ଭୁବନେଶ୍ବର : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ ହେବା ପୂର୍ବରୁ ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ବଳିଷ୍ଠ ଅର୍ଥନୀତି ସହ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହୋଇଥିବା ସରକାର ଦାବି କରିଛନ୍ତି। ଏଥିସହିତ ଜାତୀୟ ହାର ଠାରୁ ମଧ୍ୟ ଓଡିଶାର ଅଭିବୃଦ୍ଧି ହାର ଅଧିକ ରହିଥିବା ଦର୍ଶାଇଛନ୍ତି ସରକାର।
୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତିର ଆକାର ୯.୫ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୀତି ୮.୬ ଲକ୍ଷ କୋଟି ଥିଲା। ୨୦୨୪-୨୫ରେ ରାଜ୍ୟ ଅର୍ଥନୀତିରେ ୧୦ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି କୁହାଯାଇଛି। ୨୦୨୪-୨୫ ମସିହାରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ବାସ୍ତବରେ ୭.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଏହି ବର୍ଷରେ ଓଡିଶା ଅର୍ଥନୀତିର ସମସ୍ତ କ୍ଷେତ୍ରରେ ସୁଦୃଜ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ସର୍ବଭାରତୀୟ ସ୍ତରର ଅଭିବୃଦ୍ଧି ହାର ୬.୪ ପ୍ରତିଶତ ଥିବା ବେଳେ ଓଡିଶାର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଉତ୍କର୍ଷ ଓଡିଶା କନକ୍ଲେଭ ଜରିଆରେ ଅଧିକ ପଂଜିନିବେଶ ରାଜ୍ୟର ଅଭିବୃଦ୍ଧି ହାରକୁ ଆହୁରି ବଢାଇବ ବୋଲି ଆକଳନ କରାଯାଉଛି।
ରାଜ୍ୟ ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଯୋଗଦାନ ପ୍ରାୟ ୧୯ ପ୍ରତିଶତ ଓ ଏହାର ଅଭିବୃଦ୍ଧି ହାର ୩.୩ ପ୍ରତିଶତ ଅଟେ । ସର୍ବଭାତୀୟ ସ୍ତର ତୁଳନାରେ ଓଡିଶାରେ କୃଷି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ହୋଇଛି। ଗତ ୫ ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ଓଡିଶାର ଅଭିବୃଦ୍ଧି ହାର ୭ ପ୍ରତିଶତ ରହିଥିବା ବେଳେ ଜାତୀୟ ସ୍ତରରେ ୪.୧ ପ୍ରତିଶତ ହାରରେ ଅଭିବୃଦ୍ଧି ହେଉଛି। ଖାଦ୍ୟଶସ୍ୟ ଉତ୍ପାଦନରେ ମଧ୍ୟରେ ଓଡିଶା ରେକର୍ଡ କରିଛି। ୨୦୧୯-୨୦ରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୧୧୬.୯ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୨୩-୨୪ରେ ଏହା ୧୪୩ ଲକ୍ଷ ମେଟ୍ରିକ ଟନରେ ପହଁଚିଛି। ଚାଷୀଙ୍କୁ କ୍ବିଣ୍ଟାଲ ପିଛା ଧାନରେ ଏମଏସପି ୨୩ଶହ ଟଙ୍କା ସହ ଇନପୁଟ ସବସିଡି ୮୦୦ ଟଙ୍କା ଦିଆଯାଉଛି। ମୋଟ ଧାନ ଉତ୍ପାଦନରେ ଓଡିଶା ୮ ପ୍ରତିଶତ ଅଂଶ ସହ ଦେଶର ପଂଚମ ବୃହତ ଧାନ ଉତ୍ପାଦନକାରୀ ରାଜ୍ୟ। ରାଜ୍ୟରେ ପନିପରିବା ଉତ୍ପାଦନ ମଧ୍ୟ ୨୦୧୯-୨୦ରେ ୯୭.୩୪ ଲକ୍ଷ ମେଟ୍ରିକ ଟନରୁ ୨୦୨୩-୨୪ରେ ୧୦୯.୩ ଲକ୍ଷ ମେଟ୍ରିକ ଟନରେ ପହଁଚିଛି।
ଅପରପକ୍ଷରେ ରାଜ୍ୟ ଅର୍ଥନୀତିରେ ଶିଳ୍ପ କ୍ଷେତ୍ରର ଯୋଗଦାନ ୪୪ ପ୍ରତିଶତ ଥିବାବେଳେ ଏହାର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ଯାହାକି ସର୍ବଭାରତୀୟ ସ୍ତର ସହିତ ପ୍ରାୟ ସମାନ । ରାଜ୍ୟରେ ସେବା କ୍ଷେତ୍ରର ଯୋଗଦାନ ପ୍ରାୟ ୩୭ ପ୍ରତିଶତ ଏବଂ ଏହାର ୧୦ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି । ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଦୃଢ ଅଭିବୃଦ୍ଧି, ବାଣିଜ୍ୟ ଏବଂ ମରାମତି ସେବା କ୍ଷେତ୍ରର ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଏହାର ପ୍ରମୁଖ ଯୋଗଦାନକାରୀ । ସାଧାରଣତଃ ବିଶ୍ଵସ୍ତରରେ ବିକଶିତ ଅର୍ଥନୀତି ଗୁଡିକରେ ସେବା କ୍ଷେତ୍ରର ବୃହତ ଅଂଶ ଯୋଗଦାନ ରହିଥାଏ । ଉଦାହରଣ ସ୍ୱରୂପ ୨୦୨୧ ରେ ଆମେରିକାର ମୋଟ ସଂଯୋଗିତ ମୂଲ୍ୟରେ ସେବା କ୍ଷେତ୍ରର ଅଂଶ ୭୭.୬ ପ୍ରତିଶତ ଥିଲା । ସେବା କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ଭବିଷ୍ୟତର ଅର୍ଥନୀତି ପାଇଁ ଏକ ଶୁଭ ସଙ୍କେତ ବୋଲି କୁହାଯାଇଛି ।