨,୭୪୧, ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୧୫,୨୨୨ କୋଟି, କୋଟି ଜଳସମ୍ପଦ ବିଭାଗ ପାଇଁ ୧୪,୮୯୪ କୋଟି, ନିର୍ମାଣ ବିଭାଗ ପାଇଁ ୧୨ହଜାର କୋଟି, ସ୍ୱରାଷ୍ଟ୍ର ବିଭାଗ ପାଇଁ ୧୦,୭୫୯ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୧୦,୦୨୦ କୋଟି ଟଙ୍କାର ବ୍ୟୟବରାଦ ରହିଛି ।